ଓଡ଼ିଶାଲାଇଭ୍ ବ୍ୟୁରୋ

“ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି ଏବଂ ରାଜ୍ୟ ସାରା ନିର୍ବାଚନ ପାଇଁ ପ୍ରଚାର କରୁଛି। ଭାରତୀୟ ଜନତା ପାର୍ଟି ମୋ ସ୍ୱାସ୍ଥ୍ୟ ବିଷୟରେ ଲଗାତର ମିଛ କହି ଆସୁଛି”, ଏହି ଭଳି କହି ବିଜେପିକୁ କଡ଼ା ଜବାବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଚଳିତ ନିର୍ବାଚନ ସମୟରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବାରମ୍ବାର ପ୍ରଶ୍ନ ଉଠାଇଥିଲା ବିଜେପି। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରି ରଖାଯାଇଥିବା ନେଇ ବିଜେପି ପକ୍ଷରୁ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଚିଠି ମଧ୍ୟ ଲେଖାଯାଇଥିଲା। ଏସବୁ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ନବୀନ ପଟ୍ଟନାୟକ। ବିଜେପି ମିଛ କହିବାର ସବୁ ସୀମା ଟପିଯାଇଥିବା ଶୁକ୍ରବାର ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଆଉ ରାଜ୍ୟର ଶାସନ ଭାର ନାହିଁ ବୋଲି ବିଜେପି ପକ୍ଷରୁ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା। ଜଣେ ଅଣଓଡ଼ିଆ ଓଡ଼ିଶାର ମଙ୍ଗ ଧରିଛନ୍ତି। ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ନଷ୍ଟ କରାଯାଉଛି। ବିଜେଡି ବିରୋଧରେ ଏମିତି ଅନେକ କିଛି ଅଭିଯୋଗ ବିଜେପି ପକ୍ଷରୁ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ’ଣ ରହିଛି, ତାହା ଜାଣିବାର ଅଧିକାର ସମଗ୍ର ଓଡିଶାବାସୀଙ୍କର ଅଛି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ତାଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ଗଣମାଧ୍ୟମ ସାମ୍ନାକୁ ଆଣିବା ପାଇଁ ଚିଠିରେ ଅନୁରୋଧ କରାଯାଇଥିଲା।

ତେବେ ଏହା ବିରୋଧରେ ମୁଖ୍ୟମନ୍ତ୍ରୀ ନିଜର ସ୍ଵଳ୍ପ କଥାରେ ବିଜେପିକୁ ଶକ୍ତ ଜବାବ ଦେଇଛନ୍ତି ବୋଲି ଅନେକ ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି।  

Tags: #NaveenPatnaik #BJD #BJP #Politics #OdishaAssemblyElections #Odisha

LEAVE A REPLY

Please enter your comment!
Please enter your name here