ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଚର୍ଚ୍ଚାରେ ଥିଲେ ‘ବାବା କା ଢାବା’ର ମାଲିକ କାନ୍ତାପ୍ରସାଦ।
ସୋସିଆଲ ମିଡିଆ ବଦଳେଇ ଦେଲା କାନ୍ତାପ୍ରସାଦଙ୍କ ଜୀବନ। ଦିଲ୍ଲୀର ମାଲବୀୟ ନଗରରେ ଦିନେ ‘ବାବା କା ଢାବା’ ଚଲାଉଥିବା ୮୧ ବର୍ଷୀୟ ବୃଦ୍ଧ କାନ୍ତାପ୍ରସାଦ ଏବେ ନିଜର ଏକ ନୂଆ ରେସ୍ତୋରାଁ ଖୋଲିପାରିଛନ୍ତି। ଏଥିପାଇଁ ସେ ସୋସିଆଲ ମିଡିଆକୁ ସବୁ ଶ୍ରେୟ ଦେଇଛନ୍ତି। ଗତ ଅକ୍ଟୋବର ମାସରେ କାନ୍ତାପ୍ରସାଦଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ କାନ୍ତାପ୍ରସାଦଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହା ଫଳରେ ସେ ଆଜି ଏକ ରେସ୍ତୋରାଁ ଖୋଲିବାରେ ସଫଳ ହୋଇପାରିଛନ୍ତି ବୋଲି କାନ୍ତାପ୍ରସାଦ କହିଛନ୍ତି।ଅକ୍ଟୋବର ୮ରେ ଚର୍ଚ୍ଚାକୁ ଆସିଥିଲେ
ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ କାନ୍ତାପ୍ରସାଦ ଏକ ଢାବା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଏହା ‘ବାବା କା ଢାବା’ ନାଁରେ ବେଶ୍ ପରିଚିତ ଥିଲା। ତେବେ କରୋନା ସମୟରେ କାନ୍ତାଙ୍କ ବେପାର ଠିକ୍ ଭାବେ ହୋଇପାରିଲା ନାହିଁ। ଫଳରେ ଗୁଜୁରାଣ ମେଣ୍ଟାଇବାକୁ ତାଙ୍କୁ ଖୁବ୍ କଷ୍ଟ ହେଉଥିଲା। ଗତ ଅକ୍ଟୋବର ୮ ତାରିଖରେ କାନ୍ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଲା। ଏହି ଭିଡ଼ିଓକୁ ଗୌରବ ଓ୍ୱାସନ ନାମକ ଜଣେ ୟୁଟ୍ୟୁବର ରେକର୍ଡିଂ କରିବା ସହ ସୋସିଆଲ ମିଡିଆରେ ଅପଲୋଡ୍ କରିଦେଇଥିଲେ। ଏହି ଭିଡିଓର କାନ୍ତା ପ୍ରସାଦ ନିଜ ଦୁଃଖ ଭରା କାହାଣୀ କହିଥିଲେ।
ଚାହୁଁ ଚାହୁଁ ଭିଡିଓଟି ଟ୍ୱିଟର, ଫେସବୁକ୍ ଆଦିରେ ଟ୍ରେଣ୍ଡ କରିବାକୁ ଲାଗିଲା। ଏହାପରେ କାନ୍ତାଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଲୋକ ଆଗେଇ ଆସିଥିଲେ। ସେଥିମଧ୍ୟରେ ଅନେକ ସେଲିବ୍ରିଟି ଓ କ୍ରିକେଟର ମଧ୍ୟ ସାମିଲ ଥିଲେ। ଏହାପରେ ଧୀରେ ଧୀରେ କାନ୍ତାପ୍ରସାଦଙ୍କ ଢାବାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଲା ଆଉ ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ ହେଲା।ଜୋମାଟୋରେ ଯୋଡ଼ି ହେଲା ‘ବାବା କା ଢାବା’
