ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ କରୋନା ରୋଗୀ
- ଟ୍ରେନରେ ୭୬ ଜଣଙ୍କ ସଂସ୍ପର୍ଶରେ ଆସିଥିଲ ସଂପୃକ୍ତ ବ୍ୟକ୍ତି
- ଘରୋଇ କ୍ଲିନିକକୁ ପ୍ରଥମେ ଯାଇଥିଲେ ସଂପୃକ୍ତ ରୋଗୀ
- କ୍ଲିନିକ ସିଲ୍, ଆଇସୋଲେସନରେ କର୍ମଚାରୀ
- ଭାରତରେ ଏବେ ୧୧୫ କରୋନା ପଜିଟିଭ, ଓଡ଼ିଶାରେ ଜଣେ
- ମାର୍ଚ୍ଚ ୪ ସୁଦ୍ଧା ଭାରତ କିମ୍ବା ଓଡ଼ିଶାରେ ପାଦ ଦେଇଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ
- ପଞ୍ଜୀକରଣ ନକଲେ ଆଇନ ଅନୁଯାୟୀ ଦଣ୍ଡ ଦେବେ ସରକାର
- କରୋନା ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ୱେବସାଇଟ୍, ମଙ୍ଗଳବାରଠାରୁ ଚାଲୁ
- ଟୋଲ ଫ୍ରି ନମ୍ବର ୧୦୪ରେ କଲ କରି କରିପାରିବେ ପଞ୍ଜୀକରଣ
- ଆଗୁଆ ପଞ୍ଜୀକରଣ କଲେ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ଗୀତ ଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଥିଲେ ଯେ, ସଂପୃକ୍ତ ରୋଗୀଙ୍କୁ ଏବେ ଆଇସୋଲେସନ ୱାର୍ଡରେ ରଖାଯାଇଛି।
‘‘କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇଥିବା କରୋନା ରୋଗୀ ୫୩ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଟ୍ରେନରେ ସେ ୭୬ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କୁ ଠାବ କରାଯାଉଛି। ଏହି ରୋଗୀ ଜଣକ ଭୁବନେଶ୍ୱରର ପ୍ରଥମେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ। ଏବେ ସେ କ୍ଲିନିକକୁ ସିଲ୍ କରାଯାଇଛି ଏବଂ କ୍ଲିନିକର କର୍ମଚାରୀଙ୍କୁ ଆଇସୋଲେସନରେ ରଖାଯାଇଛି’’, କହିଛନ୍ତି ସୁବ୍ରତ ବାଗ୍ଚୀ।
ସେ ଆହୁରି କହିଥିଲେ, ‘‘କରୋନାକୁ ନେଇ ଭୟ କିମ୍ବା ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ସମସ୍ତେ ସଚେତନ ହେଲେ ହିଁ କରୋନା ଦୂରେଇଯିବ।’’
ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୭୦ ହଜାର ୫୨୫ କରୋନା ପଜିଟିଭି ରିପୋର୍ଟ ଆସିଛି। ଭାରତରେ ୧୧୫ କରୋନା ପଜିଟିଭ ରହିଛି। ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭି ଆସିଛି।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ, ‘‘ମାର୍ଚ୍ଚ ୪ ସୁଦ୍ଧା ବିଦେଶରୁ ଆସି ଭାରତ କିମ୍ବା ଓଡ଼ିଶାରେ ପାଦ ଦେଇଥିଲେ ଏହି ପଞ୍ଜୀକରଣ ବାଧ୍ୟତାମୂଳକ ହେବ। କୌଣସି ନିର୍ଦ୍ଦିଷ୍ଟ ନୁହେଁ, ବରଂ ଯେକୌଣସି ଦେଶରୁ ଫେରିଥିଲେ ଏହି ନିୟମ କାର୍ଯ୍ୟକାରୀ ହେବ। ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କୁ ନିଜ ଆଡୁ ପଞ୍ଜୀକରଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏହି ନିୟମକୁ ପାଳନ ନକଲେ ଆବଶ୍ୟକ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟ ସଚିବ ଆଜି ସ୍ପଷ୍ଟ ଭାବେ କହିଛନ୍ତି।’’
ସରକାରଙ୍କ ପରାମର୍ଶ ଅନୁଯାୟୀ ମାର୍ଚ୍ଚ ୪ ତାରିଖ ପରେ ବିଦେଶରୁ ଆସିଥିବା ବ୍ୟକ୍ତିମାନେ www.covid19.odisha.gov.in ୱେବସାଇଟରେ ଲଗ୍ଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କରିବେ। ଏହି ୱେବସାଇଟ୍ ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ୧୭ରୁ ଚାଲୁ ହେବ। ତେବେ ଯେଉଁମାନେ ଚାହିଁବେ ଟୋଲ ଫ୍ରି ନମ୍ବର ୧୦୪ରେ କଲ କରି ମଧ୍ୟ କରିପାରିବେ ପଞ୍ଜୀକରଣ।
ସେହିପରି ଏବେ ବିଦେଶରୁ ଓଡ଼ିଶା ଆସିବାକୁ ବାହାରିଥିବା ବା ଯୋଜନା କରିଥିବା ବ୍ୟକ୍ତିମାନେ ମଧ୍ୟ ଆଗୁଆ ପଞ୍ଜୀକରଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
ଏହି ବ୍ୟବସ୍ଥା ମଧ୍ୟରେ ପଞ୍ଜୀକରଣ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରାଣ୍ଟାଇମ୍ କରାଯିବ। ସ୍ୱାସ୍ଥ୍ୟ ବିଭାଗ ବା ସରକାରଙ୍କର ସ୍ୱତନ୍ତ୍ର ସେଲ୍ ସେମାନଙ୍କ ସହ ଯୋଗାଯୋଗରେ ରହିବେ। ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି।
ଯେଉଁମାନେ ଗତ କିଛିଦିନ ଭିତରେ ବିଦେଶରୁ ଓଡ଼ିଶା ଆସିଛନ୍ତି ସେମାନଙ୍କୁ ନିଜ ଆଡୁ କିମ୍ବା ତାଙ୍କ ପରିବାର ମାଧ୍ୟମରେ ପଞ୍ଜୀକରଣ କରିବା ପାଇଁ ସରକାର ୩ ଦିନ ସମୟ ଦେଇଛନ୍ତି। ୧୯ ମାର୍ଚ୍ଚ ସୁଦ୍ଧା ସେମାନଙ୍କୁ ପଞ୍ଜୀକରଣ କରିବାକୁ ହେବ। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ କହିଥିଲେ ଯେ, ଓଡ଼ିଶାରେ କିଭଳି କରୋନାକୁ ନିୟନ୍ତ୍ରଣ କରାଯିବ ସେଥିପାଇଁ ସରକାର ସବୁପ୍ରକାର ବ୍ୟବସ୍ଥା କରୁଛନ୍ତି।
କରୋନା ସମ୍ପର୍କରେ ରାଜ୍ୟ ସରକାର ପ୍ରତି ୨୪ ଘଣ୍ଟାରେ ସୂଚନା ଦେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ସୁବ୍ରତ ବାଗ୍ଚୀଙ୍କୁ ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି।