ନୀଳାମ୍ବର ରଥ
ପ୍ରିଣ୍ଟ ଏବଂ ଆଉଟଡୋର ମିଡିଆ ଆଡଭର୍ଟାଇଜିଂ ମାମଲାରେ ଓଡ଼ିଆ ଭାଷାର ତ୍ରୁଟିପୂର୍ଣ୍ଣ ପ୍ରୟୋଗ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏୟାର୍ ଏସିଆର ବିଜ୍ଞାପନରେ ‘ବଙ୍ଗୀୟ ଉଚ୍ଚାରଣ’ ତା’ର ଏକ ତାଜା ଉଦାହରଣ।
ନିକଟରେ ବିଭିନ୍ନ ଓଡ଼ିଆ ଖବରକାଗଜରେ ଏୟାର୍ ଏସିଆ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞାପନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରମୁଖ ଖବରକାଗଜର ପ୍ରଥମ ପୃଷ୍ଠାରେ ମୁଦ୍ରିତ ଏହି ବିଜ୍ଞାପନରେ ଇଂଲିଶ ଭାଷାରେ ଲେଖାଥିଲା ‘କେମନ୍ ଆଛୋ ଭୁବନେଶ୍ୱର’। ଏହି ବିମାନ କମ୍ପାନିର କଲିକତା-ଭୁବନେଶ୍ୱର ଏବଂ ଭୁବନେଶ୍ୱର ବାଟଦେଇ କଲିକତାରୁ ବେଙ୍ଗଳୁରୁକୁ ଯାଉଥିବା ନୂଆ ଉଡ଼ାଣ ସମ୍ପର୍କରେ ଘୋଷଣା ଥିଲା ଏହି ବିଜ୍ଞାପନର ବିଷୟ।
ଭୁବନେଶ୍ୱର ବା ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ‘କେମନ୍ ଆଛୋ ଭୁବନେଶ୍ୱର’ ଲେଖାଯିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ୱାଭାବିକ। ଓଡ଼ିଶାର ପ୍ରମୁଖ ସାମ୍ବାଦିକ ଏବଂ ବୁଦ୍ଧିଜୀବୀମାନେ ଏୟାର ଏସିଆର ଏହି ବଙ୍ଗୀୟ ଆଭିମୁଖ୍ୟକୁ ନାପସନ୍ଦ କରି ସୋସିଆଲ ମିଡିଆରେ ନିନ୍ଦା କରିଛନ୍ତି। ଏହି ମାଡ଼ରେ ଏୟାର ଏସିଆ ସାବାଡ୍।
ଏପରିକି ଏହାର ସଂଶୋଧନ କରିବାକୁ ଯାଇ ଏୟାର୍ ଏସିଆ କର୍ତ୍ତୃପକ୍ଷଙ୍କୁ ଠିକ୍ ପରଦିନ ଆଉ ଏକ ପୂରା ପୃଷ୍ଠାର ବିଜ୍ଞାପନ ଦେବାକୁ ପଡ଼ିଛି। ଏହି ବିଜ୍ଞାପନରେ ‘କେମନ୍ ଆଛୋ ଭୁବନେଶ୍ୱର’ ବଦଳରେ ‘ଚାଲ ଯିବା ଭୁବନେଶ୍ୱର’ ଲେଖାଯିବା କଥାରୁ ସ୍ପଷ୍ଟ ହୋଇଯାଇଛି ଯେ ଏୟାର୍ ଏସିଆ ଓଡ଼ିଆ ଲୋକଙ୍କୁ ବଙ୍ଗଳା ସ୍ୱରରେ ଡାକି ଭୁଲ କରିଥିବା କଥା ବୁଝିପାରିଛି।
କିନ୍ତୁ ଏହି ଦ୍ୱିତୀୟ ବିଜ୍ଞାପନରେ ମଧ୍ୟ ‘ଚାଲ ଯିବା ଭୁବନେଶ୍ୱର’ ଲେଖିଲାବେଳେ ‘ଯିବା’ ଶବ୍ଦଟିକୁ ‘ଯିବ୍ବା’ ଢାଞ୍ଚାରେ ଲେଖି ଏୟାର୍ ଏସିଆ ପୁଣି ସମାଲୋଚନାର ଶିକାର ହୋଇଛି। ଧନ୍ୟ ଏୟାର୍ ଏସିଆ! ଧନ୍ୟ ତୁମ ବିଜ୍ଞାପନ କମ୍ପାନି!
