ନିଶିକାନ୍ତ ରଥ

ଆଜି ବିଶ୍ଵ ଛେନାପୋଡ଼ ଦିବସ। ବିଶ୍ଵକୁ ଓଡ଼ିଶାର ସଂସ୍କୃତି ଏବଂ ଖାଦ୍ୟ ପରମ୍ପରାର ବାର୍ତ୍ତା ଦେଉଛି ନୟାଗଡ଼ର ଏହି ପ୍ରସିଦ୍ଧ ମିଠା। 

  • ଦଶପଲ୍ଲାର ସାତପଟଣାରେ ନୟାଗଡ଼ ଛେନାପୋଡ଼ର ଜନ୍ମ 
  • ଆକସ୍ମିକ ଭାବେ ତିଆରି ହୋଇଥିଲା ଏହି ସୁଆଦିଆ ମିଠା
  • ଏବେ ବି ରାଜ୍ୟ ବାହାରକୁ ନୟାଗଡ଼ରୁ ରପ୍ତାନି ହେଉଛି ଛେନାପୋଡ଼
  • ଜିଆଇ ଟ୍ୟାଗ୍‌ ପାଇଁ ହୋଇଛି ଆବେଦନ

“ଆସ କିଏ ଖାଇବ ହୋ ଆମ ରାଜା ବାବୁଘର ଖାନା…” ଓଡ଼ିଆ ସିନେମାରେ ବ୍ୟବହୃତ ଏହି ଲୋକପ୍ରିୟ ଗୀତଟି ଦିନେ ଘରେଘରେ ପରିଚିତ ଥିଲା। ଏହି ଗୀତଟି ଶୁଣିଲା ବେଳେ ଏଥିରେ ବର୍ଣ୍ଣନା କରାଯାଇଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ଵତନ୍ତ୍ର ଓ ସୁଆଦିଆ ଖାନା କଥା ଭାବି ଏବେବି ଲୋକଙ୍କ ପାଟିରୁ ଲାଳ ଗଡ଼ିପଡ଼େ। ସେହି ଖାନା ଭିତରେ ଗୋଟିଏ ହେଉଛି ନୟାଗଡ଼ର ‘ଛେନାପୋଡ଼’।

ସ୍ୱାଧୀନତା ପୂର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା। ସ୍ଵାଦ ପାଇଁ ଏହା କେବଳ ଆମ ରାଜ୍ୟ କାହିଁକି ଦେଶ ବିଦେଶର ଖାଦ୍ୟପ୍ରେମୀମାନଙ୍କୁ ଆକର୍ଷିତ କରି ଆସିଛି। ରାଜ୍ୟର ଏପରି ଏକ ଐତିହ୍ୟସଂପନ୍ନ ତଥା ସୁସ୍ୱାଦୁ ଖାଦ୍ୟର ସ୍ଵତନ୍ତ୍ର ପରିଚୟ ବଜାୟ ରଖିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିବା ନୟାଗଡ଼ର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ଭୌଗୋଳିକ ସ୍ଥିତି, ପରମ୍ପରା, ସଂସ୍କୃତି ଏବଂ ସାଂସ୍କୃତିକ ମିଳନ ଭିତରୁ ତିଆରି ହୋଇଛି ଆମ ଜୀବନ ଧାରା ଓ ଖାଦ୍ୟ ରୁଚି। ଏହି ଦୃଷ୍ଟିରୁ ଦେଖିଲେ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ତଥା ସ୍ଵତନ୍ତ୍ର ଖାଦ୍ୟ ଦେଖିବାକୁ ମିଳେ। ଯାହାକି ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଏବଂ ପ୍ରସ୍ତୁତି ଦୃଷ୍ଟିରୁ ନିଆରା। ଓଡ଼ିଶା ଏହି ଦୃଷ୍ଟିରୁ ଦେଶର ଏକ ଅଗ୍ରଣୀ ପ୍ରଦେଶ ବୋଲି କହିଲେ ଭୁଲ୍‌ ହେବ ନାହିଁ। ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୟାଗଡ଼ର ଛେନାପୋଡ଼ ଭଳି ରହିଛି ଅନେକ ସ୍ଵତନ୍ତ୍ର ଓ ସୁଆଦିଆ ଖାଦ୍ୟ।

