ଓଡ଼ିଶାଲାଇଭ୍ ବ୍ୟୁରୋ
ରାମ ଜନ୍ମଭୂମି-ବାବରି ମସଜିଦ୍ ବିବାଦ ଉପରେ ଶନିବାର ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଚିଫ୍ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବା ସହ ଏହି ବିବାଦୀୟ ଜମିକୁ ରାମଲଲାଙ୍କୁ ହସ୍ତାନ୍ତର କରାଯାଇଛି। ଏହାସହ ମୁସଲିମ୍ ପକ୍ଷଙ୍କୁ ଅଯୋଧ୍ୟାରେ ମସଜିଦ୍ ପାଇଁ ୫ ଏକର ଜମି ଦେବାର ଆଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ।
ଏହାସହ ସୁପ୍ରିମକୋର୍ଟ ମନ୍ଦିର ନିର୍ମାଣ ପାଇଁ ଏକ ନୂଆ ଟ୍ରଷ୍ଟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
କିଏ ରାମଲଲା?
ସୁପ୍ରିମ୍କୋର୍ଟ ରାମଲଲାଙ୍କୁ ଏହି ବିବାଦୀୟ ଜମିର ମାଲିକ ବୋଲି କହିଛନ୍ତି। ତେବେ ରାମଲଲା କୌଣସି ଟ୍ରଷ୍ଟ କିମ୍ଵା ସଂସ୍ଥା ନୁହନ୍ତି। ଏଠାରେ ଭଗବାନ ରାମଙ୍କ ବାଳ ସ୍ଵରୂପକୁ ରାମଲଲା ବୋଲି କୁହାଯାଉଛି। ଏଠାରେ ସୁପ୍ରିମ୍କୋର୍ଟ ରାମଲଲାଙ୍କ ଆଇନ ଅନୁଯାୟୀ ମାଲିକାନା ଅଧିକାର ଦେଇଛନ୍ତି।
୩୦ ସେପ୍ଟେମ୍ଵର ୨୦୧୦ରେ ସେତେବେଳର ଆହ୍ଲାବାଦ୍ ହାଇକୋର୍ଟରେ ଅଯୋଧ୍ୟାର ବିବାଦୀୟ ଜମିକୁ ରାମଜନ୍ମଭୂମି କରି ଦିଆଯାଇଥିଲା। ହାଇକୋର୍ଟ ୨.୭୭ ଏକର ଜମିକୁ ବାଣ୍ଟି ଦେଇଥିଲେ। କୋର୍ଟ ସୁନି ଓ୍ଵାକଫ୍ ବୋର୍ଡ, ନିର୍ମୋହି ଆଖଡା ଓ ରାମଲଲାଙ୍କ ମଧ୍ୟରେ ଏହି ଜମି ବାଣ୍ଟିବାକୁ ଆଦେଶ ଦେଇଥିଲେ।
୧୯୪୯ ମସିହା ଡିସେମ୍ଵର ୨୨ ରାତିରେ ମସଜିଦ ଭିତରେ ରାମଲଲାଙ୍କ ମୂର୍ତ୍ତି ରଖାଯାଇଥିଲା। ୨୩ ଡିସେମ୍ଵର ସକାଳେ ବାବରୀ ମସଜିଦ ଭିତରେ ମୂର୍ତ୍ତିକୁ ଉଦ୍ଧାର କରାଯାଇଥିଲା। ପରେ ପୋଲିସ ମସଜିଦରେ ମୂର୍ତ୍ତି ରଖିବା ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲା। ଏହାସହ ୨୯ ଡିସେମ୍ଵର ୧୯୪୯ ମସିହାରେ ମସଜିଦରେ ତାଲା ପକାଇଥିଲା ପୋଲିସ।