ଓଡ଼ିଶାଲାଇଭ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଭିତରକନିକାରେ ବର୍ଷା ଦିନିଆ ଦେଶୀୟ ପକ୍ଷୀମାନଙ୍କର ସଂଖ୍ୟା କମିବାରେ ଲାଗିଛି। ଚଳିତ ବର୍ଷ ପକ୍ଷୀ ସଂଖ୍ୟା ୨ହଜାର ୬୧୦କୁ କମିଛି। ଗତବର୍ଷ ୯୧ ହଜାର ୨୨୪ଟି ପକ୍ଷୀ ଗଣନା ହୋଇଥିବା ବେଳେ ଚଳିତ ବର୍ଷ ୮୮ ହଜାର ୬୧୪ ଟି ପକ୍ଷୀ ଗଣନା କରାଯାଇଛି। ତେବେ ଏଭଳି ପକ୍ଷୀ କମିବା ଯୋଗୁଁ ଚିନ୍ତାରେ ରହିଛି ବନବିଭାଗ।

ଶହଶହ ବର୍ଷ ଧରି ଏହି ପକ୍ଷୀମାନଙ୍କ ଏନ୍ତୁଡିଶାଳ ବଗଗହନ ଏବେ ଏମାନଙ୍କ ପାଇଁ ଅଲୋଡା ହୋଇଛି। ଏପରିକି ଏମାନେ ଦୀର୍ଘଦିନ ଧରି ଅଣ୍ଡା ଦେଇ ଆସୁଥିବା ସ୍ଥାନରୁ ମୁହଁ ଫେରାଇ ନେଉଛନ୍ତି। ଖୋଜୁଛନ୍ତି ନୂଆନୂଆ ସ୍ଥାନ।

କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ବଉଳା କୁମ୍ଭୀରମାନଙ୍କ ପାଇଁ ଯେତିକି ପ୍ରସିଦ୍ଧ ଦେଶ ବିଦେଶର ପକ୍ଷୀଙ୍କ ସମାବେଶ ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ। ଶୀତଦିନେ ଏଠାକୁ ଅନେକ ବିଦେଶୀ ପକ୍ଷୀମାନେ ଆସୁଥିବା ବେଳେ ବର୍ଷା ଋତୁରେ ଦେଶୀୟ ପକ୍ଷୀମାନଙ୍କର ଆଗମନ ମଧ୍ୟ  ହୋଇଥାଏ। ଏହି ସ୍ଥାନକୁ ଆସି ଲୁଣା ଜଙ୍ଗଲରେ ଗଛମାନଙ୍କ ଡାଳରେ ବସା ବାନ୍ଧନ୍ତି ଓ ଅଣ୍ଡା ଦିଅନ୍ତି। ଛୁଆମାନେ ଉଡିବା ଓ ଖାଇବା ଶିଖିଗଲେ ମା ଚଢେଇ ଓ ପୁରୁଷ ଚଢେଇ ସହିତ ବାହାରକୁ ଉଡି ଯାଆନ୍ତି।

ବିଶେଷ କରି ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ, ବିଭିନ୍ନ ପ୍ରଜାତିର ବଗ, ପାଣିକୁଆ, କାପରଖାଇ ଓ ଦା ବେଣ୍ଟିଆ ଆଦି ଦେଶୀୟ ପକ୍ଷୀମାନଙ୍କ ନିରାପଦ ପ୍ରଜନନ ସ୍ଥାନ ଭିତରକନିକା। ଏହି ସମୟରେ ଏଠାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଏମାନଙ୍କ ପାଇଁ ସାଇତି ରଖିଥାଏ ପ୍ରକୃତି। ମାଛ, କଙ୍କଡା, ଗେଣ୍ଡା, କୋଚିଆ, ପୋକ ଜୋକ, ଆଉ ଛୋଟଛୋଟ ସାମୁଦ୍ରିକ ଜୀବ ଏମାନଙ୍କର ପ୍ରିୟ ଖାଦ୍ୟ।

