ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ‘କଳିଙ୍ଗ ଆଡଭାନ୍ସ ଚାରିଟେବୁଲ ଟ୍ରଷ୍ଟ’ ଓ ‘ସେଭ୍‌ ଏନଭାୟରନମେଣ୍ଟ, ସେଭ୍‌ ଗ୍ଲୋବ୍’ର ମିଳିତ ପ୍ରୟାସରେ ଭୁବନେଶ୍ଵରଠାରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ସମାଜସେବୀ ତଥା ଓଡ଼ିଆ ଖବରକାଗଜ ‘ପର୍ଯ୍ୟବେକ୍ଷକ’ ର ସଂପାଦକ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସଭାକୁ ସମ୍ବୋଧିତ କରିଥିଲେ।

‘ସେଭ୍ ଏନଭାୟରନମେଣ୍ଟ୍, ସେଭ୍ ଗ୍ଲୋବ୍’ର ଅଧ୍ୟକ୍ଷ ଗୋପବନ୍ଧୁ ମଲ୍ଲିକ ଓ ‘ଦ ପାୟୋନିୟର୍’ର ବାର୍ତ୍ତା ସଂପାଦକ ସୁଜ୍ଞାନ ଚୌଧୁରୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।

ଚଳିତ ବର୍ଷ ପରିବେଶ ଦିବସ ‘ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିରୋଧ କରନ୍ତୁ’ ଥିମ୍ ଉପରେ ଆଧାରିତ ଥିଲା। ବକ୍ତାମାନେ ପ୍ଲାଷ୍ଟିକ ପ୍ରଦୂଷଣ ଜନିତ ଜୈବ ବିବିଧତା ହ୍ରାସ, ରାସାୟନିକ ପ୍ରଦୂଷଣ ଓ ପରିବେଶ ଉପରେ ତାହାର ଭୟାବହ ପ୍ରଭାବ ବିଷୟରେ ଅବଗତ କରାଇଥିଲେ।

ଡକ୍ଟର ସାମନ୍ତରାୟ ନିଜ ବକ୍ତବ୍ୟରେ କହିଥିଲେ ଯେ, ରାଷ୍ଟ୍ରୀୟ ବନ ନୀତି ୧୯୮୮ ଅନୁସାରେ ଭାରତର ୩୩ ପ୍ରତିଶତ ଭୌଗୋଳିକ କ୍ଷେତ୍ର ଉପରେ ଉଦ୍ଭିଦ ଆବରଣ ହେବା ଉଚିତ। କିନ୍ତୁ ବର୍ତ୍ତମାନ ମାତ୍ର ୨୫.୧୭ ପ୍ରତିଶତ ଅଞ୍ଚଳରେ ହିଁ ଜଙ୍ଗଲ ଅଛି, ଯାହାକି ଚିନ୍ତାଜନକ। ଏହା ସରକାରଙ୍କର ପାଇଁ ଏକ ନୈତିକ ଓ ଆଇନଗତ ଦାୟିତ୍ୱ ବୋଲି ସେ କହିଥିଲେ।

ସୁଜ୍ଞାନ ଚୌଧୁରୀ କହିଥିଲେ ଯେ, ଭାରତ ପ୍ରତିବର୍ଷ ୯.୩ ମିଲିୟନ୍ ଟନ୍ ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି କରେ। ଏହା ଅବିରତ ଚାଲିଲେ ପୃଥିବୀର ଇକୋ ସିଷ୍ଟମ୍‌ ଧ୍ଵଂସ ହେବା ନିଶ୍ଚିତ ବୋଲି ସେ କହିଥିଲେ। ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ।

ଡକ୍ଟର ସୁଶାନ୍ତ ଦାସ, ଗୋପବନ୍ଧୁ ମଲ୍ଲିକ ଓ ବିଶିଷ୍ଟ ଲେଖିକା ରଶ୍ମୀ ରାଉଳ ପରିବେଶ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ବହୁ ପରିବେଶ ପ୍ରେମୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଡକ୍ତର ସୁଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #WorldEnvironmentDay2025 #Bhubaneswar #Odisha

Comment