ମିନତି ମିଶ୍ର
‘ଯାହା ନ ହୋଇଲା ବାଳୁତ କାଳେ..ତାହା ହେଉଛି ଏବେ ପାଚିଲା ବାଳେ’… ଏମିତି ଓଲଟା ରୂଢ଼ି ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ ନିଶ୍ଚୟ। ଏପରି ଉକ୍ତିକୁ ସତ୍ୟ ପ୍ରମାଣିତ କରି ପାରିଥିବା ଅନେକ ବ୍ୟକ୍ତି ଏ ଦୁନିଆରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ବିଷୟରେ ଆମେ କହିବାକୁ ଯାଉଛୁ। ସେ ହେଉଛନ୍ତି ଗୁଜରାଟର ବକୁଳାବେନ ପଟେଲ।
ଯେଉଁ ବୟସରେ ସାଧାରଣତଃ ପୁଅ, ବୋହୂ, ନାତିନାତୁଣୀଙ୍କ ସେବାର ଅପେକ୍ଷାରେ ମଣିଷ ଦିନ କାଟୁଥାଏ, ସେହି ବୟସରେ ଏହି ମହିଳା ଜଣଙ୍କ ସନ୍ତରଣ କରି ମେଡାଲ ସାଉଁଟି ଚାଲିଛନ୍ତି। ସୁରଟର ବାସିନ୍ଦା ବକୁଳାବେନ ୮୦ ବର୍ଷ ବୟସରେ ବିଚକ୍ଷଣ ଭାବେ ସନ୍ତରଣ କରି ପାରୁଛନ୍ତି। ପହଁରାରେ ସେ ୫୦୦ରୁ ଅଧିକ ମେଡାଲ ଏବଂ ଟ୍ରଫି ଜିତି ସାରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ୫୯ ବର୍ଷରେ ସେ ଏହି କାମ ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ ଜଣେ ସାଧାରଣ ଗୃହିଣୀ ଥିଲେ। ଏହା ବ୍ୟତୀତ ବକୁଳାବେନ ଭାରତନାଟ୍ୟମରେ ଏମଏ କରିଛନ୍ତି। ଭାରତନାଟ୍ୟମ ପରିବେଷଣ କରୁଥିବା ସବୁଠାର ବୟସ୍କା ମହିଳା ଭାବେ ଲିମକା ବୁକ ଅଫ ରେକର୍ଡରେ ନିଜ ନାମ ସାମିଲ କରିପାରିଛନ୍ତି।
ସଂଘର୍ଷମୟ ବାଲ୍ୟ ଜୀବନ
ବକୁଳାବେନଙ୍କ ବାଲ୍ୟ ଜୀବନ ଖୁବ ସଂଘର୍ଷମୟ ଥିଲା। ଛୋଟ ଥିବାବେଳେ ସେ ତାଙ୍କ ପିତାମାତାଙ୍କୁ ହରାଇଥିଲେ। ସେଥିପାଇଁ ତାଙ୍କର ପାଠପଢ଼ା ବନ୍ଦ ହୋଇ ଯାଇଥିଲା। ତାଙ୍କୁ ବନ୍ଧୁବାନ୍ଧବଙ୍କ ଘରେ ରହିବାକୁ ପଡ଼ିଲା। ତେଣୁ ନିଜର ସ୍ୱପ୍ନ, ଆଶା, ଆକାଂକ୍ଷା କ’ଣ ସେ ବିଷୟରେ ଭାବିବାକୁ କେବେ ସୁଯୋଗ ପାଇ ନଥିଲେ। ତେବେ ଖେଳ ପ୍ରତି ତାଙ୍କର ରୁଚି ଥିଲା ଏତିକି ସେ ଅନୁଭବ କରିଥିଲେ। ନବମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କର ବିବାହ ହୋଇ ଯାଇଥିଲା।
ନାତିନାତୁଣୀଙ୍କୁ ଦେଖି ମନେ ପଡ଼ିଲା ପିଲାବେଳର ସ୍ୱପ୍ନ
