ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଯୌତୁକ ଜୁଇରେ ପୁଣି ଜଳିଲେ ମହିଳା। ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ରୀତା ବେହେରା ନାମକ ଜଣେ ମହିଳାଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ମାରିଦେଇଥିବା ରୀତାଙ୍କ ଭାଇ ଆଭିଯୋଗ କରିଛନ୍ତି।
ମୃତ ରୀତାଙ୍କ ଭାଇ ନିଲୁ ପୃଷ୍ଟିଙ୍କ ଅଭିଯୋଗ ଅନୁଯାୟୀ ୨୦୧୩ ମସିହାରେ ନେତପୁର ଗାଁର ବାବୁଲି ପୃଷ୍ଟିଙ୍କ ଝିଅ ରୀତା ମଧୁପୁର ଗାଁର ରଞ୍ଜିତ ବେହେରାଙ୍କୁ ବିବାହ କରିଥିଲେ। ବିବାହ ବେଳେ ବର ପକ୍ଷର ଦାବି ମୁତାବକ ୧ ଲକ୍ଷ ଟଙ୍କା ଓ ସୁନା ଗହଣା ଦେଇଥିଲେ ରୀତାଙ୍କ ପରିବାର ଲୋକେ।
ପରେ ଶାଶୁଘର ପକ୍ଷରୁ ଆହୁରି ୫୦ ହଜାର ଟଙ୍କା ଦାବି କରାଯାଇଥିଲା। ଟଙ୍କା ଦେଇନପାରିବାରୁ ରୀତାଙ୍କ ସ୍ୱାମୀ, ଶାଶୁ ଓ ନଣନ୍ଦ ମିଶି ତାଙ୍କୁ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲେ। ଗତକାଲି ସନ୍ଧ୍ୟାରେ ସ୍ୱାମୀ, ଶାଶୁ ଓ ନଣନ୍ଦ ମିଶି ରୀତାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି।ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ ଅଭିଯୋଗ ହେବାପରେ ପୋଲିସ ମୃତ ରୀତାଙ୍କ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି।