ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ମାର୍ଟ ସିଟିବାସୀ।  ଲୋକଙ୍କୁ ଭୟଭୀତ ନହେବା ସହ ଗୁଜବରେ ବିଶ୍ୱାସ ନକରିବାକୁ ମଙ୍ଗଳବାର ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି।

‘‘କରୋନାକୁ ହେଉଥିବା ଗୁଜବଠାରୁ ଦୂରେଇ ରୁହନ୍ତୁ। କେବଳ ମଲଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକୀୟ ଦୋକାନ ଯେପରି, ଖାଦ୍ୟ ପଦାର୍ଥ ଦୋକାନ, ତେଜରାତି ଦୋକାନ, ଔଷଧ ଦୋକାନ, ଫଳ ଦୋକାନ ଆଦି ଖୋଲା ରହିବ। ଏହିଭଳି ଦୋକାନ ଉପରେ କୌଣସି କଟକଣା ନାହିଁ। ଏଥିପାଇଁ ପୂର୍ବରୁ ଖାଦ୍ୟ ପଦାର୍ଥ ମହଜୁଦ୍ କରି ରଖିବା ଆବଶ୍ୟକ ନାହିଁ। କରୋନାକୁ ନେଇ ଗୁଜବ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ’’, କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୧୪ ଦିନ ମଧ୍ୟରେ ବିଦେଶରୁ ଫେରିଥିବା କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରନ୍ତୁ। ଏହି କର୍ମଚାରୀଙ୍କୁ  ଘରେ ରହି କାମ କରିବାକୁ କୁହନ୍ତୁ। ଯଦି ସମ୍ଭବ ହେଉଛି ତାହେଲେ ଅଫିସରୁ ଛୁଟି ନିଅନ୍ତୁ।

କୌଣସି କର୍ମଚାରୀଙ୍କୁ କାଶ, ଛିଙ୍କ, ସର୍ଦ୍ଦି ଭଳି ଲକ୍ଷଣ ଦେଖାଗଲେ ତାଙ୍କୁ ଅଫିସ ଆସିବାକୁ ବାରଣ କରନ୍ତୁ। ପ୍ରତ୍ୟେକ ଅଫିସରେ ଅଣ ଯୋଗାଯୋଗ ଥର୍ମୋମିଟର ଲଗାନ୍ତୁ।

କୌଣସି ବ୍ୟକ୍ତିଙ୍କ ପରିବାର ଲୋକେ ବିଦେଶରୁ ଫେରିଥିଲେ ତାଙ୍କୁ ଘରେ ୧୪ ଦିନ ପାଇଁ କ୍ୱାରେନଣ୍ଟାଇନରେ ରହିବାକୁ ହେବ।

ଏହାଛଡ଼ା ଆବଶ୍ୟକ ନଥିଲେ ବିଦେଶ ଗସ୍ତ କରିବାକୁ ମନା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏଥିପାଇଁ ବିଶେଷ କରି ଆଇଟି କମ୍ପାନିଗୁଡ଼ିକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

ଏହି ନିର୍ଦ୍ଦେଶକୁ ମଙ୍ଗଳବାରଠାରୁ ସମସ୍ତ କମ୍ପାନି ବା ବ୍ୟକ୍ତିବିଶେଷ ମାନିବାକୁ ବାଧ୍ୟ।  ନିର୍ଦ୍ଦେଶନାମାକୁ ପାଳନ ନକଲେ ସଂମ୍ପୃକ୍ତ କମ୍ପାନି ବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର।

LEAVE A REPLY

Please enter your comment!
Please enter your name here