ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ଡିଜିଟାଲ ଯୁଗ କେବଳ ଇଣ୍ଟରନେଟ୍ ଯାଏଁ ସୀମିତ ରହିନାହିଁ। ଇଣ୍ଟରନେଟ୍ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ଡିଜିଟାଲ ଦୁନିଆରେ ଆଣିଛି ନୂଆ କ୍ରାନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମର ଇଣ୍ଟରନେଟ୍ ବ୍ୟବହାର କରିବାର ଶୈଳୀକୁ ବଦଳାଇଦେଇଛି। ଏହା ଆମର ଅନେକ ସମୟର ପରିଶ୍ରମକୁ ହାଲୁକା କରିଦେଉଛି। ଏହି ପରିପ୍ରେକ୍ଷୀରେ ଏବେ ସମଗ୍ର ବିଶ୍ଵରେ ଚହଳ ପକାଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ‘ଚାଟ୍-ଜିପିଟି’। ଏହାର ପୁରାନାମ ହେଉଛି ଚାଟ୍ ଜେନେରେଟିଭ ପ୍ରିଟ୍ରେନଡ୍ ଟ୍ରାନ୍ସଫରମର।

ଚାଟ୍-ଜିପିଟି କ’ଣ ?

ଚାଟ୍-ଜିପିଟି ହେଉଛି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ, ଯାହାକୁ ବ୍ୟବହାର କରି ଅତି ସହଜରେ ତଥ୍ୟ ହାସଲ କରାଯାଇପାରୁଛି। ଏହା ଏକ ଚାଟ୍ ବଟ୍ ଅର୍ଥାତ କେବଳ ଚାଟ୍ ବା କଥାବାର୍ତ୍ତା ମାଧ୍ୟମରେ ଏହି ପ୍ଲାଟଫର୍ମ ପରିଚାଳିତ ହୋଇଥାଏ।

ଯଦି ଚାଟ୍-ଜିପିଟିକୁ କୌଣସି ପ୍ରଶ୍ନ ପଚାରାଯାଏ ବା କୌଣସି କାର୍ଯ୍ୟ କରିବାକୁ କୁହାଯାଏ, ତେବେ ଏହା ସ୍ପଷ୍ଟ ଭାବେ ସେଗୁଡ଼ିକୁ ସମ୍ପାଦନ କରିଥାଏ। ଏହା ଫଳରେ ବ୍ୟବହାରକାରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼େ ନାହିଁ।

ଉଦାହାରଣସ୍ଵରୂପ, ଯଦି କେହି ଜଣେ ଚାଟ୍-ଜିପିଟିକୁ କୌଣସି ଏକ ବିଷୟରେ ନିବନ୍ଧ ଲେଖିବାକୁ କହେ କି କୌଣସି ଆବେଦନ ପତ୍ର ଲେଖିବାକୁ କହେ, ଏହାପରେ ଚାଟ୍-ଜିପିଟି ଅନେକ କମ ସମୟରେ ଏହି କାର୍ଯ୍ୟ କରିଦେଉଛି।

ଚାଟ୍-ଜିପିଟିକୁ ଆମେରିକାର ‘ଓପନ ଏଆଇ’ କମ୍ପାନି ଦ୍ଵାରା ବିକଶିତ କରାଯାଇଛି। ଏହାକୁ କମ୍ପାନି ପକ୍ଷରୁ ୨୦୨୨ ନଭେମ୍ବର ୩୦ ତାରିଖରେ ଲଞ୍ଚ କରଯାଇଥିଲା। ଲଞ୍ଚ ହେବାର ୫ ଦିନ ମଧ୍ୟରେ ଏହା ସହିତ ୧୦ ଲକ୍ଷରୁ ଅଧିକ ୟୁଜର୍ସ ଯୋଡ଼ି ହୋଇଥିଲେ। ଏତିକି ସଂଖ୍ୟକ ୟୁଜର୍ସ ଯୋଡ଼ିବାକୁ ଫେସବୁକ, ଟ୍ଵିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ୧ ବର୍ଷରୁ ଅଧିକ ସମୟ ଲାଗିଥିଲା

ଏବେ ଚାଟ୍-ଜିପିଟି ସହ ୧୦ କୋଟିରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି। ଚାଟ୍-ଜିପିଟିର ଲୋକପ୍ରିୟତା ଦେଖି କମ୍ପୁଟର ଦୁନିଆର ବଡ଼ କମ୍ପାନି ମାଇକ୍ରୋସଫ୍ଟ ଏଥିରେ ୧୦ ବିଲିୟନ ଡଲାର ନିବେଶ କରିବାକୁ ନିଷ୍ପତ୍ତି ନେଇଛି।

