ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଯାଉଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ କେନ୍ଦୁଝରୀ ଗାଁର ଜଠା ସିଂ ଓ ଶରତଚନ୍ଦ୍ରପୁର ଗ୍ରାମର ଡାକ୍ତର ସିଂ।

ଜଠା ସିଂ ଓ ଡାକ୍ତର ସିଂ ହାତରେ ବନ୍ଧୁକ ଧରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ପିଠାବଟା ରେଞ୍ଜ ଅଞ୍ଚଳ ଜଙ୍ଗଲ ଆଡ଼କୁ ଯାଉଥିବା ସ୍ଥାନୀୟ ଗ୍ରାମବାସୀ ଦେଖି ସେମାନଙ୍କୁ ଅଟକାଇ ଥିଲେ। ଗ୍ରାମବାସୀ ଏବଂ ଦୁଇ ବନ୍ଧୁକଧାରୀଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହେବା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୁଳି ଭର୍ତ୍ତି ବନ୍ଧୁକ ଜବତ କରିଥିଲେ। 

ଶିମିଳିପାଳ ଅଭୟାରାଣ୍ୟ ମଧ୍ୟରେ ବନ୍ୟ ଜନ୍ତୁ ଶିକାରକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଆସୁଛନ୍ତି। ଶିକାର ଉଦ୍ଦେଶ୍ୟରେ ଆସୁଥିବା ଲୋକଙ୍କୁ ଅଟକ ରଖି ବନ ବିଭାଗ ଜିମା ଦେଉଛନ୍ତି। କେନ୍ଦୁଆ ଗ୍ରାମବାସୀଙ୍କ ଏହି ମନୋଭାବକୁ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ସ୍ୱାଗତ କରିଛନ୍ତି। ଆଗାମୀ ଦିନରେ ଗ୍ରାମବାସୀଙ୍କୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମରେ ସହାୟତା ପାଇଁ ପୁରସ୍କୃତ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା କହିଛନ୍ତି।

Tags: #SimilipalSanctuary #Poacher #Mayurbhanj #Odisha

LEAVE A REPLY

Please enter your comment!
Please enter your name here