ଓଡ଼ିଶାଲାଇଭ୍ ବ୍ୟୁରୋ

  • ତୃତୀୟ ବିଶ୍ଵଯୁଦ୍ଧକୁ ଉସୁକାଉଛି ୟୁକ୍ରେନ – ଡୋନାଲ୍ଡ ଟ୍ରମ୍ପ‌
  • ରୁଷ ସହ ଯୁଦ୍ଧ ବିରାମ କରିବାକୁ ଜେଲେନସ୍କିଙ୍କ ଉପରେ ଟ୍ରମ୍ପଙ୍କ ଚାପ

ୟୁକ୍ରେନର ରାଷ୍ଟ୍ରପତି ଭୋଲଡୋମିର୍ ଜେଲେନସ୍କି ଆମେରିକା ଗସ୍ତରେ ଯାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ‌ଙ୍କ ସହ ସାକ୍ଷତ କରିଛନ୍ତି। ଶୁକ୍ରବାର ହ୍ଵାଇଟ୍‌ ହାଉସରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଦ୍ଵିପାକ୍ଷୀକ ଅଲୋଚନାବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଆଲୋଚନା ବେଳେ ଦୁଇ ରାଷ୍ଟ୍ରପତି ମୁହାଁମୁହିଁ ହୋଇଥିଲେ।

ଶୁକ୍ରବାର ଭୋଲଡୋମିର୍ ଜେଲେନସ୍କି ଓ ଡୋନାଲ୍ଡ ଟ୍ରମ୍ପ‌ଙ୍କ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦକୁ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଗଣମାଧ୍ୟମ ଉପସ୍ଥିତିରେ ଟ୍ରମ୍ପ-ଜେଲେନସ୍କି ମଧ୍ୟରେ କଥା କଟାକଟି ହୋଇଥିଲା। ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ଏପରି ପରିସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା।

ରୁଷ-ୟୁକ୍ରେନ ଯୁଦ୍ଧ ଲମ୍ବା ସମୟ ଧରି ଚାଲିବା ନେଇ ଜେଲେନସ୍କିଙ୍କୁ ଦାୟୀ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହା ସହିତ ତୃତୀୟ ବିଶ୍ଵଯୁଦ୍ଧକୁ ୟୁକ୍ରେନ ଉସୁକାଉଛି ବୋଲି ସେ ଅଭିଯୋଗ କରିଥିଲେ। ଯୁଦ୍ଧର ସାଂପ୍ରତିକ ସ୍ଥିତି ପାଇଁ ୟୁକ୍ରେନର ବିଭିନ୍ନ ପଦକ୍ଷେପକୁ ସମାଲୋଚନା କରିଥିଲେ।

ତେବେ ଜେଲେନସ୍କି ଟ୍ରମ୍ପଙ୍କ ଯୁକ୍ତିକୁ ଖଣ୍ଡନ କରି ୟୁ‌କ୍ରେନ ନିଜ ଅଞ୍ଚଳର ସୁରକ୍ଷା ପାଇଁ କୌଣସି ସାଲିସ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଅନ୍ୟ ସଚିବମାନଙ୍କ ଉପସ୍ଥିତିରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଏପରି ଘଟିଥିଲା।

ୟୁକ୍ରେନର ଯୁଦ୍ଧ ପରବର୍ତ୍ତୀ ସମୟରେ ଦେଶର ପୁନଃନିର୍ମାଣ ପାଇଁ ଆମେରିକୀୟ ପାଣ୍ଠି ଉପରେ ନଜର ରଖିଛି। ଭବିଷ୍ୟତରେ ରୁଷଠାରୁ ସୁରକ୍ଷା ଦେବାପାଇଁ ଜେଲେନସ୍କି ଆମେରିକାଠାରୁ ପ୍ରତିଶ୍ରୁତିର ଆଶା କରିଥିଲେ। ତେବେ ଟ୍ରମ୍ପ ୟୁକ୍ରେନର ଅଧିକ ସୁରକ୍ଷା ପାଇଁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ବରଂ ନାଟୋ ଏବଂ ୟୁରୋପୀୟ ରାଷ୍ଟ୍ରମାନେ ଏ ଦିଗରେ ଅଧିକ ପଦକ୍ଷେପ ନେବା ଦରକାର ବୋଲି ଟ୍ରମ୍ପ କହିଥିଲେ।  

ଅନ୍ୟପଟେ ରୁଷ ସହ ଯୁଦ୍ଧ ବିରାମ ନେଇ ସହମତି ହେବାକୁ ଜେଲେନସ୍କିଙ୍କୁ କହିଥିଲେ ଟ୍ରମ୍ପ। ଯୁଦ୍ଧ ବନ୍ଦ ନହେଲେ ୟୁକ୍ରେନ ଉପରେ ଏହାର ଭୟଙ୍କର ପରିଣାମ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

Tags: #Trump-ZelenskyMeet #WhiteHouse #RussiaUkraineWar #DiplomaticTussle #USA

Comment