ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଢେଙ୍କାନାଳ ଲୋକସଭା ଆସନ ପାଇଁ ରାଜନୈତିକ ଲଢ଼େଇ ଲଢ଼ିବେ ଅଭିଜ୍ଞ ରୁଦ୍ରନାରାୟଣ ପାଣି, ଡକ୍ଟର ଅବିନାଶ ସାମଲ ଓ ସସ୍ମିତା ବେହେରା।

ଢେଙ୍କାନାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ବିଜେଡି ଭରସା କରିଛି ନବାଗତ ଡକ୍ଟର ଅବିନାଶ ସାମଲଙ୍କ ଉପରେ। ଏହି ଆସନ ପାଇଁ ପୂର୍ବତନ ସଭାନେତ୍ରୀ ଇଂ. ସସ୍ମିତା ବେହେରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ଢେଙ୍କାନାଳ, ହିନ୍ଦୋଳ, ପରଜଙ୍ଗ, କାମାକ୍ଷାନଗର ଏବଂ ଅନୁଗୁଳ ଜିଲ୍ଲାର ଅନୁଗୁଳ, ତାଳଚେର ଓ ପାଲଲହଡ଼ା ବିଧାନସଭା କ୍ଷେତ୍ରକୁ ନେଇ ଢେଙ୍କାନାଳ ସଂସଦୀୟ କ୍ଷେତ୍ର। ଏହି ଆସନ ପୂର୍ବରୁ କଂଗ୍ରେସର ଗଡ଼ ଥିଲା। ୧୯୬୭ଠାରୁ ୧୯୯୯ ମସିହା ପର୍ଯ୍ୟନ୍ତ କଂଗ୍ରେସରୁ ବ୍ରିଗେଡିଅର କାମାକ୍ଷା ପ୍ରସାଦ ସିଂଦେଓ ଏହି ଆସନରୁ ଲଗାତର ବିଜୟୀ ହେଉଥିଲେ। କିନ୍ତୁ ୨୦୦୪ ମସିହା ପରଠାରୁ କଂଗ୍ରେସ ଖାତାରୁ ଏହି ଆସନକୁ ଛଡ଼ାଇ ନେଇଛି ବିଜେଡି। ଲଗାତର ୪ଥର ଏଠାରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଆସୁଛନ୍ତି।

୨୦୧୯ ମସିହା ସାଧାରଣ ନିର୍ବାଚନରେ ଏଠାରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ବିଜେଡି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ଓ ଭେଟେରାନ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ମହେଶ ସାହୁଙ୍କୁ ସର୍ବାଧିକ ୫ଲକ୍ଷ ୨୨ହଜାର ୮୮୪ ଖଣ୍ଡ ଭୋଟ ମିଳିଥିଲା। ରୁଦ୍ରନାରାୟଣ ପାଇଥିଲେ ୪ଲକ୍ଷ ୮୭ହଜାର ୪୭୨ ଖଣ୍ଡ ଭୋଟ। ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦଙ୍କୁ ମିଳିଥିଲା ମାତ୍ର ୮୦ହଜାର ୩୯୪ ଖଣ୍ଡ ଭୋଟ।

ମହିଳାଙ୍କୁ ପ୍ରାଧାନ୍ୟ ଦେଲା କଂଗ୍ରେସ

୨୦୧୯ ନିର୍ବାଚନ ପରଠାରୁ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସମେତ ରାଜ ପରିବାରର ସଦସ୍ୟ ପ୍ରତ୍ୟକ୍ଷ ରାଜନୀତିରୁ ଏକ ପ୍ରକାର ଦୂରେଇ ରହିଛନ୍ତି। ତେଣୁ କଂଗ୍ରେସ ଏଥର ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି। କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା ଲୋକସଭା ଆସନରେ ନୂଆ ହୋଇଥିଲେ ମଧ୍ୟ ରାଜନୈତିକ ମଇଦାନରେ ପୁରୁଣା ଚେହେରା। ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ଏବଂ ବର୍ତ୍ତମାନ ଅଖିଳ ଭାରତୀୟ ମହିଳା କଂଗ୍ରେସର ସମ୍ପାଦିକା ରହିଛନ୍ତି। ୨୦୧୪ରୁ ତାଳଚେର ବିଧାନସଭା ଆସନରୁ ଏବଂ ୨୦୧୯ରେ ଛେଣ୍ଡିପଦା ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ିଛନ୍ତି। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ସସ୍ମିତାଙ୍କ ପ୍ରଭାବ ରହିଥିବା ଜଣାପଡ଼ିଛି।

ପୁଣି ରୁଦ୍ରଙ୍କ ଉପରେ ବିଜେପିର ଭରସା

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ରୁଦ୍ରନାରାୟଣ ପାଣିଙ୍କୁ ପୁଣି ରିପିଟ୍ କରିଛି ବିଜେପି। ରାଜନୀତିରେ ରୁଦ୍ରଙ୍କର ଢେର ଅଭିଜ୍ଞତା ରହିଥିବାବେଳେ ମୋଦୀ ହାୱା ଏବଂ କେନ୍ଦ୍ର ସରକାରଙ୍କ ବିକାଶର ଚିତ୍ରକୁ ନେଇ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ। ଏହାଛଡ଼ା ପଶ୍ଚିମ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢୁଥିବାରୁ ଏହାର ପ୍ରଭାବ ମଧ୍ୟ ଢେଙ୍କାନାଳ ରାଜନୀତିରେ ରହିବ ବୋଲି ରାଜନୈତି ମହଲରେ ଚର୍ଚ୍ଚା ହେଉଛି।

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଏଥର ବିଜେଡିର ନୂଆ ଚେହେରା

ଏଥର ଢେଙ୍କାନାଳ ଲୋକସଭା ଆସନରେ ଅଭିଜ୍ଞଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ ଡକ୍ଟର ଅବିନାଶ ସାମଲ। ଅବିନାଶ ପ୍ରଥମ ଥର ପାଇଁ ଓହ୍ଲଇଛନ୍ତି ନିର୍ବାଚନ ମଇଦାନକୁ। ଦୀର୍ଘ ବର୍ଷ ହେବ ବିଜେଡିର ସଦସ୍ୟ ହିସାବରେ ରହିଥିବା ଅଭିନାଶଙ୍କୁ ବିଜେଡି ଦେଇଛି ବଡ଼ ସୁଯୋଗ। ଦାଦା ସୁଧୀର ସାମଲଙ୍କ ଅଭିଜ୍ଞତା, ଲୋକସମ୍ପର୍କ ଓ ବିଜେଡିର ଜନକଲ୍ୟାଣକାରୀ ଯୋଜନାକୁ ନେଇ ସେ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କଲେଣି।

୨୦୧୯ରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଥିଲା। ଏହି ବିଜୟର ପ୍ରଭାବ ଅବିନାଶଙ୍କୁ ସୁହାଇବ ବୋଲି କୁହାଯାଉଛି।

ବିଜେପିର ଅଭିଜ୍ଞ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ନା ବିଜେଡିର ନୂଆ ଚେହେରା ଅବିନାଶଙ୍କ ଉପରେ ଭରସା କରିବେ ଭୋଟର, ନା ଏଥର ବାଜି ମାରିବେ କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା? ତେବେ ଦେଖିବାକୁ ବାକି ରହିଲା ଢେଙ୍କାନାଳ ଲୋକସଭା ଆସନ ବାଜି କାହା ହାତକୁ ଯିବ।

Tags: #Politics #OdishaPolitics #GeneralElection2024 #DhenkanalLokSabhaElection #Odisha #PoliticalFight

Comment