ଦଶପଲ୍ଲାରୁ ଛେନାପୋଡ଼ର ଜନ୍ମ

ଛେନାପୋଡ଼ ନାଁ କହିଲେ ଲୋକଙ୍କ ନଜର ନୟାଗଡ଼ ଉପରେ ପଡ଼ିଥାଏ। ତେବେ ଏହି ପ୍ରସିଦ୍ଧ ଛେନାପୋଡ଼ର ଜନ୍ମ ହୋଇଥିଲା ୧୯୪୫ରେ ବର୍ତ୍ତମାନ ନୟାଗଡ଼ ଜିଲ୍ଲା ଅଧୀନରେ ଥିବା ଦଶପଲ୍ଲାର ସାତପାଟଣା ଗାଁରେ।

ତତ୍କାଳୀନ ଦଶପଲ୍ଲା ଗଡ଼ଜାତ ରାଜ୍ୟର ବ୍ୟବସାୟିକ ପେଣ୍ଠସ୍ଥଳୀ ଥିଲା ସାତପାଟଣା। ସ୍ଥାନୀୟ ଜଳଖିଆ ଦୋକାନୀ ବିଦ୍ୟାଧର ସାହୁ ସବୁଦିନ ଭଳି ଛେନାରୁ ରସଗୋଲା, ଛେନାଗଜା, ତାଡ଼ିଆ ଆଦି ମିଠା ପ୍ରସ୍ତୁତ କରୁଥିଲେ। ତେବେ ସେଦିନ ତାଙ୍କ ପାଖରେ ଅଧିକ ପରିମାଣର ଛେନା ପହଞ୍ଚଯିବାରୁ ସେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରିବା ପରେ କିଛି ଛେନା ବଳି ପଡ଼ିଥିଲା। ଏହି ବଳକା ଛେନାକୁ କ’ଣ କରିବେ ଭାବି ତାଙ୍କ ମନକୁ ଏକ ଅଜବ କଥା ଆସିଲା। ଏହି ବଳକା ଛେନାକୁ ଫୋପାଡ଼ି ନଦେଇ ଓଡ଼ିଶାର ପ୍ରିୟ ପୋଡ଼ ପିଠା ପରି ତାକୁ ପୋଡ଼ି ପିଠା କରିବା କଥା ସେ ଭାବିଥିଲେ।

ବିଦ୍ୟାଧର ବଳକା ଛେନାରେ କିଛି ଚାଉଳଗୁଣ୍ଡ, ଚିନି, ଗୁଜୁରାତି ଓ ଅଳେଇଚ ଆଦି ସାମଗ୍ରୀ ମିଶାଇ ତାକୁ ଏକ ଜାଗାରେ ରଖି ରଡ଼ ନିଆଁ ଉପରେ ବସାଇ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପରଦିନ ଛେନାରୁ ତିଆରି ଏହି ପିଠାକୁ ସେ ନିଜେ ଚାଖିବା ସହ ପରିବାର ଲୋକ ଏବଂ ଗ୍ରାହକମାନଙ୍କୁ ଚାଖିବାକୁ ଦେଇଥିଲେ। ଏହି ନୂଆ ମିଠା ସମସ୍ତଙ୍କୁ ବେଶ୍ ଭଲ ଲାଗିଥିଲା। ଛେନାକୁ ପୋଡ଼ ପିଠା ଭଳି ରଡ଼ ନିଆଁରେ ପୋଡ଼ା ଯାଇଥିବାରୁ ତା’ର ନାଁ ରହିଲା ଛେନାପୋଡ଼।