୫୦ ବର୍ଷ ଯାଏଁ ବକୁଳାବେନ ଗାଁରେ ରହି ନିଜ ଘର ସଂସାର ସମ୍ଭାଳିଥିଲେ। ତଥାପି ଭାଗ୍ୟର ପରୀକ୍ଷା ତାଙ୍କର ସରି ନ ଥିଲା। ୧୯୯୪ ମସିହାରେ ସ୍ୱାମୀ ତାଙ୍କର ହାତ ଛାଡ଼ି ଆରପାରିକୁ ଚାଲିଗଲେ। ଏମିତି ନିଃସଙ୍ଗ ସମୟରେ ତାଙ୍କର ସାଥୀ ଥିଲେ ନାତିନାତୁଣୀ। ପ୍ରତିଦିନ ନାତିନାତୁଣୀମାନଙ୍କୁ ସ୍କୁଲ ନେବା ଆଣିବା ତାଙ୍କର ମୁଖ୍ୟ କାମ ଥିଲା। ସ୍କୁଲରେ ପିଲାମାନେ ଖେଳକୁଦ କରୁଥିବା ଦେଖି ତାଙ୍କ ଭିତରେ ନିଜ ପିଲାବେଳର ସ୍ୱପ୍ନ ପୁଣି ଜାଗି ଉଠିଲା।
୫୯ ବର୍ଷରେ ଶିଖିଲେ ସୁଇମିଂ
୫୯ ବର୍ଷ ବୟସରେ ବକୁଳାବେନଙ୍କର ସନ୍ତରଣ ପ୍ରତି ଆଗ୍ରହ ଦେଖା ଦେଇଥିଲା। ସେ ସୁଇମିଂ ଟ୍ରେନିଂ ନେବାକୁ ଆରମ୍ଭ କରିଥିଲେ। ଏ ବୟସରେ ପହଁରା ଶିଖିବା ଏତେ ସହଜ ନଥିଲା। ତଥାପି ତାଙ୍କର ମନୋବଳ ଭାଙ୍ଗି ନଥିଲା। ସେ ଯେଉଁଠି ପହଁରା ଶିଖୁଥିଲେ ସେଠାରେ ତାଙ୍କ ବୟସର କେହି ଜଣେ ବି ନ ଥିଲେ। ହେଲେ ବକୁଳାବେନଙ୍କର ସେଥିପ୍ରତି ଖାତିର ନ ଥିଲା। ସେ ତାଙ୍କର ଶିଖିବା ଜାରି ରଖିଥିଲେ।
ଆଟଲାଣ୍ଟିକ ଓ ପ୍ରଶାନ୍ତ ମହାସାଗରରେ ପହଁରିଛନ୍ତି ବକୁଳାବେନ
ବକୁଳାବେନଙ୍କ ଆଜି ୮୦ ବର୍ଷ ବୟସରେ ଉପନୀତ। ଏହାରି ଭିତରେ ସେ ୧୬ଟି ଦେଶକୁ ଯାଇ ସନ୍ତରଣ କରି ସାରିଲେଣି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ୫୦୦ରୁ ଅଧିକ ମେଡଲ ଏବଂ ଟ୍ରଫି ଜିତି ସାରିଲେଣି। ଏପରିକି ସେ ଆଟଲାଣ୍ଟିକ ମହାସାଗର ଏବଂ ପ୍ରଶାନ୍ତ ମହାସାଗରରେ ସୁଇମିଂ କରିଛନ୍ତି। ବଙ୍ଗୋପସାଗରରେ ୧୯ କିଲୋମିଟର ପହଁରିଛନ୍ତି।
ଭାରତନାଟ୍ୟମରେ ଲିମକା ବୁକ ଅଫ ରେକର୍ଡସ
ସୁଇମିଂ ବ୍ୟତୀତ ସାଂସ୍କୃତିକ ନୃତ୍ୟରେ ବି ମାହିର ବକୁଳାବେନ। ଭାରତନାଟ୍ୟମରେ ସେ ଏମଏ ପାସ କରିଛନ୍ତି। ୭୫ ବର୍ଷ ବୟସରେ ସେ ମଞ୍ଚ ଉପରେ ଅଢ଼େଇ ଘଣ୍ଟା ଭାରତନାଟ୍ୟମ କରି ଲିମକା ବୁକ ଅଫ ରେକର୍ଡସ ହାସଲ କରିଛନ୍ତି।
ଶୃଙ୍ଖଳିତ ଜୀବନଶୈଳୀ
ବକୁଳାବେନଙ୍କ ଜୀବନଶୈଳୀ ଖୁବ ଶୃଙ୍ଖଳିତ। ସେ ସବୁଦିନ ସକାଳ ୪ଟାରୁ ଉଠନ୍ତି। ସୁଇମିଂ କରିବା ପାଇଁ ୫ କିଲୋମିଟର ବାଟ ଚାଲି ଚାଲି ଯାଆନ୍ତି। ବକୁଳାବେନ ମାରାଥନ, ଯୋଗ ଏବଂ ସାଇକ୍ଲିଂ ବି କରନ୍ତି। ଏବେ ସେ ଜଣେ ସୁଇମିଂ ପ୍ରଶିକ୍ଷକ। ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ତାଙ୍କଠାରୁ ସୁଇମିଂ ଶିଖିବା ସହ ପ୍ରେରଣା ପାଇଥାନ୍ତି।
Tags: #BakulabenPatel #OldAgeSwimmer #RoleModel #Surat #Gujrat