ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ୟାଘର ପକ୍ଷରୁ ଖାଦ୍ୟ ପରଷିବାରେ ବିଳମ୍ବ ହେବାରୁ ବାହାଘର ଭାଙ୍ଗିଦେଲା ବର
ହସ ଖୁସିର ପରିବେଶ ଭିତରେ ଆୟୋଜନ ହେଉଥିବା ବାହାଘର ସାମାନ୍ୟ କାରଣ ପାଇଁ ଭାଙ୍ଗିଗଲା। ଅଧାରେ ରହିଗଲା ଗୋଟିଏ ଝିଅର ସଂସାର ଗଢ଼ିବାର ସ୍ୱପ୍ନ। ସାମନ୍ୟ ଭୋଜି ପରଷିବାରେ ବିଳମ୍ବକୁ ନେଇ ବାହାଘର ଭାଙ୍ଗି ବେଦି ନିକଟରୁ ଫେରିଗଲା ବର। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଚାନ୍ଦୌଲି ଜିଲ୍ଲାର ହମିଦପୁର ଗାଁରେ। ଏହି ଘଟଣା ଏବେ ଉତ୍ତରପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ବିବାହ ବେଳେ ଭୋଜି ପାଇଁ ବିଶୃଙ୍ଖଳା
ସାତ ମାସ ଧରି ଉଭୟ ବର ଏବଂ କନ୍ୟା ପକ୍ଷରୁ ବିବାହ ପାଇଁ କେତେ କ’ଣ ଆୟୋଜନ କରାଯାଇଥିଲା। ସମୟ ଆସିଲା, ପାରମ୍ପରିକ ରୀତିନୀତିରେ ଆରମ୍ଭ ହେଲା ବିବାହ କାର୍ଯ୍ୟ। କନ୍ୟାଙ୍କ ପରିବାର ଲୋକେ ବରପକ୍ଷଙ୍କୁ ମିଠା ଦେଇ ସ୍ୱାଗତ କରିବା ସହ ରାତ୍ରୀ ଭୋଜନରେ ଆପ୍ୟାୟିତ କରିବା ଆରମ୍ଭ କରିଥିଲେ। ତେବେ ବର ପକ୍ଷର ଜଣେ ସଦସ୍ୟ ଖାଦ୍ୟ ପରଷିବାକୁ ନେଇ ଆଣିଥିଲେ ଅଭିଯୋଗ। ଏହି ଅଭିଯୋଗ ପରେ ଆରମ୍ଭ ହୋଇଥିଲା ବିଶୃଙ୍ଖଳା।
ଧୀରେ ଧୀରେ ସାମାନ୍ୟ ଲାଗୁଥିବା ଏହି ଘଟଣାଟି ଉଗ୍ର ରୂପ ଧାରଣ କରିଥିଲା। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ବରପକ୍ଷଙ୍କୁ ଶାନ୍ତ କରିବାକୁ ବର ସାଜିଥିବା ମେହେତାବ ବହୁ ଚେଷ୍ଟା କରିଥିଲେ। କନ୍ୟାପକ୍ଷ ଏହି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା।
ମଣ୍ଡପ ନିକଟରୁ ବର ଫେରାର
ଉଭୟ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହୋଇନପାରିବାରୁ ବିବାହ ମଣ୍ଡପ ଛାଡ଼ି ଫେରାର ହୋଇଯାଇଥିଲେ ବର। କନ୍ୟାପକ୍ଷ ବହୁତ ଖୋଜିଥିଲେ ମଧ୍ୟ ବରଙ୍କୁ ପାଇନଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବର ବେଦି ଛାଡ଼ି ଅନ୍ୟ ଜଣେ ଝିଅଙ୍କୁ ବିବାହ କରିବାକୁ ଯାଇଥିଲେ। କନ୍ୟା ଘର ଲୋକ ବର ପାଖରେ ପହଞ୍ଚିବା ବେଳକୁ ସେ ଜଣେ ସମ୍ପର୍କୀୟାଙ୍କୁ ବିବାହ କରିସାରିଥିବା ଦେଖିବାକୁ ମିଳିଥିଲା। ବରଙ୍କର ଏହି କାର୍ଯ୍ୟ ଯୋଗୁଁ କନ୍ୟା ଓ ତାଙ୍କ ପରିବାର ଲୋକଙ୍କୁ ଅପମାନିତ ହେବାକୁ ପଡ଼ିଥିଲା।
ଏହି ଘଟଣାକୁ ନେଇ ବର ଏବଂ ତାଙ୍କ ପରିବାର ବିରୋଧରେ କନ୍ୟା ନିଜ ପରିବାର ସହ ଥାନାକୁ ଯାଇ ଅଭିଯୋଗ କରିଥିଲେ। ଇଣ୍ଡଷ୍ଟ୍ରିଆଲ ନଗର ଥାନା ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେମାନେ ଗତ ଡିସେମ୍ବର ୨୪ ତାରିଖରେ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଯୌତୁକ ବାବଦରେ ଦିଆଯାଇଥିବା ଦେଢ଼ ଲକ୍ଷ ଟଙ୍କା ଏବଂ ବିବାହ ଆୟୋଜନ ପାଇଁ ପାଖାପାଖି ୭ ଲକ୍ଷ ଟଙ୍କାର ଆର୍ଥିକ କ୍ଷତି ହୋଇଥିବା କନ୍ୟାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ।
ବର ପରିବାରର ୫ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କନ୍ୟାଙ୍କ ପରିବାର ଲୋକେ ଦାବି କରିଛନ୍ତି।
ଏସପିଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଏଦିଗରେ କୌଣସି ମାମଲା ରୁଜୁ କରାଯାଇ ନାହିଁ। ପୋଲିସର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କନ୍ୟାଙ୍କ ଭାଇ। ସେ କହିଛନ୍ତି ଏହି ଘଟଣା ତାଙ୍କ ଭଉଣୀଙ୍କୁ ମାନସିକ ଆଘାତ ଦେବା ସହ ପରିବାରର ସମ୍ମାନ ହାନୀ ହୋଇଛି। ହମିଦପୁର ଗାଁରେ ଘଟିଥିବା ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Tags: #Wedding #Groom #Bride #Uttarpradesh