ଏହାର ସ୍ରଷ୍ଟା ବିଦ୍ୟାଧର ଛେନାପୋଡ଼ର ଫର୍ମୁଲା ଧୀରେ ଧୀରେ ବୁଝିବା ଭିତରେ ଏହା ତାଙ୍କ ଦୋକାନରେ ଏକ ଲୋକପ୍ରିୟ ମିଠା ଭାବେ ପରିଣତ ହୋଇଯାଇଥିଲା। ଫଳରେ ବିଦ୍ୟାଧର ଏହି ବ୍ୟବସାୟକୁ ଦଶପଲ୍ଲାରେ ସାମୀତ ନରଖି ନିଜର ପୁଅ ସୁଦର୍ଶନଙ୍କ ସହଯୋଗରେ ନୟାଗଡ଼ କଚେରୀ ବଜାରରେ ଏକ ସ୍ଵତନ୍ତ୍ର ଛେନାପୋଡ଼ ଦୋକାନ ଖୋଲିଲେ। ବାପାଙ୍କଠାରୁ ସୁଦର୍ଶନ କ୍ରମେ ଶିଖିନେଲେ ଛେନାପୋଡ଼ ପ୍ରସ୍ତୁତି ରହସ୍ୟ। ସେ ଧୀରେ ଧୀରେ ତାଙ୍କ ହାତ ତିଆରି ଛେନାପୋଡ଼ ପାଇଁ ନୟାଗଡ଼ ଏବଂ ବାହାର ଅଞ୍ଚଳରେ ପରିଚିତ ହେଲେ।

ପରେ ପରେ ବ୍ୟବସାୟିକ ସଫଳତା ପାଇଁ ସୁଦର୍ଶନ କିଛି ବେକାର ଯୁବକଙ୍କୁ ନିଯୁକ୍ତ କରି ନୟାଗଡ଼ରେ ପ୍ରତିଦିନ ଅଧିକ ପରିମାଣର ଛେନାପୋଡ଼ ପ୍ରସ୍ତୁତ କଲେ। କ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କ୍ଷୀର ସଂଗ୍ରହ କରି ସୁଦର୍ଶନ ନିଜେ ଛେନା ପ୍ରସ୍ତୁତ କଲେ ଓ ତାଙ୍କ ହାତ ତିଆରି ଛେନାରୁ ଛେନାପୋଡ଼ କଲେ। ଏହି ଭଳି ନୟାଗଡ଼ ଛେନାପୋଡ଼ର ସ୍ଵାଦ କ୍ରମେ ଓଡ଼ିଶା ସୀମା ଟପି ବାହାରେ ପହଞ୍ଚିଲା। ସୁଦର୍ଶନଙ୍କ ପ୍ରସ୍ତୁତ ଛେନାପୋଡ଼ର ସ୍ୱାଦ ଚାଖିଥିବା ବ୍ୟକ୍ତି ପୁଣି ନୟାଗଡ଼ର ଛେନା ପୋଡ଼କୁ ଖୋଜୁଥିଲେ।

ନୟାଗଡ଼ ଛେନାପୋଡ଼ର ପ୍ରସିଦ୍ଧି ଚାରିଆଡ଼େ ବ୍ୟାପି ଯାଇଥିଲା। ଏପରିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଭଳି ରାଜନେତାଙ୍କୁ ନୟାଗଡ଼ର ଛେନାପୋଡ଼ ଆକୃଷ୍ଟ କରିଥିଲା।

ନୟାଗଡ଼ ଛେନାପୋଡ଼ର ଫର୍ମୁଲା

ବାପାଙ୍କ ଅନ୍ତେ ସୁଦର୍ଶନ ନିଜର ସ୍ୱତନ୍ତ୍ର ପ୍ରଣାଳୀରେ ଛେନାପୋଡ଼ ପ୍ରସ୍ତୁତ କରୁଥିଲେ। ଯଦିଓ ନୟାଗଡ଼ର ଛେନାପୋଡ଼କୁ ଅନୁକରଣ କରି ରାଜ୍ୟର ଅନେକ ସ୍ଥାନରେ ଛେନାପୋଡ଼ ପ୍ରସ୍ତୁତ ପ୍ରଚଳିତ ହେଲା ତଥାପି ସୁଦର୍ଶନଙ୍କ ଭାଗମାପ ବା ଫର୍ମୁଲା ଥିଲା ତାଙ୍କର ସ୍ଵତନ୍ତ୍ର।

