ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡିଆ କାବ୍ୟ ସାହିତ୍ୟର ଅନ୍ୟତମ ଉଜ୍ୱଳ ତାରକା ବୈଷ୍ଣବ କବି ଭ୍ରମରବର ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।
ବୈଷ୍ଣବ କବି ଭ୍ରମରବର ରାୟ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ମରଣୀୟ ପ୍ରତିଭା। ୧୯୧୭ଠାରୁ ଆରମ୍ଭ କରି ଦୀର୍ଘ ୬ ଦଶନ୍ଧି ଧରି ସେ ୧୯୭୭ ମସିହା ପର୍ଯ୍ୟନ୍ତ ଲେଖନୀ ଚାଳନା କରିଥିଲେ। ଏହି ସମୟ ମଧ୍ୟରେ ସେ ପ୍ରାଚୀନ ରାଗରାଗିଣୀଯୁକ୍ତ ୨୭ଟି ପୂର୍ଣ୍ଣାଙ୍ଗ କାବ୍ୟ ଓ ସହସ୍ରାଧିକ ଜଣାଣ, ଛାନ୍ଦ, ଚଉତିଶା ଆଦି ରଚନା କରି ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି। ଆଜି ସେହି ମହାନ କବିଙ୍କର ଜୟନ୍ତୀ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
କାବ୍ୟ ସାହିତ୍ୟ ଜଗତର ଅନ୍ୟତମ ପୁରୋଧା ଭ୍ରମରବର ରାୟ ଜଗତସିଂହପୁର ଜିଲ୍ଲା ବାଇସି ମୌଜା ବାରେଡିଆ ଗ୍ରାମରେ ୧୮୯୭ରେ ଆଜିର ଦିନରେ ଜନ୍ମ ହୋଇଥିଲେ।
‘‘କବି ଉପେନ୍ଦ୍ରଭଞ୍ଜ,ଭକ୍ତକବି ଦୀନକୃଷ୍ଣ ଦାସ ଓ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଆଦି ରୀତିଯୁଗୀୟ କବିଙ୍କ ପଦାଙ୍କ ଅନୁସରଣ କରି ଆଧୁନିକ କାଳରେ ଅନେକ ବଚନିକା, ମେଳା, ଓଗାଳ ଓ ଶୂନ୍ୟଭଜନମାନ ରଚନା କରିଛନ୍ତି ଭ୍ରମରବର ରାୟ। ଓଡ଼ିଆ କାବ୍ୟ ସାହିତ୍ୟକୁ ସେ ବହୁ ଭାବରେ ସମୃଦ୍ଧ କରିପାରିଛନ୍ତି। ୧୯୭୭ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।
‘‘ଭ୍ରମରବର ରାୟଙ୍କ ସାହିତ୍ୟର ଏକ ମୂଳକଥା ହେଲା ସେ ଗ୍ରାମାଞ୍ଚଳର ବିଭିନ୍ନ କଥିତ ଭାଷାକୁ ସଂଗ୍ରହ କରି ଛନ୍ଦ ଚଉପଦୀରେ ପ୍ରକାଶ କରୁଥିଲେ। ସେ ଯେତେବେଳେ ପ୍ରଥମେ ଲେଖାଲେଖି ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ପାଖରେ କାଗଜ କଲମ ନଥିଲା। ସେ ଖଡ଼ିରେ ଗାଁ କାନ୍ଥରେ ଲେଖୁଥିଲେ। ଯାହାଫଳରେ ତାଙ୍କର ଅନେକ କବିତା ଏବେ ହଜିଯାଇଛି। ବାଇସିମୌଜା ଭଳି ଏକ ଦ୍ୱାପାଞ୍ଚଳ, ଯେଉଁଠି ଚାରିପଟେ ନଦୀ ଘେରି ରହିଛି, ସେ ଗାଁକୁ ଯାଇ ହେଉନଥିଲା, ଆଲୋକ ନଥିଲା, ସେଭଳି ପରିସ୍ଥିତିରେ ସେ ସାହିତ୍ୟ ସାଧନା କରୁଥିଲେ। କାହାର ପ୍ରଶଂସା ମଧ୍ୟ ସେ ଚାହିଁନଥିଲେ’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅରବିନ୍ଦ ରାୟ।
‘‘ରୀତିଯୁଗୀୟ ସାହିତ୍ୟର ଜଣେ ଅଦ୍ୱିତୀୟ କବି ଥିଲେ ଭ୍ରମରବର ରାୟ। ତାଙ୍କ ପ୍ରତିଭାର ତୁଳନା ନାହିଁ। ତାଙ୍କ ଲେଖାଗୁଡ଼ିକ ଏବେବି ପାଲା, ଦାସକାଠିଆ, ଘୋଡ଼ାନାଚ, ସଂକୀର୍ତ୍ତନ ଏବଂ ଖଞ୍ଜଣୀ ଭଜନ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ମଞ୍ଚରେ ପ୍ରଦର୍ଶିତ ହେଉଛି। ବିଶେଷ କରି ତାଙ୍କ ରଚିତ ୨୬ ଗୋଟି ପାଲା କାବ୍ୟକୁ ପାଲକାରମାନେ ଓଡ଼ିଶାର ବିଭିନ୍ନ ମଞ୍ଚରେ ଏବଂ ଟିଭି ମାଧ୍ୟରେ ପ୍ରଚାରିତ କରି କବିଙ୍କୁ ଚିର ଜୀବିତ କରି ରଖିଛନ୍ତି”, କହିଛନ୍ତି ବିଶିଷ୍ଟ ଗବେଷକ ଜ୍ଞାନପ୍ରିୟ କାନୁନଗୋ।
ସେ ଆହୁରି ମଧ୍ୟ କହିଛନ୍ତି, ”ଭ୍ରମରବାର ରାୟ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। ବମ୍ବିଲୋ ମଠର ବାବାଜୀ ରାଧାଚରଣ ଦାସଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ତେଣୁ ତାଙ୍କୁ ବୈଷ୍ଣବ କବିର ଆଖ୍ୟା ଦିଆଯାଇଥିଲା’’।