ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ସମାଲୋଚକ ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ଏବେ ଇଣ୍ଟରନେଟ୍‌ରେ। ଗୋଟିଏ କ୍ଲିକ୍‌ରେ ଆପଣ ପାଇପାରିବେ ଏହି ପ୍ରସିଦ୍ଧ ସମାଲୋଚନା ମୂଳକ ପତ୍ରିକାର ପୃଷ୍ଠା। ବର୍ତ୍ତମାନ ମିଳିଥିବା ନିଆଁଖୁଣ୍ଟାର ସଂଖ୍ୟାଗୁଡ଼ିକୁ ଡିଜିଟାଇଜ୍ କରିଛି ଭୁବନେଶ୍ୱରର ସୃଜନିକା ଅନୁଷ୍ଠାନ। ଏହା ଓଡ଼ିଆ ବିଭବ ୱେବ୍‌ସାଇଟ୍ (https://odiabibhaba.in)ରେ ଉପଲବ୍ଧ। ଏଥିରୁ ଡାଉନ୍‌ଲୋଡ୍‌ କରି ଯେ କୌଣସି ବ୍ୟକ୍ତି ରଖିପାରିବେ।

୧୯୩୮ ମସିହାରେ ଏହି ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଥିଲା। ଏହି ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜ୍ୟରେ ହେଉଥିବା କାମ ବା ଘଟଣାର ଗଠନମୂଳକ ସମାଲୋଚନା କରିବା। ବହୁ କ୍ଷେତ୍ରରେ ରାଜନୀତିର ଭିତିରି କଥାକୁ ବେଶ ରୋଚକ ଢଙ୍ଗରେ ଏହି ପତ୍ରିକାରେ ପ୍ରକାଶ କରାଯାଉଥିଲା। ତେବେ ଏହି ପତ୍ରିକାକୁ ଡିଜିଟାଇଜ୍ କରିବା ପାଇଁ ଗୋଦାବରୀଶ ମହାପାତ୍ରଙ୍କ ପୁଅ ଭବାନୀଶଙ୍କର ମହାପାତ୍ରଙ୍କ ସହଯୋଗ ବିନା ସମ୍ଭବ ହୋଇ ପାରିନ‌ଥାନ୍ତା ବୋଲି ସୃଜନିକା ପକ୍ଷରୁ କୁହାଯାଇଛି।

ଏବେ ନିଆଁଖୁଣ୍ଟା ବହୁ ସଂଖ୍ୟା ମିଳିପାରି ନାହିଁ। କୌଣସି ବ୍ୟକ୍ତି ଏଗୁଡ଼ିକ ଯୋଗାଇ ଦେଲେ ଆଗାମୀ ଦିନରେ ସେଗୁଡିକ ଏହି ୱେବ୍‌ସାଇଟ୍ ଯୋଡ଼ି ଦିଆଯାଇପାରିବ ବୋଲି ଉଭୟ ସୃଜନିକା ଓ ଗୋଦାବରୀଶ ମହାପାତ୍ରଙ୍କ ପରିବାର ପକ୍ଷରୁ କୁହାଯାଇଛି।

ବହୁ ବିରଳ ପତ୍ରପତ୍ରିକା, ବହିପତ୍ରକୁ ଡିଜିଟାଲ୍‌ ମାଧ୍ୟମରେ ସଂରକ୍ଷଣ କରି ରଖିବା ପାଇଁ ପ୍ରାୟ୧୫ ବର୍ଷ ତଳୁ ଉଦ୍ୟମ ଆରମ୍ଭ କରିଛି ସୃଜନିକା। ଏହା କ୍ରମରେ ଗତ ୨୦୧୭ରେ ଓଡ଼ିଆ ବିଭବ ୱେବ୍‌ସାଇଟ୍‌ର ସୃଷ୍ଟି। ବର୍ତ୍ତମାନ ଏହି ୱେବ୍‌ସାଇଟ୍‌ରେ ଲକ୍ଷ ଲକ୍ଷ ପୃଷ୍ଠାର ପୁରୁଣା ଓ ବହୁ ବିରଳ ମୁଦ୍ରିତ ସାମଗ୍ରୀ ସଂରକ୍ଷିତ ହୋଇ ରହିଛି। ଆଗକୁ ଆହୁରି ଏକାଧିକ ଲେଖକଙ୍କ ଡିଜିଟାଲ ସଂକଳନ ସହ ବହୁ ବହିପତ୍ର ଓ ପତ୍ରିକା ଏଥିରେ ଯୋଡ଼ା ହେବ ବୋଲି ସୃଜନିକା ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏହି ସଂରକ୍ଷଣ ଅଭିଯାନକୁ ଆଗେଇ ନେବାକୁ ଅଧିକରୁ ଅଧିକ ଲୋକଙ୍କ ସକ୍ରିୟ ସହଯୋଗ ଜରୁରୀ। ନିଜ ପାଖରେ ଏବଂ ନିଜ ପରିଚିତଙ୍କ ପାଖରେ ଥିବା ପୁରୁଣା ବହି, ପତ୍ରିକା ସୃଜନିକାକୁ ଦେଲେ ତାକୁ ଡିଜିଟାଇଜ୍‌ କରି ସଂରକ୍ଷିତ କରାଯାଇ ପାରନ୍ତା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Comment