ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ କୋରିଆରେ ଘଟିଛି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା। ଏଥିରେ ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଭୟାବହ ଦୁର୍ଘଟଣା ପରେ ସମଗ୍ର ଦକ୍ଷିଣ କୋରିଆରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହି ଦୁର୍ଘଟଣାର କାରଣକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କେମିତି ହୋଇଥିଲା ଦୁର୍ଘଟଣା
ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜେଜୁ ଏୟାରର ଏକ ବୋଇଂ ୭୩୭-୮୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରବିବାର ଅପରାହ୍ଣରେ ଏହି ବିମାନଟି ଥାଇଲାଣ୍ଡର ବ୍ୟାଙ୍କକରୁ ଆସୁଥିଲା। ଏଥିରେ ମୋଟ ୧୮୧ ଜଣ ଯାତ୍ରୀ ଥିଲେ। ବିମାନରେ ଅଧିକାଂଶ ଦକ୍ଷିଣ କୋରିଆର ନାଗରିକ ଯାତ୍ରା କରୁଥିଲେ।
ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନଟି ଚକ ବିନା ଲ୍ୟାଣ୍ଡିଂ କଲାବେଳେ ରନୱେରେ ଖସି ପଡ଼ିଥଲା। ପରେ ନିୟନ୍ତ୍ରଣ ହରାଇ କଂକ୍ରିଟ କାନ୍ଥରେ ଧକ୍କା ଖାଇବାରୁ ଏଥିରେ ବିସ୍ଫୋରଣ ହୋଇଥିଲା। ବିମାନରେ ପକ୍ଷୀ ମାଡ଼ ହେବା ଯୋଗୁଁ ଏହାର ଲ୍ୟାଣ୍ଡିଂ ଗିୟର ଖରାପ ହୋଇ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି। ହେଲେ ବିଶେଷଜ୍ଞମାନେ ଏହି ନିଷ୍ପତ୍ତି ସହ ଏକମତ ହୋଇପାରୁ ନାହାନ୍ତି। ଏନେଇ ଏବେ ତଦନ୍ତକାରୀମାନେ ଅନୁସନ୍ଧାନ କରୁଛନ୍ତି।
ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀ ଏବଂ ପୀଡ଼ିତ
ଦୁର୍ଘଟଣାରୁ ମାତ୍ର ୨ ଜଣ ଯାତ୍ରୀ ବଞ୍ଚି ଯାଇଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜରୁରୀକାଳୀନ ଅଧିକାରୀମାନେ ସୂଚନା ଦେଇଛନ୍ତି। ୧୭୯ ମୃତକଙ୍କ ମଧ୍ୟରୁ ୮୫ ଜଣ ମହିଳା, ୮୪ ଜଣ ପୁରୁଷ ଏବଂ ୧୦ଟି ଅଜଣା ମୃତଦେହ ରହିଛି। ସେମାନଙ୍କ ମଧ୍ୟରୁ ଏଯାଏଁ କେବଳ ୮୮ ଜଣଙ୍କର ପରିଚୟ ମିଳିପାରିଛି।
ଉଦ୍ଧାର କାର୍ଯ୍ୟରୁ ବିମାନରେ ଥିବା ଦୟନୀୟ ଅବସ୍ଥା ସାମ୍ନାକୁ ଆସିଥିଲା। ଅଧିକାରୀମାନେ କହିଛନ୍ତି ଯେ ଅନେକ ଯାତ୍ରୀ ଅଗ୍ନିକାଣ୍ଡରୁ ବର୍ତ୍ତି ପାରି ନଥିବା ବେଳେ ବିମାନରୁ ବାହାରକୁ ଆସିଥିବା ଅନ୍ୟମାନେ ବଞ୍ଚିବାର ସମ୍ଭାବନା କମ୍ ଥିଲା।
