ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୪୫ ମସିହା ଅଗଷ୍ଟ ୬ ତାରିଖ। ଜାପାନର ହିରୋସିମା ସହରରେ ଆମେରିକା ପକାଇଥିଲା ପ୍ରଥମ ପରମାଣୁ ବୋମା। ଦୁନିଆ ଦେଖିଥିଲା ପରମାଣୁ ବୋମାର ବିଭୀଷିକା। ମାତ୍ର ୫ ସେକେଣ୍ଡ ମଧ୍ୟରେ ପୋଡ଼ି ପାଉଁଶ ହୋଇ ଯାଇଥିଲେ ପ୍ରାୟ ୮୦ ହଜାର ଲୋକ। ଭୂପୃଷ୍ଠର ତାପମାତ୍ରା ହୋଇ ଯାଇଥିଲା ୪ ହଜାର ଡିଗ୍ରୀ ସେଲିସିୟସ। ଆଖି ପିଛୁଳାକେ ୭୦ ପ୍ରତିଶତ କୋଠା ଧ୍ୱଂସ ହୋଇଗଲା। ପରବର୍ତ୍ତୀ ସମୟରେ ମଧ୍ୟ ଆଣବିକ ବିକିରଣ ଯୋଗୁଁ ଲୋକେ ମରିବାକୁ ଲାଗିଲେ। ଚାରିଆଡ଼େ ହାହାକାର ପଡ଼ିଗଲା।
୧୯୪୫ ମସିହା ଅଗଷ୍ଟ ୯ ତାରିଖ। ଦ୍ଵିତୀୟ ପରମାଣୁ ବୋମା, ଜାପାନର ନାଗାସାକି ସହର ଉପରେ ପକାଇଲା ଆମେରିକା। ଏହି ବୋମାର ନାଁ ଥିଲା ‘ଫ୍ୟାଟ ମ୍ୟାନ’। ଏହା ପ୍ରଥମ ପରମାଣୁ ବୋମା ‘ଲିଟିଲ୍ ବୟ’ ଠାରୁ ଆହୁରି ଶକ୍ତିଶାଳୀ ଥିଲା। ବିରାଟକାୟ ମସରୁମ୍ କ୍ଲାଉଡ ସୃଷ୍ଟି ହୋଇଥିଲା। ମୁହୂର୍ତ୍ତଙ୍କ ମଧ୍ୟରେ ୪୦ ହଜାର ଲୋକ ପ୍ରାଣ ହରାଇଲେ। ଧ୍ୱଂସସ୍ତୁପରେ ପରିଣତ ହୋଇଗଲା ସହର। ଦୁଇଟି ପରମାଣୁ ବୋମାରେ ୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।
ପରମାଣୁ ବୋମା ଆକ୍ରମଣ ପରେ ଆତ୍ମସମର୍ପଣ କରିଥିଲା ଜାପାନ। ଏହାସହ ଶେଷ ହୋଇଥିଲା ଦ୍ଵିତୀୟ ବିଶ୍ଵଯୁଦ୍ଧ। ତେବେ ପରମାଣୁ ବୋମା ଯୋଗୁଁ ହିରୋସିମା ଓ ନାଗାସାକିରେ ଯେଉଁ ପ୍ରଳୟ ହୋଇଥିଲା, ତାକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ। ତାହା ଥିଲା ମାନବ ସଭ୍ୟତା ଉପରେ ସବୁଠୁ ବଡ଼ ଆକ୍ରମଣ।
Tags: #Hiroshima #Nagasaki #Japan #WW2 #AtomBomb

