ଶହଶହ ବର୍ଷ ହେଲା ଭିତରକନିକାର ବଗଗହନ ଏହି ଦେଶୀୟ ପକ୍ଷୀମାନଙ୍କର ଏନ୍ତୁଡିଶାଳ ହୋଇ ରହି ଆସିଥିଲା। ଭିତରକନିକାର ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ଏମାନଙ୍କର ପ୍ରଜନନ ହୋଇ ଆସୁଥିବାରୁ ଏହି ସ୍ଥାନର ନାମ ବଗଗହନ ଦେଇଥିଲା ବନବିଭାଗ। ଗତ ୨୦୧୬ ମସିହାଠାରୁ ଏହି ପକ୍ଷୀମାନେ ସେମାନଙ୍କର ଏହି ପାରମ୍ପରିକ ପ୍ରଜନନ ସ୍ଥାନ ବଗଗହନକୁ ଆସିବା ଧିରେ ଧିରେ କମାଇ ସାରିଲେଣି।

ପ୍ରତିବର୍ଷ ପରି ବନବିଭାଗ ପକ୍ଷରୁ ଏମାନଙ୍କର ବସା ଗଣନା କରାଯାଇଥାଏ। ବସାରେ ଥିବା ବୟସ୍କ ଚଢ଼େଇ ଓ ଛୁଆମାନଙ୍କୁ ମଧ୍ୟ ଗଣନା କରାଯାଏ। ଗତ ବର୍ଷ ଭିତରକନିକାରେ ୧୯ ହଜାର ୮୯୦ ଟି ବସାରେ ୯୧ ହଜାର ୨୨୪ ପକ୍ଷୀଙ୍କୁ ଗଣନା କରାଯାଇଥିବା ବେଳେ ଏବର୍ଷ ୧୯ ହଜାର ୨୯୬ ଟି ବସାରେ ୮୮ ହଜାର ୬୧୪ ଟି ପକ୍ଷୀ ଗଣନା କରାଯାଇଛି। ଅର୍ଥାତ ଚଳିତ ବର୍ଷ ଏମାନେ ୫୯୪ ଟି କମ୍ ବସା ବାନ୍ଧିଥିବା ବେଳେ ସଂଖ୍ୟା ୨ହଜାର ୬୧୦କୁ  କମି ଆସିଛି।

ପକ୍ଷୀମାନଙ୍କର ଏପରି ଭିତରକନିକାରୁ ଫେରିଯିବାକୁ ନେଇ କିଛି ପରିବେଶବିତ୍‌ ଜଳବାୟୁ ପରିବର୍ତ୍ତନର ଅବସ୍ଥାକୁ ଦାୟୀ କରୁଥିବା ବେଳେ ଆଉ କେହି ଭିତରକନିକା ଅଞ୍ଚଳରେ ଗଢି ଉଠୁଥିବା ବିଷାକ୍ତ ଚିଙ୍ଗୁଡି ଘେରିର ବିଷକ୍ରିୟା ଯୋଗୁଁ ଖାଦ୍ୟାଭାବ ଅବସ୍ଥାକୁ ଦାୟୀ କରୁଛନ୍ତି। ରାଜନଗର ଡିଏଫଓ ଏପରି ଘଟଣାକୁ ଅସ୍ଵୀକାର କରିଛନ୍ତି।

ଏମାନଙ୍କର ବସାବାନ୍ଧିବା ସ୍ଥାନ ପରିବର୍ତ୍ତନ କରିବାର ଆଉ ଏକ କାରଣ ହୋଇପାରେ ଏମାନଙ୍କ ମଳ। ଏମାନଙ୍କ ମଳରେ ଅଧିକ ପରିମାଣରେ ଇଉରିକ୍ ଏସିଡ୍ ରହୁଥିବାରୁ ଏମାନେ ଥରେ ଗୋଟିଏ ଗଛରେ ବସାବାନ୍ଧିଲେ ଏମାନଙ୍କ ମଳତ୍ୟାଗରେ ସେହି ଗଛର ଡାଳପତ୍ର ଏସିଡ୍ ପ୍ରଭାବରେ ପ୍ରଭବିତ ହୋଇଥାଏ।

ତେଣୁ ପରବର୍ତ୍ତୀ ବର୍ଷରେ ସେହି ଗଛର ଡାଳ ହୁଏତ ଏମାନଙ୍କ ବସାବାନ୍ଧିବା ପାଇଁ ଅନୁକୂଳ ନହେବା କାରଣରୁ ଏମାନେ ଅନ୍ୟ ସ୍ଥାନକୁ ପରିବର୍ତ୍ତନ କରିପାରିଥାନ୍ତି ବୋଲି ଡିଏଫଓ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here