ମିନତି ମିଶ୍ର

ନିଜର ପଡ଼ୋଶୀ ଦେଶଗୁଡ଼ିକୁ ନେଇ ଦିନକୁ ଦିନ ବଢୁଛି ଭାରତର ଚିନ୍ତା। ପ୍ରଥମେ ମାଳଦୀପରେ ମହମ୍ମଦ ମୋଇଜ୍ଜୁ କ୍ଷମତାକୁ ଆସିବା ପରେ ରାଜନୈତିକ ସମୀରକଣ ବଦଳିଥିଲା। ତାପରେ ବାଂଲାଦେଶରେ କ୍ଷମତା ବଦଳିବାର ଝଡ଼ ଆଉ ଏକ ଚାପ ଥିଲା ଭାରତ ପାଇଁ। ଏବେ ଶ୍ରୀଲଙ୍କାରେ ରାଜନୈତିକ ପଟ ପରିବର୍ତ୍ତନ ହେବା ଭାରତ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।  

ଆଉ ଏକ ଭଲ ପଡ଼ୋଶୀକୁ ହରାଇବ କି ଭାରତ?

ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କା ସହ ଭାରତର କୂଟନୈତିକ ସମ୍ପର୍କ ଭଲ ରହିଛି। ମହିନ୍ଦା ରାଜପକ୍ଷେ, ମୈତ୍ରୀପାଲ ସିରିସେନା ତଥା ଗୋଟାବୟା ରାଜପକ୍ଷେ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିବା ସମୟରେ ଭାରତ ସହ ସମ୍ପର୍କ ସୁଦୃଢ଼ ହୋଇଥିଲା। ଏପରିକି ୨ ବର୍ଷ ତଳେ ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସମୟରେ ଭାରତ ବହୁତ ସହାୟତା ମଧ୍ୟ କରିଥିଲା।    

ଶ୍ରୀଲଙ୍କାରେ ଏବେ ହୋଇଛି କ୍ଷମତାର ପରିବର୍ତ୍ତନ। ଶ୍ରୀଲଙ୍କାରେ ଅନୁରା କୁମାରା ଦିସାନାୟକେ ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଦିସାନାୟକେ ପ୍ରତ୍ୟକ୍ଷ ଭାବେ ନ ହେଲେ ବି ଅନେକ ଥର ଚୀନ ସପକ୍ଷରେ ମତ ଦେଇଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କ ଶାସନ କାଳରେ ଭାରତ ଆଉ ଜଣେ ଭଲ ପଡ଼ୋଶୀକୁ ପୁଣି ହରେଇବନି ତ? ଏମିତି କିଛି ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।

ଭାରତ ପ୍ରତି କେମିତି ରହିବ ଦିସାନାୟକେଙ୍କ ଆଭିମୁଖ୍ୟ?

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ହୋଇଛି। ୫୬ ବର୍ଷୀୟ ଅନୁରା କୁମାରା ଦିସାନାୟକେ ଜଣେ ବାମପନ୍ଥୀ ନେତା ଭାବେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛନ୍ତି। ଦିସାନାୟକେଙ୍କ ଉପରେ ଚାପ ଅନେକ। ପ୍ରଥମତଃ ଶ୍ରୀଲଙ୍କାର ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଏବେ ବି ଦୁର୍ବଳ ରହିଛି। ଏପରି ସ୍ଥିତିରେ ଭାରତ ପ୍ରତି ଦିସାନାୟକେଙ୍କ ଆଭିମୁଖ୍ୟ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର।

ବାମପନ୍ଥୀ ନେତା ଦିସାନାୟକେ

ଦିସାନାୟକେଙ୍କ ଦଳ ଏନପିପି ଏହା ପୂର୍ବରୁ ଅନେକ ଥର ଭାରତ ବିରୋଧୀ ମନ୍ତବ୍ୟ ଦେଇଛି। ତେବେ ବାମପନ୍ଥୀ ଚିନ୍ତାଧାରାର ନେତା ଦିସାନାୟକେ ଶ୍ରମିକ ଏବଂ ମଧ୍ୟମ ବର୍ଗଙ୍କ ସହ ଛିଡ଼ା ହୋଇଥାନ୍ତି ବୋଲି କୁହନ୍ତି। ଶ୍ରୀଲଙ୍କାରେ ଦକ୍ଷିଣପନ୍ଥୀ ଦଳ ଆଜି ଯାଏଁ କ୍ଷମତାରେ ରହି ଆସିଥିଲେ। ଗୋୟବାୟା ରାଜପକ୍ଷେଙ୍କ ସମୟରେ ଯେତେବେଳେ ଦେଶର ସ୍ଥିତି ବିଗିଡ଼ିବାକୁ ଲାଗିଲା ସେତେବେଳେ ଦିସାନାୟକେ ତାଙ୍କର ଦୃଢ଼ ବିରୋଧ କରୁଥିଲେ। ଏପରିକି ଦୁର୍ନୀତି ବିରୋଧୀ ନେତା ଭାବେ ତାଙ୍କର ଏକ ଛବି ଲୋକଙ୍କ ମନରେ ତିଆରି ହୋଇଥିଲା। ତାଙ୍କର ଏହି ଭାବମୂର୍ତ୍ତି ତାଙ୍କୁ ଏଥର ନିର୍ବାଚନରେ ବିଜୟୀ କରାଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି।

