ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଜିଲା ଅଲିମ୍ପିକ୍ସ ବିଗୁଲ୍। ଜାପାନର ରାଜଧାନୀ ଟୋକିଓର ଜାତୀୟ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଉଦଘାଟିତ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣ ଭାରତୀୟ ସମୟାନୁସାରେ ଅପରାହ୍‌ଣ ୪.୩୦ ମିନିଟରେ ଆରମ୍ଭ ହୋଇଥିଲା। ଟୋକିଓରେ ଏହା ଦ୍ୱିତୀୟ ଅଲିମ୍ପିକ୍ସର। ଏହା ପୂର୍ବରୁ ୧୯୬୪ରେ ଟୋକିଓ ସଫଳତାର ସହ ଅଲିମ୍ପିକ୍ସର ଆୟୋଜନ କରିଥିଲା।

ଟୋକିଓ ଅଲିମ୍ପିକ୍ସ ଏଭଳି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀର ଗମ୍ଭୀରତା ଭିତର ଦେଇ ଗତି କରୁଛି। ଗତ ବର୍ଷ ଟୋକିଓରେ ୨୦୨୦ ଅଲିମ୍ପିକ୍ସ  ଅନୁଷ୍ଠିତ ହେବାର ଥିଲା। ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ୨୦୨୦ରେ ଆୟୋଜିତ ହେବା ପାଇଁ ଥିବା ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ପ୍ରତିଯୋଗିତା ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଂଚାଇ ଦିଆଯାଇଥିଲା। ଏବର୍ଷର ଅଲିମ୍ପିକ୍ସର ଗୋଟିଏ ଦୁଃଖଦ  ବ୍ୟତିକ୍ରମ ହେଉଛି ମଇଦାନରେ ଖେଳାଳି ଅଛନ୍ତି ଅଥଚ ଷ୍ଟାଡିଅମରେ ଦର୍ଶକ ନାହାନ୍ତି। ମୋଟ ୨୦୬ଟି ଦେଶର ଖେଳାଳି ୩୩ଟି ଭିନ୍ନ ଭିନ୍ନ ଖେଳରେ ଭାଗନେବେ।

ଉଦଘାଟନୀ ଉତ୍ସବରେ ଭାରତର ୧୯ ଜଣ ଖେଳାଳି ଏବଂ ୬ ଜଣ କର୍ମଚାରୀ ଭାଗ ନେବେ। ଉଦଘାଟନୀ ସମାରୋହରେ ଭାରତର ନେତୃତ୍ୱ ନେଇଥିଲେ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ ଓ ମହାନ ମହିଳା ବକ୍ସର ଏମସି ମ୍ୟାରୀ କମ୍। ଦୁହେଁ ହାତରେ ତ୍ରିରଙ୍ଗା ଧରି ସବୁଠାରୁ ଆଗରେ ଚାଲିଥିଲେ। ଭାରତର ଅନ୍ୟ ସଦସ୍ୟ ହାତରେ ତ୍ରିରଙ୍ଗା ଧରି ପଛେ ପଛେ ଚାଲିଥିଲେ।ଭାରତ ପକ୍ଷରୁ ପ୍ରଥମ ମୁକାବିଲାରେ ତୀରନ୍ଦାଜ ଆରମ୍ଭ ହୋଇଛି। ତୀରନ୍ଦାଜରେ ଦୀପିକା କୁମାରୀଙ୍କ ର୍ୟାଙ୍କିଙ୍ଗ ରାଉଣ୍ଡ ଶେଷ ହୋଇଛି। ୧୨ ରାଉଣ୍ଡ ପରେ ଦୀପିକା କୁମାରୀ ୬୬୩ ପଏଂଟ ସହ ନବମ ସ୍ଥାନରେ ରହିଛନ୍ତି। ପ୍ରଥମ ଏଲିମିନେସନ୍ ରାଉଣ୍ଡରେ ଦୀପିକା କୁମାରୀଙ୍କ ମୁକାବିଲା ଭୁଟାନର ଭୁ କର୍ମାଙ୍କ ସହ ହେବ। ଭୁ-କର୍ମା ରାଙ୍କିଙ୍ଗ ରାଉଣ୍ଡରେ ୫୬ ତମ ସ୍ଥାନରେ ରହିଛନ୍ତି। ଜୁଲାଇ ୨୮ ତାରିଖରେ ପ୍ରଥମ ଏଲିମିନେସନ୍ ରାଉଣ୍ଡ ଖେଳାଯିବ।

୨୦୩୨ ଅଲିମ୍ପିକ୍ସର ଆୟୋଜନ କେଉଁଠି ହେବ, ତାର ଚୟନ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)। ୨୦୩୨ ଅଲିମ୍ପିକ୍ସ ପାଇଁ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟ, ଚାଇନା, କାତାରର ଦୋହା ଏବଂ ଜର୍ମାନୀର ରୁହର୍ ଭ୍ୟାଲୀ ଆଗ୍ରହ ଦେଖାଇଥିଲେ। କିନ୍ତୁ ଆଇଓସିର ନୂଆ ପ୍ରକ୍ରିୟା ଆଧାରରେ ବ୍ରିସବେନକୁ ହିଁ ଏଥିପାଇଁ ଅଗ୍ରାଧୀକାର ଦିଆଯାଇଥିଲା।

ଅଷ୍ଟ୍ରେଲିଆର ବ୍ରିସବେନ୍ ସହରରେ ୨୦୩୨ ଅଲିମ୍ପିକ୍ସର ଆୟୋଜନ ହେବ। ବ୍ରିସବେନ୍ ବିରୋଧରେ କୌଣସି ସହର ଦାବିବାର ପାଇଁ ପ୍ରସ୍ତାବ ଦେଇନାହାନ୍ତି। ଯାହା ଫଳରେ ଅଷ୍ଟ୍ରେଲିଆର ଏହି ସହରକୁ ସର୍ବସମ୍ମତିକ୍ରମେ ଆୟୋଜନର ଦାୟିତ୍ୱ ମିଳିଛି। ଏହା ପୂର୍ବରୁ ମେଲବର୍ଣ୍ଣରେ ୧୯୫୬ରେ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ କରାଯାଇଥିଲା। ଏହା ପରେ ୨୦୦୦ ମସିହାରେ ସିଡନୀରେ ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜନ ହୋଇଥିଲା।

ଏବେ ପୁଣିଥରେ ଅଷ୍ଟ୍ରେଲିଆକୁ ଅଲିମ୍ପିକ୍ସ ଆୟୋଜନର ବଡ଼ ଦାୟିତ୍ୱ ମିଳିଛି। ଏହାକୁ ମିଶାଇ ଅଷ୍ଟ୍ରେଲିଆକୁ ତିନିଥର ଅଲିମ୍ପିକ୍ସ ଆୟୋଜନର ସୌଭାଗ୍ୟ ମିଳିଛି। ଅଷ୍ଟ୍ରେଲିଆ ଦୁନିଆର ଦ୍ୱିତୀୟ ଦେଶ ଭାବେ ତିନୋଟି ସହରରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଅଧିକାର ପାଇଛି। ଏହା ପୂର୍ବରୁ ଆମେରିକାର ତିନୋଟି ସହରରେ ଅଲିମ୍ପିକ୍ସ ଆୟୋଜନ ପାଇଁ ସୁଯୋଗ ମିଳିଛି। ୨୦୨୮ରେ ଲସ୍ ଆଞ୍ଜେଲିସ୍ ଓ ୨୦୨୪ରେ ପ୍ୟାରିସରେ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ ହେବ।

Comment