ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର। ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି।

ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ବାରିପଦା ଓ ଯଶୀପୁର ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟରୁ ଅନୁମତି ମିଳିବ। ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଗୋଟି ଓ ଯଶୀପୁରର କାଳିଆଣି ଫାଟକ ମଧ୍ୟ ଦେଇ ୩୫ ଗୋଟି ୪ଚକିଆ ଯାନର ପ୍ରବେଶ ଅନୁମତି ମିଳିବ। ପିଠାବଟା ଓ ଯଶୀପୁର ବୁକିଂ କାଉଣ୍ଟରରୁ ପୂର୍ବାହ୍‌ଣ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ପତ୍ର ମିଳିପାରିବ।

ଶିମିଳିପାଳ ଅଭୟାରଣ୍ୟର ସୌନ୍ଦର୍ଯ୍ୟମୟ ପରିବେଶକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସିଥାନ୍ତି। ହେଲେ ବର୍ଷାଦିନେ ଶିମିଳିପାଳ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥାଏ। ଶିମିଳିପାଳ ନ୍ୟାସନାଲ ପାର୍କ ୨୭୫୦ ସ୍କୋୟାର କିମି ଅଞ୍ଚଳରେ ଅବସ୍ଥିତ। ବାଘ ସଂରକ୍ଷଣ ପାଇଁ ଏହି ଅଭୟାରଣ୍ୟ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି।

ଏଥିସହ ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ କରାଯାଇଛି। ଅଭୟାରଣ୍ୟ ଭିତରେ ବରେହିପାଣି, ଚହଲା, ଯୋରନ୍ଦା, ଉସ୍କି ଜଳପ୍ରପାତ ଇତ୍ୟାଦି ରହିଛି। ଯାହାକୁ ଦେଖି ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏହାଛଡ଼ା ପର୍ଯ୍ୟଟକମାନେ ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରକାରର ପକ୍ଷୀ ମଧ୍ୟ ଦେଖିପାରିବେ।

LEAVE A REPLY

Please enter your comment!
Please enter your name here