ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନିଜର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳ ପକ୍ଷରୁ ରାଜ୍ୟର ୯ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବେ। ସେହିପରି ସମ୍ବଲପୁର ଏବଂ ରେଢ଼ାଖୋଲ ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ଅଦଳବଦଳ କରାଯାଇଛି।

ପୂର୍ବେ ବିଜେଡି ପକ୍ଷରୁ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଏବଂ ରେଢ଼ାଖୋଲରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ଏବେ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରୁ ଏବଂ ରୋହିତ ପୂଜାରୀ ସମ୍ବଲପୁରରୁ ନିର୍ବାଚନ ଲଢ଼ିବେ।

ଅନ୍ୟପଟେ ଚଳିତ ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକ ହିଞ୍ଜିଳି ଓ କଣ୍ଟାବାଞ୍ଜି ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଦଳ ପକ୍ଷରୁ ପଦ୍ମପୁରରୁ ବର୍ଷାରାଣୀ ସିଂ ବରିହାଙ୍କୁ ପୁଣି ଟିକେଟ୍ ଦିଆଯାଇଛି। ସେ ୨୦୨୨ରେ ଏଠାରୁ ଉପନିର୍ବାଚନ ଜିତିଥିଲେ।

ବିଜେଡିର ବିଧାସଭା ପ୍ରାର୍ଥୀମାନେ ହେଲେ

  • କଣ୍ଟାବାଞ୍ଜି – ନବୀନ ପଟ୍ଟନାୟକ
  • ଚିତ୍ରକୋଣ୍ଡା – ଲକ୍ଷ୍ମୀପ୍ରିୟା ନାୟକ
  • ପଦ୍ମପୁର – ବର୍ଷାରାଣୀ ସିଂ ବରିହା
  • କୁଚିଣ୍ଡା – ରାଜେନ୍ଦ୍ର କୁମାର ଛତ୍ରିଆ
  • ସାନଖେମୁଣ୍ଡି – ସୁଲକ୍ଷଣା କୁମାରୀ ଦେବୀ
  • ଜୟପୁର – ଇନ୍ଦିରା ନନ୍ଦ
  • ଦେବଗଡ଼ – ଅରୁନ୍ଧତୀ କୁମାରୀ ଦେବୀ
  • ଅନୁଗୁଳ – ସଂଯୁକ୍ତା ସିଂହ
  • ନିମାପଡ଼ା – ଦିଲ୍ଲୀପ କୁମାର ନାୟକ

ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିଲେ। ଏନେଇ ସେ ନବୀନ ନିବାସରେ ପହଞ୍ଚି ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ମିଳିଥିଲା। ଏବେ ବିଜେଡି ପକ୍ଷରୁ ସମ୍ବଲପୁର ଓ ରେଢ଼ାଖୋଲ ଆସନରେ ପ୍ରାର୍ଥୀ ଅଦଳବଦଳ କରାଯାଇଛି।

Tags: #OdishaAssemblyElections #BJD #Candidates #Politics #Odisha

Comment