ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେବା ପରେ ସୋମବାର ଦିନ ବିଜେପିରେ ଯୋଗ ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ସେ ଯୋଗ ଦେଇଛନ୍ତି।

ବିଜେପିରେ ସାମିଲ ହେବା ପରେ ସେ ନିଜର ପ୍ରତିକ୍ରିୟାରେ କହିଥିଲେ, “ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି। ଓଡ଼ିଶାରେ ବିଜେପି ଆସିଲେ ରାଜ୍ୟ ଆଗକୁ ବଢ଼ିବ।”

ଏପ୍ରିଲ ୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ। ସେ ଜିଲ୍ଲା ସଭାପତି ପଦ ତଥା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ପ୍ରଭାସ ସିଂ ୨୦୧୪ରୁ ୨୦୧୯ ଯାଏଁ ବରଗଡ଼ର ସାଂସଦ ଥିଲେ। ୨୦୧୯ରେ ବିଜେଡିରୁ ତାଙ୍କୁ ଟିକେଟ ମିଳିନଥିଲା। ଚଳିତ ଥର ପ୍ରଭାସ ସିଂ ବରଗଡ଼ ଲୋକସଭା କ୍ଷେତ୍ର ପାଇଁ ଟିକେଟ ଆଶାୟୀ ଥିଲେ। କିନ୍ତୁ ଏହି ଆସନ ଲାଗି ପରିଣୀତା ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏହି ଅସନ୍ତୋଷ କାରଣରୁ ପ୍ରଭାସ ସିଂ ଦଳ ଛାଡ଼ିଥିବା କୁହାଯାଉଛି।

Tags: #Politics #OdishaPolitics #FormerMP #PrabhasSingh #BJD #Odisha

Comment