ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ମୋହନ ଚରଣ ମାଝିଙ୍କୁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ବିଜେପି। ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କ ନାଁରେ ମୋହର ବାଜିଛି।

ଜୁନ ୧୨ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝି। ଜନତା ମଇଦାନଠାରେ ଶପଥ ଗ୍ରହଣ ଉତ୍ସବ ପାଇଁ ହୋଇଛି ବ୍ୟାପକ ଆୟୋଜନ।

ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି ବିଜେପି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ଯାଉଥିବାରୁ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

୨୪ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ। ଓଡ଼ିଶାର ବିଜେଡିର ବିପୁଳ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନବୀନ ପଟ୍ଟନାୟକ। ଏବେ ଆଗାମୀ ୫ ବର୍ଷ ପାଇଁ ଓଡ଼ିଶା ଶାସନର ଭାର ସମ୍ଭାଳିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ବିଜେପି ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ ମୋହନ ଚରଣ ମାଝିଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି।

ମୋହନ ଚରଣ ମାଝି ବିଜେପି ଟିକେଟରେ କେନ୍ଦୁଝର ସଦର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ୮୭, ୮୧୫ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଥିଲେ।

Tags: #Politics #OdishaPolitics #NewCMofOdisha #MohanCharanMajhi #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here