ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ସୁରକ୍ଷିତ ନୁହନ୍ତି ବନ୍ୟଜନ୍ତୁ। କେତେବେଳେ ହାତୀଦାନ୍ତ ତ କେତେବେଳେ ବାଘ ଛାଲ ଏବଂ ବଜ୍ରକାପ୍ତା ପକ୍ଷୀ ଆଦି ଜବତ କରିଛି କ୍ରାଇମ ବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ)। ବୁଧବାର ଦିନ ପୁଣି ଦୁଇଟି ବାଘ ଛାଲ ଜବତ କରିଛି ଏସଟିଏଫ ଟିମ। ଜବତ ବାଘ ଛାଲର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ସଦର ଥାନା ଅନ୍ତର୍ଗତ ଓଲଣ୍ଡା ଗ୍ରାମର ହିମାଳୟ ଦାଶଙ୍କୁ ଗିରଫ କରାଯାଇଛି।

ବୌଦ୍ଧ ବନଖଣ୍ଡରେ ବାଘ ଛାଲ କାରବାର ହେଉଥିବା ଖବର ପାଇ ଏସଟିଏଫର ୫ ଜଣିଆ ଟିମ ଗଠନ କରାଯାଇଥିଲା। ଏହି ଟିମ ଗ୍ରାହକ ହିସାବରେ ଶିକାରୀଙ୍କୁ ଯୋଗାଯୋଗ କରିଥିଲେ। ୭ ଲକ୍ଷ ଟଙ୍କାରେ ବାଘ ଛାଲ କିଣିବାକୁ ଡିଲ ହୋଇଥିଲା। ସାଙ୍କୁଲି ନଦୀ ପୋଲ ନିକଟରେ ବିକା-କିଣା ପାଇଁ ସ୍ଥାନ ସ୍ଥିର ହୋଇଥିଲା।

ଆଜି ହିମାଳୟ ଦାଶ ବାଘ ଛାଲ ଧରି ସାଙ୍କୁଲି ନଦୀ ପୋଲ ନିକଟରେ ପହଞ୍ଚିଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଏସଟିଏଫ ଟିମ୍ ହିମାଳୟଙ୍କୁ ଗିରଫ କରିବା ସହ ତାଙ୍କ ନିଟକରୁ ଦୁଇଟି ବାଘ ଛାଲ ଜବତ କରିଥିଲେ। ଏଥିରେ ୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରୁ ଗୋଟିଏ ମହାବଳ ବାଘର ଛାଲ ଏବଂ ୩ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ କଲରାପତରିଆ ବାଘ ଛାଲ ରହିଛି। ଗିରଫ କରାଯିବା ପରେ ହିମାଳୟ ଦାଶଙ୍କୁ କୋର୍ଟ ଚାଲାଣ କରାଯାଇଛି।

Tags: #Tiger #LeopardSkin #Seized #STF

Comment