ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଛି। ମ୍ୟାଚରେ ଟିକେଟ କିଣିବା ପାଇଁ କାଉଣ୍ଟରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଟିକେଟ୍ ପାଇଁ ଅନେକଙ୍କୁ ନାକେଦମ ହେବାକୁ ପଡ଼ିଥିବାବେଳେ ଅନେକ ଲୋକ ବହୁ ଚେଷ୍ଟା ପରେ ମଧ୍ୟ ଗୋଟିଏ ଟିକେଟ୍ ପାଇପାରିନଥିଲେ। ହେଲେ ଏବେ ଟିକେଟର କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇଛି।
କମିଶନରେଟ୍ ପୋଲିସର ସୂଚନା ଅନୁସାରେ ବାରବାଟୀ ଷ୍ଟାଡିୟମର ୯୦୦ ଓ ୧୧୦୦ ଟଙ୍କିଆ ଗ୍ୟାଲେରୀ ଟିକେଟକୁ ୫ରୁ ୬ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା। କଟକରେ ଡିଲ୍ ବେଳେ ସାଦା ପୋଷାକରେ ଥିବା ପୋଲିସ କର୍ମଚାରୀ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲେ। ସେମାନଙ୍କ ନିକଟରୁ ୨୫ଟି ଟିକେଟ ଓ ୩୦ ହଜାର ଟଙ୍କା ଜବତ ହୋଇଛି।
ସେହିପରି ଭାରତ-ଇଂଲଣ୍ଡ ଦିନିକିଆ ଟିକେଟ ବିକ୍ରି ପାଇଁ କିଛି ବ୍ୟକ୍ତି ଓଏଲଏକ୍ସ ଓ ଫେସବୁକରେ ବିକ୍ରି ପାଇଁ ବିଜ୍ଞାପନ ଦେଇଛନ୍ତି। ଏନେଇ ମଧ୍ୟ ପୋଲିସ ଖୋଳତାଡ଼ ଚଳାଇଛି।
ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଫେବ୍ରୁଆରି ୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଉଭୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ୮ ତାରିଖରେ ସେମାନେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ।
ମ୍ୟାଚ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ। ଏଥିରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନାକୁ ବିଶେଷ ଧ୍ୟାନ ଦିଆଯିବ। ଭୁବନେଶ୍ୱର ବିମାନବନ୍ଦରରୁ ହୋଟେଲ ଓ ହୋଟେଲରୁ ବାରବାଟୀ ଷ୍ଟାଡିୟମକୁ ଯିବା ଆସିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Tags: #IndiavsEngland #ODIMatch #BarabatiStadium #Tickets #Cricket #Odisha