ଓଡ଼ିଶାଲାଇଭ୍ ବ୍ୟୁରୋ

“ବନ୍ୟଜନ୍ତୁ ଏବଂ ଜଙ୍ଗଲକୁ ସୁରକ୍ଷା ଦେବାକୁ ହେଲେ ପ୍ରଥମେ ଜନସାଧାରଣଙ୍କୁ ସଚେତନ କରିବାକୁ ପଡ଼ିବ। ଜଙ୍ଗଲ ନିକଟରେ ରହୁଥିବା ଗ୍ରାମର ଲୋକମାନେ ସବୁବେଳେ ଜଙ୍ଗଲଜାତ ଦ୍ରବ୍ୟ ଓ ବନ୍ୟପ୍ରାଣୀଙ୍କ ଉପରେ ନିର୍ଭର କରିଥାନ୍ତି। ଏଥିପାଇଁ ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ। ତେଣୁ, ଲୋକମାନଙ୍କ ପାଖରେ ବିଭିନ୍ନ ସୁବିଧା ସୁଯୋଗ ପହଞ୍ଚି ପାରିଲେ ବନ୍ୟପ୍ରାଣୀ ଓ ଜଙ୍ଗଲର କୌଣସି କ୍ଷତି ଘଟିବ ନାହିଁ। ବନ୍ୟପ୍ରାଣୀଙ୍କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର ଆହୁରି ସଶକ୍ତ ହେବାର ଆବଶ୍ୟକତା ରହିଛି’’, ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଓଡ଼ିଶାଲାଇଭ୍‌କୁ ଏହା କହିଛନ୍ତି ପୂର୍ବତନ ଡିଏଫଓ ସସ୍ମିତା ଲେଙ୍କା।

ଆଜି ମାର୍ଚ୍ଚ ୩ ତାରିଖ। ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ବନ୍ୟପ୍ରାଣୀ ଦିବସ। ଚଳିତ ବର୍ଷର ଥିମ୍ ରହିଛି – “ଜଙ୍ଗଲ ଏବଂ ଜୀବିକା : ସ୍ଥାୟୀ ବ୍ୟକ୍ତି ଏବଂ ଗ୍ରହ”।

ଏହି ଅବସରରେ ଶ୍ରୀମତୀ ଲେଙ୍କା ଆହୁରି କହିଛନ୍ତି ଯେ, “ଜୈବ ବିବିଧତା କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ ଆଗରେ ରହିଛି। ବିଲୁପ୍ତକାୟ ବଜ୍ରକାପ୍ତାଙ୍କ ସଂଖ୍ୟା ଦେଶରେ ବିଲୋପ ହେବାକୁ ବସିଲାଣି କିନ୍ତୁ ଓଡ଼ିଶାରେ ଏହା ଯଥେଷ୍ଟ ପରିମାଣରେ ରହିଛି। ବିଲୁପ୍ତ ହୋଇଯାଇଥିବା ବନ୍ୟପ୍ରାଣୀଙ୍କ ଉପରେ ଧ୍ୟାନ ନଦେଇ ଏବେ ଯେଉଁମାନେ ଅଛନ୍ତି ସେମାନଙ୍କର ସୁରକ୍ଷା ଉପରେ କିପରି ଧ୍ୟାନ ଦିଆଯାଇ ପାରିବ ସେ ଉପରେ ଗୁରୁତ୍ୱ ଦେବା ଦରକାର।’’

ବନ୍ୟପ୍ରାଣୀ ଓ ଉଦ୍ଭିଦମାନଙ୍କ ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। ସଙ୍କଟରେ ଥିବା ଜୀବ ତଥା ଜଙ୍ଗଲର ସୁରକ୍ଷା ପାଇଁ ୩ ମାର୍ଚ୍ଚ ୧୯୭୩ ରେ ସିଆଇଟିଇଏସରେ ନିଷ୍ପତ୍ତି ନିଆଯାଇଥିଲା। ୨୦୧୩ ଥାଇଲାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ ସିଆଇଟିଇଏସର ୧୬ତମ ଅଧିବେଶନରେ ପ୍ରଥମେ ଏହି ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହାକୁ ବିଚାର କରି ୨୦୧୩ ଡିସେମ୍ବର ୨୦ରେ ମିଳିତ ଜାତିସଂଘର ସାଧାରଣ ସଭା(ୟୁଏନଜିଏ)ର ନିଷ୍ପତି ଅନୁସାରେ ମାର୍ଚ୍ଚ ୩ କୁ ବିଶ୍ୱବ୍ୟାପୀ ବନ୍ୟପ୍ରାଣୀ ଦିବସର ମାନ୍ୟତା ଦିଆଗଲା। ପରେ ୨୦୧୪ ମସିହା ମାର୍ଚ୍ଚ ୩ ରୁ ପାଳନ କରାଯାଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ।

“ମଣିଷ ଆଜି ବିକାଶ ପଛରେ ଦୌଡ଼ି ଜଙ୍ଗଲ କ୍ଷୟ କରୁଛି। ଏହାଦ୍ୱାରା ଜୀବଜନ୍ତୁଙ୍କ ବାସସ୍ଥଳୀ ଉପରେ ପ୍ରଭାବ ପଡୁଛି। ସେଥିପାଇଁ ଅନେକ ଜୀବଜନ୍ତୁ ଆଜିକା ଦିନରେ ବିଲୁପ୍ତ ହୋଇଗଲେଣି। ତେଣୁ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ନିହାତି ଆବଶ୍ୟକ”, କହିଛନ୍ତି ସସ୍ମିତା ଲେଙ୍କା।

Comment