ନୟାଗଡ଼ ଛେନାପୋଡ଼ର ସ୍ୱତନ୍ତ୍ରତା କହିଲେ, ଶୁଦ୍ଧ ଛେନା ଯାହାକୁ ଚକଟି ଏପରି ଏକ ଅବସ୍ଥାକୁ ଅଣାଯାଏ ଯାହାକି କାନ୍ଥକୁ ଫୋପାଡ଼ିଦେଲେ ତାହା ଲାଗିଯିବ। ସେହି ଛେନାରେ ସେତେବେଳେ ସୁଜି (ବର୍ତ୍ତମାନ ସମୟରେ ଯାହା ଚାଲିଛି) ମିଶୁ ନଥିଲା। ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର ଗୁଣ୍ଡ ସହ ଛେନାକୁ ଗୋଳାଇ ସେଥିରେ ଚିନି, ଗୁଜୁରାତି, ଅଳେଇଚ ଓ କାଜୁବାଦାମ ଗୁଣ୍ଡ ମିଶ୍ରଣ କରାଯାଉଥିଲା। ସେହି ଛେନା ଗୋଳାକୁ ଏକ ପିତଳ ଥାଳିରେ ରଖି ତା’ର ତଳ ଓ ଉପର ପାଖରେ ଗୁଆ ଘିଅ ବୋଳି ତାକୁ କଦଳୀ ପତ୍ରରେ ଆବଦ୍ଧ କରିଦିଆଯାଉଥିଲା। ପରେ ଏହାକୁ କୋଇଲା ନିଆଁ ଆଞ୍ଚରେ ୮ରୁ ୯ଘଣ୍ଟା ପର୍ଯ୍ୟନ୍ତ ବସାଯାଉଥିଲା। ସେଥିରୁ ପ୍ରସ୍ତୁତ ଛେନାପୋଡ଼ ଖାଇବାର ମଜା ଉଠାଇବା ପାଇଁ ସୁଦର୍ଶନ ସାହୁଙ୍କ ମିଠା ଦୋକାନରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଲାଗୁଥିଲା।

ସୁଦର୍ଶନ ତାଙ୍କ ଛେନାପୋଡ଼ର ମାନରେ କେବେ ଉଣା କରିନଥିଲେ। ସେଥିପାଇଁ ନୟାଗଡ଼ର ଛେନାପୋଡ଼ ଆଉ ସୁଦର୍ଶନ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଛେନାପୋଡ଼ର ଚାହିଦା ପ୍ରଥମ ସ୍ଥାନରେ ରହିଥିଲା। ତେବେ ସେ ଚାଲିଯିବା ପରେ ତାଙ୍କ ପରିବାର ଆଉ ଏହି ବୃତ୍ତିକୁ ଆଗକୁ ନନେବା ଫଳରେ ସୁଦର୍ଶନ ଛେନାପୋଡ଼ ବ୍ରାଣ୍ଡର ମୃତ୍ୟୁ ଘଟିଛି।

ଆଜି ନୟାଗଡ଼ ଛେନାପୋଡ଼ ନାଁରେ ରାଜ୍ୟର ଅନ୍ୟ ଅଞ୍ଚଳ କାହିଁକି, ଏପରିକି ଖୋଦ୍ ନୟାଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଆଉ ଅସଲି ଛେନାପୋଡ଼ର ସୁଆଦ ଚାଖିବାକୁ ମିଳୁନାହିଁ।

