ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ ପ୍ରକୃତରେ ଚୀନରେ କେବେ ବ୍ୟାପିବା ଆରମ୍ଭ ହେଲା ସେ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଏବେ ହାଭାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଅଗଷ୍ଟ ମାସରୁ ହିଁ ଉହାନରେ କାରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇ ଯାଇଥିଲା। ସେହି ସମୟରେ ଉହାନ ପ୍ରଦେଶରେ ଥିବା ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ଅସମ୍ଭବ ରକମର ବୃଦ୍ଧି ପାଇଥିଲା। ଏଥିରୁ ଅନୁମାନ କରାଯାଉଛି ଯେ ଅଗଷ୍ଟ ୨୦୧୯ରୁ ହିଁ ଲୋକଙ୍କ ଦେହରେ ଏହା ପ୍ରବେଶ କରିସାରିଥିଲା। ତେବେ ଚୀନ ଏହି ରିପୋର୍ଟକୁ ‘ବାଜେ କଥା’ ବୋଲି କହିଛି।
ଚୀନ ପକ୍ଷରୁ ଜାରି କରାଯାଇଥିବା ଏକ ଶ୍ୱେତପତ୍ରରେ କୁହାଯାଇଛି ଯେ, ପ୍ରଥମେ ଡିସେମ୍ବର ୧୭ ତାରିଖରେ ଏହି ଭୂତାଣୁର ସନ୍ଧାନ ମିଳିଥିଲା। ଚୀନର ଭୂତାଣୁ ବିଶେଷଜ୍ଞମାନେ ଜାନୁଆରୀ ୧୯ ତାରିଖରେ ସତର୍କ କରି ଦେଇଥିଲେ ଯେ ଏହା ମଣିଷଙ୍କ ଭିତରେ ସଂକ୍ରମଣ ହୋଇିପାରେ। ତା’ପରେ ଜାନୁଆରି ୨୩ ତାରିଖରେ ଉହାନରେ ଲକଡାଉନ୍ ଘୋଷଣା କରାଯାଇଥିଲା।
ହାଭା ବିଶ୍ଵବିଦ୍ୟାଳୟ ଅନୁଧ୍ୟାନରେ କୁହାଯାଇଛି ଯେ, ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ ଜଣାପଡିଛି ଯେ ଉହାନର ୫ ଟି ସରକାରୀ ହସ୍ପିଟାଲରେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ରୋଗୀଙ୍କ ଭୀଷଣ ଭିଡ ଲକ୍ଷ୍ୟ କରାଯାଇଥିଲା। ଏଥି ସହିତ ଉହାନର ଲୋକେ ସେହି ସମୟରେ ଇଣ୍ଟରନେଟରେ ‘ଜ୍ଵର, କାଶ ଓ ଡାଇରିଆ’କୁ ନେଇ ପ୍ରବଳ ସର୍ଚ୍ଚ କରୁଥିଲେ।