ସରକାରୀ ପ୍ରତିକ୍ରିୟା
ଜେଜୁ ଏୟାର କ୍ଷମା ପ୍ରାର୍ଥନା କରିବା ସହ ଦୁର୍ଘଟଣା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛି। ଏୟାରଲାଇନ୍ସ ଜୋର ଦେଇ କହିଛି ଯେ ବିମାନର ନିୟମିତ ରକ୍ଷଣାବେକ୍ଷଣ କରାଯାଇଥିଲା ଏବଂ ବିମାନରେ ପୂର୍ବରୁ କୌଣସି ଯାନ୍ତ୍ରିକ ସମସ୍ୟା ଦେଖାଯାଇ ନଥିଲା। ତେବେ ସରକାରୀ ତଦନ୍ତର ଫଳାଫଳକୁ ଅପେକ୍ଷା କରି କମ୍ପାନି ସମ୍ଭାବ୍ୟ କାରଣ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି।
ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ଦକ୍ଷିଣ କୋରିଆ ସରକାର ୨୦୨୫ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଦେଶର ଜାତୀୟ ପତାକା ତଳକୁ ଓହ୍ଲାଇ ଦିଆଯାଇଛି ଏବଂ ଦେଶର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।
ବିଶେଷଜ୍ଞଙ୍କ ବିଶ୍ଳେଷଣ
ବିଶିଷ୍ଟ ଫ୍ଲାଇଟ୍ ସେଫ୍ଟି ଏକ୍ସପର୍ଟ କ୍ରିଷ୍ଟିଆନ୍ ବେକର୍ଟ ଏହି ଦୁର୍ଘଟଣା ପଛରେ ପକ୍ଷୀ ମାଡ଼ ହେବା କାରଣକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଆକାଶ ମାର୍ଗରେ ପକ୍ଷୀ ମାଡ଼ ହେଲେ ଲ୍ୟାଣ୍ଡିଂ ଗିୟର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ନଥାଏ ବୋଲି ସେ କହିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଲ୍ୟାଣ୍ଡିଂ ଗିଅର ଖୋଲିବା ପାଇଁ ବିମାନରେ ବିକଳ୍ପ ବ୍ୟବସ୍ଥା ରହିଥାଏ ବୋଲି ବେକର୍ଟ କହିଛନ୍ତି।
ଏହି ଦୁର୍ଘଟଣାର କାରଣକୁ ବିଶ୍ଲେଷଣ କରୁଥିବା ବିଶେଷଜ୍ଞମାନେ କହିଛନ୍ତି, ବିମାନର ପାଇଲଟ୍ ‘ମେ’ ଡେ’ କଲ୍ ଜାରି କରି ବିପରୀତ ଦିଗରେ ଅବତରଣ କରିବାକୁ ଚେଷ୍ଟା କରିବାରୁ ଏହି ଦୁର୍ଘଟଣା ଘଟିଥିଲା। ବକିଂହାମସାୟାର ନ୍ୟୁ ୟୁନିଭର୍ସିଟିର ବିମାନ ଚଳାଚଳ ପରିଚାଳନାର ବରିଷ୍ଠ ଅଧ୍ୟାପକ ମାର୍କୋ ଚାନ୍ ଦୁର୍ଘଟଣା ପାଇଁ ପାଇଲଟଙ୍କ ଆଡ଼କୁ ଅଙ୍ଗୁଳି ଉଠାଉଛନ୍ତି।
ଏହି ଭୟଙ୍କର ଦୁଃଖଦ ଘଟଣା ଦକ୍ଷିଣ କୋରିଆକୁ ଦୋହଲାଇ ଦେଇଛି ଏବଂ ବିମାନ ଚଳାଚଳ ନିରାପତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଦନ୍ତକାରୀମାନେ ସତ ପଦାକୁ ଆଣିବା ପାଇଁ କାମ କରୁଥିବା ବେଳେ ଦେଶବାସୀ ମୃତକଙ୍କ ପାଇଁ ଶୋକ ପ୍ରକାଶ କରୁଛନ୍ତି।
Tags: #JejuAir #PlaneCrash #FlightSafety #Muan #SouthKorea