ଦୁଇ ଦେଶ ପାଇଁ ଶ୍ରୀଲଙ୍କାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭାରତ ମହାସାଗରରେ ଶ୍ରୀଲଙ୍କା ଏମିତି ଏକ ସ୍ଥାନରେ ରହିଛି ଯାହା ସାମୁଦ୍ରିକ ବ୍ୟବସାୟର କେନ୍ଦ୍ର ବିନ୍ଦୁ। ପଶ୍ଚିମ ଓ ପୂର୍ବ ଏସିଆକୁ ସଂଯୋଗ କରୁଥିବା ସମୁଦ୍ରପଥରେ ରହିଥିବା ଏହି ଦେଶର ଅନ୍ତର୍ଜାତୀୟ ବ୍ୟବସାୟର ଭଲ ସୁଯୋଗ ରହିଛି।

ଚୀନ ଏବଂ ଭାରତ ଉଭୟ ଏହି ଦେଶରେ ନିଜ ଉପସ୍ଥିତି ଜାହିର କରିବାକୁ ଚାହାଁନ୍ତି। ହେଲେ ଚୀନର ଆଧିପତ୍ୟ ବିସ୍ତାର କରିବା ମନୋବୃତ୍ତି ଯୋଗୁଁ ସେ ଗୋଟିଏ ପାଦ ଆଗେଇ ଯାଇ ଅର୍ଥ ବଳରେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦର ଉପର ନିଜର ଅଧିକାର ଜାହିର କରିବାରେ ସକ୍ଷମ ହୋଇଛି।

ସାମରିକ ଦୃଷ୍ଟିରୁ ଦେଖିଲେ, ମହାସାଗରର ଏହି ଭାଗର ବିଶେଷ ଗୁରୁତ୍ୱ ରହିଛି। ଶ୍ରୀଲଙ୍କା ଭାରତର ଦକ୍ଷିଣ ଉପକୂଳରେ ରହିଛି। ସେଥିପାଇଁ ଭାରତ ଶ୍ରୀଲଙ୍କା ସହ ଭଲ ସମ୍ପର୍କ ରଖିବାକୁ ଚାହିଁବ। କାରଣ ଏହା ନୌସେନା ରଣନୀତି ପାଇଁ ଭାରତର ବେଶ କାମରେ ଆସିବ। ତା ଛଡା, ଦୁଇ ଦେଶ ଚୀନ ଓ ଭାରତ ଶ୍ରୀଲଙ୍କାରେ ନିବେଶ କରିଛନ୍ତି। ଚୀନ ଏଠାରେ ଅଧିକ ଅର୍ଥ ବିନିଯୋଗ କରିଛି ସତ ହେଲେ ଅଧିକ ଅର୍ଥ ଆଦାୟ ବି କରୁଛି।

ଦିସାନାୟକେଙ୍କ ପାଇଁ ସବୁଠାରୁ ବଡ଼ ଦାୟିତ୍ୱ ହେଉଛି ୨୦୨୨ରେ ଦେଖା ଦେଇଥିବା ଅସ୍ଥିରତା ଦୂର କରିବା। ତା’ ଛଡ଼ା ବିଦେଶ ନୀତି ସନ୍ତୁଳନ କରି ରଖିବା ମଧ୍ୟ ତାଙ୍କ ପାଇଁ ଆଉ ଏକ ଚ୍ୟାଲେଞ୍ଜ। ପୂର୍ବରୁ ଯେଉଁମାନେ କ୍ଷମତାକୁ ଆସିଥିଲେ ସମସ୍ତେ ଏମିତି ବିଦେଶ ନୀତି କରିଥିଲେ ଯେଉଁଥିରେ ଭାରତ ଏବଂ ଚୀନ ଉଭୟଙ୍କୁ ସମାନ ମର୍ଯ୍ୟାଦାରେ ରଖିବାର ଚେଷ୍ଟା ଥିଲା।

ଏବେ ଶ୍ରୀଲଙ୍କାରେ ପରିସ୍ଥିତି ସମ୍ପୂର୍ଣ ଅଲଗା। ଏହାର ରାଷ୍ଟ୍ରପତି ଜଣେ ବାମପନ୍ଥୀ ବିଚାରଧାରର ନେତା। ତେଣୁ ଏପରି ସ୍ଥିତିରେ ସେ ଚୀନ ଆଡ଼କୁ ଅଧିକ ଢଳିବାର ଆଶଙ୍କା ରହିଛି।

Tags: #SriLanka #NewGovt #AnuraKumaraDissanayake #ForeignRelations #India

LEAVE A REPLY

Please enter your comment!
Please enter your name here