ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଏଥିରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ସାମିଲ ଅଛି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପର୍ଯ୍ୟାରେ ଓଡ଼ିଶାର ମୋଟ ୯୪ ଲକ୍ଷ ୪୮ ହଜାର ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୦,୫୫୧ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।   

ତେବେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ପାଇଁ ମୋଟ ୬୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଏବଂ ୯ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ୪୨ଟି ବିଧାନସଭା ଆସନ ପାଇଁ ମୋଟ ୩୮୩ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ଅନ୍ୟପଟେ ଏହି ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲା ଗୁଡ଼ିକରେ ୧୨୧ କମ୍ପାନି ସିଏପିଏଫ୍ ଫୋର୍ସ ନିୟୋଜିତ ହୋଇଛନ୍ତି। ସେଥିରୁ ସମ୍ବଲପୁରରେ ୧୨, ଦେବଗଡ଼ରେ ୨, ଅନୁଗୁଳରେ ୧୨, ଢେଙ୍କାନାଳରେ ୮, ମୟୂରଭଞ୍ଜରେ ୨, କେନ୍ଦୁଝରରେ ୧୭, କଟକ ଗ୍ରାମାଞ୍ଚଳରେ ୧୧, କଟକ ସହରାଞ୍ଚଳରେ ୮, ଭୁବନେଶ୍ୱରରେ ୧୩, ଖୋର୍ଦ୍ଧାରେ ୧୧, ପୁରୀରେ ୧୧ ଏବଂ ନୟାଗଡ଼ରେ ୧୪ କମ୍ପାନି କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି। ଏହାସହ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Tags: #OdishaAssemblyElections2024 #Voting #Voters #Odisha #ECI #India

LEAVE A REPLY

Please enter your comment!
Please enter your name here