ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କଲରାପତରିଆ ବାଘ ଶିକାର କରି ଛାଲ, ନଖ ଓ ମାଂସ ଭାଗ ବାଣ୍ଟୁଥିବାବେଳେ ମାଡ଼ି ବସିଲା ବନ ବିଭାଗ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳ ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ। ବାଘ ଛାଲ, ନଖ ଓ ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତି ଅଭିଯୋଗ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବାଦଗଡ଼ ଜଙ୍ଗଲରେ ଗତ ୩ ତାରିଖରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରିବା ଘଟଣା ପରେ ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଗୁରୁବାର ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ ବାଦଗଡ଼ ଗାଁର ୧୧ ଜଣ ବ୍ୟକ୍ତି ଗୋଟିଏ କଲରାପତରିଆ ବାଘ ଶିକାର କରିବା ପରେ ତା’ର ଛାଲ ଏବଂ ନଖ ବାହାର କରି ମାଂସ ଭାଗ ବାଣ୍ଟିଥିଲେ।

ଏ ସମ୍ପର୍କରେ ଖବର ପାଇ ବାରବା ଏବଂ ରାଇକିଆ ବନ ବିଭାଗ ମିଳିତ ଭାବେ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବନ କର୍ମଚାରୀ ୧୧ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ସେମାନଙ୍କଠାରୁ ଛାଲ, ନଖ ଏବଂ ମାଂସ ଜବତ କରାଯାଇଥିଲା। ଶୁକ୍ରବାର ଦିନ ଫୁଲବାଣୀ ଡିଏଫ୍ଓ ପ୍ରଶାନ୍ତ ପଟେଲ ଓ ଏସଟିଏଫ ଟିମ ରାଇକିଆ ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିବା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Tags: #Plulbani #LeopardHunting #LeopardSkinAndNailSeized #ForestDepartment

Comment