ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ମଧୁବନୀ ଜିଲ୍ଲାରେ ରୋଚକ ଘଟଣା ଘଟିଛି। ଜିଲ୍ଲାର ପଣ୍ଡୋଲ ଗ୍ରାମରେ ଜଣେ ମଙ୍ଗୁଳା କନ୍ୟା ବର ଅଶିକ୍ଷିତ ହୋଇଥିବାରୁ ବିବାହ କରିବାକୁ ମନା କରିଦେଇଛନ୍ତି। ଯୁବତୀଙ୍କ ଏହି ନିଷ୍ପତ୍ତିରେ ତାଙ୍କ ଗ୍ରାମବାସୀ ପୂର୍ଣ୍ଣ ସମର୍ଥନ କରିଥିଲେ। ସେହିପରି ବିବାହରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ତାଙ୍କ ପାଠପଢ଼ୁଆ ପୁଅର ପ୍ରସ୍ତାବ ଏହି ଝିଅ ପାଇଁ ଦେଇଥିଲେ।
ଘଟଣାଟି ଥିଲା ଏହିପରି। ପଣ୍ଡୋଲ ଗ୍ରାମର ପୁଅ ମୋବିନପୁର ଗ୍ରାମର ରହିକା ପାଖଣ୍ଡଙ୍କ ସହ ସ୍ଥିର ହୋଇଥିଲା। ବିବାହର ରୀତିନୀତି ଅନୁଯାୟୀ ବରଯାତ୍ରୀ ଯାଇ କନ୍ୟା ଘରେ ପହଞ୍ଚିଥିଲା। ବେଦୀ ଉପରେ କନ୍ୟାର ସାଙ୍ଗମାନେ ବର ସାଙ୍ଗରେ କଥାବାର୍ତ୍ତା ହେଉଥିଲେ। କଥାବାର୍ତ୍ତାରୁ ଜଣାପଡ଼ିଥିଲା କି ବର ଅଶିକ୍ଷିତ।
କନ୍ୟାଙ୍କ ସାଙ୍ଗମାନେ ବରକୁ ଅନେକ ପ୍ରଶ୍ନ ପଚାରିଥିବା ବେଳେ ସେ କୌଣସି ଉତ୍ତର ଦେଇପାରି ନଥିଲେ। ଏହାପରେ ବର ଶିକ୍ଷିତ କି ନୁହଁ ପରୀକ୍ଷା କରିବାକୁ ଯାଇ ତାଙ୍କୁ ୧୦୦ଟଙ୍କିଆ ୧୦ଟି ନୋଟ ଧରାଇଥିଲେ। ଏହାକୁ ସେ ସଠିକ୍ ଭାବେ ଗଣି ମଧ୍ୟ ପାରିନଥିଲେ। ତିନିଥର ଚେଷ୍ଟା କରି ମଧ୍ୟ ସେ ଟଙ୍କା ଗଣିବାରେ ଫେଲ୍ ମାରିଥିଲେ। ଏହାପରେ କନ୍ୟା ଜଣଙ୍କ ସାହସ ଦେଖାଇ ଅଶିକ୍ଷିତ ବରକୁ ବାହା କରିବେ ନାହିଁ ବୋଲି କହିଥିଲେ।
ମଙ୍ଗୁଳା କନ୍ୟାଙ୍କ ଏହି ନିଷ୍ପତ୍ତିରେ ଖୁବ ଖୁସି ଥିଲେ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି। ଏନେଇ ବରଯାତ୍ରୀରେ ଆସିଥିବା ଜଣେ ବ୍ୟକ୍ତି ତାଙ୍କ ଶିକ୍ଷିତ ପୁଅଙ୍କ ପ୍ରସ୍ତାବ ଝିଅ ପାଇଁ ଦେଇଥିଲେ। ଏଥିରେ ହଁ କହିଥିଲେ ମଙ୍ଗୁଳା କନ୍ୟା।