ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ସଂକ୍ରମଣ ବଢ଼ିବା ଦେଖି ଲୋକେ ଭୟଭୀତ ହେଲେଣି। ବଢ଼ୁଥିବା କରୋନା ଗ୍ରାଫକୁ ନେଇ ଏବେ ବିଭିନ୍ନ ରାଜ୍ୟ ସଜାଗ ହେଉଛନ୍ତି। ମହାରାଷ୍ଟ୍ରରେ ଲକଡାଉନ, ଗୁଜୁରାଟରେ ନାଇଟ କର୍ଫ୍ୟୁ ଜାରି ରହିଥିଲା ବେଳେ ଓଡ଼ିଶା ସରକାର ବି ତତ୍ପରତା ଦେଖାଇଛନ୍ତି। ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି। ନୂଆ କରୋନା ମାମଲା ଉପରେ ଦୃଷ୍ଟି ରଖିବା ସହ କରୋନା ନିୟମ କଡ଼ାକଡ଼ି ପାଳନ କରିବା ପାଇଁ କୁହାଯାଇଛି। ଫଳରେ ଓଡ଼ିଶାକୁ ପୁଣିଥରେ କରୋନା ଫେରିବ କି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିଛି।

ଆବଶ୍ୟକ ହେଲେ ଲାଗୁ ହୋଇପାରେ ଲକଡାଉନ୍‌ – ସିବିକେ ମହାନ୍ତି

ଲକଡାଉନ୍‌ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି, ‘‘କହିଛନ୍ତି ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି। ଏବେ ଲକ୍‌ଡାଉନର ଆବଶ୍ୟକତା ନାହିଁ। କିନ୍ତୁ ଦରକାର ପଡ଼ିଲେ ଲକଡାଉନ୍‌ ଘୋଷଣା ହୋଇପାରେ। କରୋନା ଭୟ କମିଥିଲେ ବି ଲୋକଙ୍କୁ ସଚେତନ ରହିବା ଆବଶ୍ୟକତା ଅଛି। ଲୋକେ ସଚେତନ ରହିଲେ ଲକଡାଉନକୁ ଏଡ଼ାଇ ହେବ। ସର୍ଭେଲାନ୍ସ ଟିମ୍‌ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି’’,।

ଓଡ଼ିଶାରେ ମୁଣ୍ଡ ଟେକୁଛି କରୋନା

କରୋନା ଭିତରେ ଲୋକଙ୍କର ଏକ ବର୍ଷ ବିତିବାକୁ ଯାଉଛି। ତଥାପି କରୋନା ଛାଡ଼ି ଯାଇନାହିଁ। ଆଜି ବି ଓଡ଼ିଶାରେ ପ୍ରତିଦିନ ୫୦ରୁ ୭୦ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ପ୍ରତିଦିନ ୨ରୁ ୪ ଜଣ ଆକ୍ରାନ୍ତ ଆଖି ବୁଜୁଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ୬୫୮ ରହିଛି।

ଦେଶରେ ବଢ଼ୁଛି ସଂକ୍ରମଣ

ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଗତ ୩୪ ଘଣ୍ଟାରେ ୧୩, ୪୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହଗତ ୨୨ ଦିନରେ ସର୍ବାଧିକ। ସେହିପରି ଗତ ୨୪ ଘଣ୍ଟାରେ ୧୦୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ଏବେ ୧ ଲକ୍ଷ ୪୩ ହଜାର ୧୨୭ ଆକ୍ଟିଭ କେସ୍‌ ଥିଲା ବେଳେ ସୁସ୍ଥ ହୋଇଛନ୍ତି ୧ କୋଟି ୬ ଲକ୍ଷ ୭୮ ହଜାର ୧୩୯ ଜଣ।  ଗତ ଜାନୁଆରିରେ ସର୍ବାଧିକ ୧୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମଥିଲା।

ଡରାଉଛି ସାଉଥ୍‌ ଆଫ୍ରିକାନ ଷ୍ଟ୍ରେନ୍‌

ବ୍ରିଟେନ ଷ୍ଟ୍ରେନ ପରେ ଭାରତରେ ସାଉଥ୍‌ ଆଫ୍ରିକାନ ଷ୍ଟ୍ରେନ, ବ୍ରାଜିଲ ଷ୍ଟ୍ରେନ ମଧ୍ୟ ଚିହ୍ନଟ ହୋଇସାରିଲେଣି। ଭାରତରେ ୪ ଜଣଙ୍କଠାରେ ସାଉଥ ଆଫ୍ରିକ ଷ୍ଟ୍ରେନ ଚିହ୍ନଟ ହୋଇଛି। ତେଣୁ ଏହି ରୋଗକୁ ନେଇ ଖାମ ଖିଆଲି କରିବା ଉଚିତ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଲେଣି।

LEAVE A REPLY

Please enter your comment!
Please enter your name here