ଚାଟ୍-ଜିପିଟିର ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଅନେକ ବିଶେଷଜ୍ଞଙ୍କ ମତରେ ଏହା ଆଗକୁ ବ୍ୟବହାର ଦୃଷ୍ଟିରେ ଗୁଗୁଲକୁ ଫଛରେ ପକାଇଦେବ। ଚାଟ୍-ଜିପିଟିର ଉପକାରିତା ପାଇଁ ଏହା ମାନବ ଇତିହାସକୁ ଏକ ନୂଆ ମୋଡ଼ ଦେବ ବୋଲି ଅନେକ ଲୋକ ମତ ପ୍ରକାଶ କରୁଛନ୍ତି।

ଚାଟ୍-ଜିପିଟି କାର୍ଯ୍ୟ କିପରି କରେ ?

ଚାଟ୍-ଜିପିଟିକୁ ଯଦି କୌଣସି ବିଷୟରେ କାର୍ଯ୍ୟ କରିବାକୁ କୁହାଯାଏ ତେବେ ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ନିଂ ବ୍ୟବହାର କରି ବିଷୟବସ୍ତୁ ଉପରେ ତଥ୍ୟ ଯୋଗାଡ଼ କରେ। ଏହାପରେ ଏହି ତଥ୍ୟକୁ ସରଳରେ ବ୍ୟବହାରକାରୀ ବୁଝିପାରୁଥିବା ଭାଷାରେ ଉପଲବ୍ଧ କରାଏ। ଫଳରେ ବ୍ୟବହାରକାରୀକୁ କାର୍ଯ୍ୟ ପାଇଁ ବେଶୀ ପରିଶ୍ରମ କରିବାକୁ ପଡ଼େନାହିଁ।

ଚାଟ୍-ଜିପିଟି ଗୁଗଲଠାରୁ କିପରି ଭିନ୍ନ ?

ଆମେ ସମସ୍ତେ ପ୍ରତିଦିନ ବିଭିନ୍ନ ତଥ୍ୟ ହାସଲ କରିବା ପାଇଁ ଗୁଗଲ୍ ସର୍ଚ ଇଞ୍ଜିନର ସହାୟତା ନେଇଥାଉ। ଯେତେବେଳେ ଗୁଗଲକୁ କୌଣସି ବିଷୟରେ ତଥ୍ୟ ଦେବାକୁ କୁହାଯାଏ, ସେତେବେଳେ ଏହା କୁହାଯାଇଥିବା ବିଷୟ ସହ ସମ୍ବନ୍ଧିତ ସମସ୍ତ ତଥ୍ୟକୁ ଆମ ସାମନାରେ ରଖିଦିଏ। ସେଥିରୁ ଆମେ ଆମ ଆବଶ୍ୟକତା ଅନୁସାରେ ତଥ୍ୟ ସଂଗ୍ରହ କରିଥାଉ।

ଅନ୍ୟପକ୍ଷରେ ଯେତେବେଳେ ଚ୍ୟାଟ୍-ଜିପିଟିକୁ କୌଣସି ବିଷୟରେ ତଥ୍ୟ ପାଇଁ ପ୍ରଶ୍ନ କରାଯାଏ ବା କୌଣସି କାର୍ଯ୍ୟ କରିବାକୁ କୁହାଯାଏ। ଏହା ସିଧାସଳଖ ପ୍ରାସଙ୍ଗିକ ଉତ୍ତର ବ୍ୟବହାରକାରୀକୁ ଦେଇଥାଏ।

ତେବେ ବର୍ତ୍ତମାନ ଏହି ଚାଟ୍-ଜିପିଟି ଏକ ପ୍ରୋଟୋଟାଇପ୍ ଭର୍ସନ ଲଞ୍ଚ ହୋଇଥିବାବେଳେ ଆଗକୁ ‘ଓପନ ଏଆଇ’ କମ୍ପାନି ଏହାର ସମ୍ପୂର୍ଣ୍ଣ ଭର୍ସନକୁ ଲଞ୍ଚ କରିବାକୁ ଯୋଜନା ରଖିଛି।

Tags: #ChatGPT #ArtificialIntelligencePlatform #ChatBot #OpenAI #Microsoft #Internet #USA

LEAVE A REPLY

Please enter your comment!
Please enter your name here