ଏବେ ବି ଲୋକପ୍ରିୟ ନୟାଗଡ଼ ବ୍ରାଣ୍ଡ ଛେନାପୋଡ଼

ଏବେ ବି ନୟାଗଡ଼ ଜିଲ୍ଲାର କେତୋଟି ହାତଗଣତି ମିଠା ଦୋକାନୀଙ୍କ ପାଇଁ ଛେନାପୋଡ଼ ବଞ୍ଚି ରହିଛି। ତା’ ମଧ୍ୟରେ ରହିଛନ୍ତି ଓଡ଼ଗାଁ ବ୍ଲକର ଦରପଦା, ମାଛିପଡ଼ା, ସୋଲପଟା, ନନ୍ଦିଘର ଓ ନୟାଗଡ଼ ଅଞ୍ଚଳର ଶତାଧିକ କାରିଗର। ବର୍ତ୍ତମାନ ଯଦିଓ ରାଜ୍ୟ ତଥା ରାଜ୍ୟ ବାହାରେ ଛେନାପୋଡ଼ ମିଳୁଛି ତେବେ ନୟାଗଡ଼ ଛେନାପୋଡ଼ର ଆଦର କମିନାହିଁ।

ନୟାଗଡ଼ର  ଅନେକ ମିଠା କାରିଗର ପରିବାର ଛେନାପୋଡ଼ ପ୍ରସ୍ତୁତ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହରକୁ ୫୦ରୁ ୭୦ କୁଇଣ୍ଟାଲ ଛେନାପୋଡ଼ ପଠାଉଛନ୍ତି। ନୟାଗଡ଼ ତିଆରି ଛେନାପୋଡ଼ ଆଜି ଭୁବନେଶ୍ୱର, ବାରିପଦା, ଢେ଼ଙ୍କାନାଳ, ତାଳଚେର, ରାଇରଙ୍ଗପୁର, ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା, କୋରାପୁଟ, ମାଲଗାନାଗିରି, ବ୍ରହ୍ମପୁର, ଫୁଲବାଣୀ, ବୌଦ୍ଧ ଓ ସୋନପୁର ଏବଂ ରାଜ୍ୟ ବାହାରେ ଛତିଶଗଡ଼, ଜାମସେଦପୁର ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସହରକୁ ପଠାଯାଉଛି।

‘ନୟାଗଡ଼ ଛେନାପୋଡ଼’ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଭାବେ ପରିଣତ କରି ଏହି ବ୍ୟବସାୟର ପ୍ରଚାର ପ୍ରସାର କରାଗଲେ ଏହା ସ୍ଥାନୀୟ ଶହଶହ ପରିବାରର ଜୀବିକାରେ ପରିଣତ ହେବା ସହ ଓଡ଼ିଶାର ନିଆରା ଖାଦ୍ୟ ପରମ୍ପରାର ପରିଚୟ ପ୍ରତିଷ୍ଠିତ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ କୁହନ୍ତି।

ଛେନାପୋଡ଼ ଭଳି ଓଡ଼ିଶାର ଏକ ସ୍ଵତନ୍ତ୍ର ମିଠା ପାଇଁ ଜିଆଇ ଟ୍ୟାଗ୍ ଦେବାଲାଗି ଆବେଦନ କରାଯାଇଛି। ଜିଲ୍ଲା ପ୍ରଶାସନ, ନୟାଗଡ଼ ବିକାଶ ମଞ୍ଚ, ବରିଷ୍ଠ ସାମ୍ବାଦିକ ଏବଂ ବିଭିନ୍ନ ସଂଗଠନକୁ ନେଇ ଗଠିତ କମିଟି ପକ୍ଷରୁ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପାଇଁ ଆବେଦନ କରାଯାଇଛି। ଖୁବଶୀଘ୍ର ନୟାଗଡ଼ ଛେନାପୋଡ଼କୁ ଜିଆଇଟ୍ୟାଗ ମିଳିବ ବୋଲି ଆଶା ରଖିଛନ୍ତି ନୟାଗଡ଼ବାସୀ।

Tags: #WorldChenapodaDay #NayagarhChhenapoda #Chhenapoda #SpecialSweet #Odisha

LEAVE A REPLY

Please enter your comment!
Please enter your name here