କାନ୍ତାପ୍ରସାଦଙ୍କ ଭିଡିଓ ଭାଇରାଲ ହେବା ପରେ ଜୋମାଟା ତା ଲିଷ୍ଟରେ ‘ବାବା କା ଢାବା’କୁ ସାମିଲ କରିଥିଲା। ଦିଲ୍ଲୀବାସୀ ଯତେବେଳେ ଚାହିଁବେ ସେତେବେଳେ ଏହି ଢାବାରୁ ଖାଦ୍ୟ ଅର୍ଡର କରିପାରିବେ ବୋଲି ଜୋମାଟୋ ଟୁଇଟ୍ କରି ସୂଚନା ଦେଇଥିଲା।
କିଛି ଦିନ ପରେ ଫେରିଥିଲା ବୁଢ଼ା ମଉସାଙ୍କ ଦୁଃଖ
ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଥିବା କାନ୍ତାପ୍ରସାଦଙ୍କ ଢାବା କିଛି ଦିନ ଭଲରେ ଚାଲିବା ପରେ ପୁଣି ଗ୍ରାହକଙ୍କ ସଂଖ୍ୟା କମିଥିଲା। ଭିଡିଓ ଭାଇରାଲ ହେବାର ମାତ୍ର ୨୦ ଦିନ ପରେ ତାଙ୍କ ଦୋକାନର ଅବସ୍ଥା ପୂର୍ବଭଳି ହୋଇଯାଇଥିଲା।
ୟୁଟ୍ୟୁବରଙ୍କ ବିରୋଧରେ ଠକେଇ ଅଭିଯୋଗ
କାନ୍ତାପ୍ରସାଦଙ୍କ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଥିବା ୟୁଟ୍ୟୁବର ଗୌରବଙ୍କ ବିରୋଧରେ ନଭେମ୍ବର ମାସରେ ଠକେଇ ଅଭିଯୋଗ ଆସିଥିଲା। ନିଜେ କାନ୍ତାପ୍ରସାଦ ଏହି ଅଭିଯୋଗ କରିଥିଲେ। କାନ୍ତାଙ୍କ ପାଖକୁ ସହାୟତା ରାଶି ପଠାଇବାକୁ ଗୌରବ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ସହାୟତା ବାବଦକୁ ମିଳିଥିବା ଟଙ୍କା କାନ୍ତାଙ୍କୁ ପ୍ରଦାନ କରାଯିବ ବୋଲି ଗୌରବ କହିଥିଲେ। କିନ୍ତୁ ଗୌରବ ତାଙ୍କୁ ମାତ୍ର ୨ ଲକ୍ଷ ଟଙ୍କା ଦେଇ ବାକି ସବୁ ଟଙ୍କା ହଡ଼ପ କରିନେଇଥିବା କାନ୍ତା ଅଭିଯୋଗ କରିଥିଲେ। ଏନେଇ ସେ ମାଲବୀୟ ନଗର ଥାନାରେ ଏତଲା ଦେଇଥିଲେ।ତେବେ ଗୌରବ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ପାଖକୁ ମୋଟ ୩ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ଆସିଥିବା କହିଥିଲେ। ଏଥିସହ ସେ ସମସ୍ତ ଅର୍ଥ କାନ୍ତାପ୍ରସାଦଙ୍କ ଆକାଉଣ୍ଟକୁ ପଠାଇ ଦେଇଥିବା ସୂଚନା ଦେଇଥିଲେ। ଏହାର ପ୍ରମାଣ ସ୍ୱରୂପ ସେ ବ୍ୟାଙ୍କ ରିସିପ୍ଟକୁ ଫେସବୁକରେ ସେୟାର କରିଥିଲେ।
ରାସ୍ତା କଡ଼ ଢାବାରୁ ନୂଆ ରେସ୍ତୋରାଁ
ନିଜର ଢାବା ପାଇଁ ଚର୍ଚ୍ଚା ସାଉଁଟିଥିବା କାନ୍ତାପ୍ରସାଦ ନିଜର ଏକ ରେସ୍ତୋରାଁ ଖୋଲିଛନ୍ତି। ଦିଲ୍ଲୀର ମାଲବୀୟ ନଗର ରୋଡରେ ସେ ତାଙ୍କର ଏହି ନୂଆ ରେସ୍ତୋରାଁ ଖୋଲିଛନ୍ତି। ଏଠାରେ ଉଭୟ ଭାରତୀୟ ଓ ଚାଇନିଜ୍ ଖାଦ୍ୟ ଉପଲବ୍ଧ ହେଉଛି। ଢାବା ତୁଳନାରେ ଏହି ରେସ୍ତୋରାଁରୁ ଅଧିକ ରୋଜଗାର ହେବ ବୋଲି କାନ୍ତା ଆଶା ବ୍ୟକ୍ତ କରିଛନ୍ତି। ତାଙ୍କୁ ସାହାଯ୍ୟ କରିଥିବା ଲୋକମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ସେମାନଙ୍କୁ ନିଜ ରେସ୍ତୋରାଁକୁ ଖାଇବାକୁ ଆସିବାକୁ କାନ୍ତା କହିଛନ୍ତି।