ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ଵରେ ମାଇକ୍ରୋସଫ୍ଟ କମ୍ପାନିର ସର୍ଭର ଠପ୍ ହୋଇ ଯାଇଛି। ଭାରତ ସମେତ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା ଓ ବ୍ରିଟେନ ଭଳି ଅଧିକାଂଶ ଦେଶରେ ଏହାର ପ୍ରଭାବ ପଡ଼ିଛି। ମାଇକ୍ରୋସଫ୍ଟର ୱିଣ୍ଡୋଜ୍ ସେବା ବନ୍ଦ ହୋଇଥିବାରୁ ବିଶ୍ଵବ୍ୟାପୀ ବ୍ୟାଙ୍କିଂ ଓ ବିମାନ ସେବା ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

ମାଇକ୍ରୋସଫ୍ଟ ସର୍ଭର ବନ୍ଦ ହୋଇଯିବା ଫଳରେ ବିଭିନ୍ନ ବିମାନ ବନ୍ଦରରେ ଯାତ୍ରୀମାନେ ଫ୍ଲାଇଟ୍ ଚେକ-ଇନ ସମୟରେ ସମସ୍ୟାର ସାମ୍ନା କରୁଛନ୍ତି। ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ସମତେ ଭୁବନେଶ୍ଵର ବିମାନ ବନ୍ଦରରେ ଯାତ୍ରୀଙ୍କ ମାନୁଆଲ୍ ଚେକ-ଇନ କରାଯାଇ ସେମାନଙ୍କୁ ବୋର୍ଡିଂ ପାସ ଦିଆଯାଉଛି। ଏହାସହ ଅନେକ ବିମାନ ଚଳାଚଳ ବାତିଲ କରାଯାଇଛି।

ମାଇକ୍ରୋସଫ୍ଟ ସହ ଅନୁବନ୍ଧିତ ଥିବା କ୍ରାଉଡଷ୍ଟ୍ରାଇକ ଫାଲକନ ପକ୍ଷରୁ ଆସିଥିବା ଏକ ସଫ୍ଟୱେର ଅପଡେଟ ଯୋଗୁଁ ସର୍ଭର କ୍ରାସ୍ କରିଥିବା କୁହାଯାଉଛି। ତେବେ ସର୍ଭରକୁ ପୁଣିଥରେ ସ୍ଵାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କମ୍ପାନି ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ମାଇକ୍ରୋସଫ୍ଟ ସର୍ଭର ଡାଉନ ଯୋଗୁଁ ବ୍ୟାଙ୍କିଂ ସେବା ସହ ଅନେକ ଷ୍ଟକ ଏକ୍ସଚେଞ୍ଜର କାରବାର ପ୍ରଭାବିତ ହୋଇଛି। ଶୁକ୍ରବାର ବିଶ୍ଵର ଅନ୍ୟତମ ବୃହତ ଷ୍ଟକ ମାର୍କେଟ ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜର ପ୍ରାରମ୍ଭିକ ବ୍ୟବସାୟ ମଧ୍ୟ ଠପ୍ ହୋଇ ଯାଇଛି।

ବିଶ୍ଵବ୍ୟାପୀ ବ୍ୟାଙ୍କିଂ ଓ ବିମାନ ସେବା ସହ ରେଳ, ଡାକ୍ତରଖାନା, ଇ-କମର୍ସ ଓ ଆଇଟି କ୍ଷେତ୍ର ମାଇକ୍ରୋସଫ୍ଟ ସର୍ଭର ଡାଉନ ଯୋଗୁଁ ବ୍ୟାପକ ପ୍ରଭାବିତ ହୋଇଥିବା କୁହାଯାଉଛି।  

Tags: #Microsoft #ServerDown #Banking #FlightOperations #ITServices #India

LEAVE A REPLY

Please enter your comment!
Please enter your name here