ବିଭିନ୍ନ ବିଜ୍ଞାପନ ମିଡିଆରେ ଓଡ଼ିଆ ଭାଷାର ତ୍ରୁଟିପୂର୍ଣ୍ଣ ପ୍ରୟୋଗ, ଏପରିକି ଅଦ୍ଭୁତ ବ୍ୟବହାର ବାରମ୍ବାର ଦେଖିବାକୁ ମିଳିଛି। ୨୦୧୭ ମସିହାରେ ମଧ୍ୟ ଓଡ଼ିଆ ଲୋକଙ୍କ ଲୋକପ୍ରିୟ ପର୍ବ ‘ରଜ’ କଥା କହିବା ବେଳେ ଖବରକାଗଜ, ହୋଡିଂ ଓ ଟିଭି ମିଡିଆ ଆଦିରେ ଇଂଲିଶ ଭାଷାରେ ‘ରାଜୋ’ ବୋଲି ଲେଖାଚାଲିଛି। ସେହିପରି ଦଶହରା ସମୟରେ ପବିତ୍ର ଶାରଦୀୟ ପୂଜା ଅଭିନନ୍ଦନ କଥା କହିଲା ବେଳେ ‘ପୂଜୋ’ ବୋଲି ବିଜ୍ଞାପନରେ ବଡ଼ ବଡ଼ ଅକ୍ଷରରେ ଦେଖିବାକୁ ମିଳୁଛି। ଏହି ରାଜୋ ଓ ପୂଜୋ ମଧ୍ୟ ବିଜ୍ଞାପନଦାତା ଓ ପ୍ରସ୍ତୁତକର୍ତ୍ତାଙ୍କ ବଙ୍ଗୀୟ ଆଭିମୁଖ୍ୟ ଓ ସ୍ଥଳବିଶେଷରେ ଅଜ୍ଞତା ଓ ମୂର୍ଖାମୀର ଉଦାହରଣ।
କୌଣସି ଭାଷାରେ ବା କୌଣସି ମାଧ୍ୟମରେ ବିଜ୍ଞାପନ ପ୍ରସ୍ତୁତ କରାଯିବାବେଳେ ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ (ଟାର୍ଗେଟ୍ ଅଡିଅନ୍ସ) ନଜରରେ ରଖି ଭାଷା, ଭାବ ଓ ଷ୍ଟାଇଲ୍ର ପ୍ରୟୋଗ କରାଯାଇଥାଏ। ଆଡଭର୍ଟାଇଜିଂ ଓ କମ୍ୟୁନିକେସନ୍ ଦୃଷ୍ଟିରୁ ଦେଖିଲେ ଏହା ହେଉଛି ପ୍ରଥମ ଆବଶ୍ୟକତା। କିନ୍ତୁ ଓଡ଼ିଶା ବଜାରକୁ ନବୁଝି ବା ଅଣଦେଖା କରି ‘ପୂଜା’କୁ ‘ପୂଜୋ’ ବା ‘ରଜ’କୁ ‘ରାଜୋ’ ଲେଖାଯିବା ଯାହା ଆଜି ଏୟାର୍ ଏସିଆ ପକ୍ଷରୁ ଓଡ଼ିଆ ଭାଷା ଏବଂ ଭାବନାକୁ ପାଦରେ ଦଳି ‘କେମନ୍ ଆଛୋ ଭୁବନେଶ୍ୱର’ ଲେଖାଯିବା ତାହା। ଚରମ ଦୁର୍ଭାଗ୍ୟର କଥା, ବର୍ଷ ବର୍ଷ ଧରି ଆମେ ଆମ ଭାଷା ଓ ଭାବନାର ଏହି ଅପମାନକୁ ନୀରବରେ ସହି ଆସୁଛୁ!
ବିଜ୍ଞାପନ ବଜାରରେ ଓଡ଼ିଆ ଭାଷାର ତ୍ରୁଟିପୂର୍ଣ୍ଣ ପ୍ରୟୋଗ ପଛରେ ଏକ ଐତିହାସିକ କାରଣ ରହିଛି। ଆମ ଦେଶରେ ଯେତେବେଳେ ପ୍ରିଣ୍ଟ ଏବଂ ଆଉଟ୍ଡୋର ମିଡିଆ ପାଇଁ ବିଜ୍ଞାପନର ବଜାର ଖୋଲିଲା ସେତେବେଳେ ବମ୍ବେ, ଚେନ୍ନାଇ, ବାଙ୍ଗାଲୋର ଏବଂ କଲିକତା ଏହାର ମୁଖ୍ୟକେନ୍ଦ୍ର ଭାବେ ଗଢି ଉଠିଥିଲା। ଅର୍ଥାତ୍ ଏହିସବୁ ସ୍ଥାନରୁ ଦେଶର କେଉଁ କେଉଁ ରାଜ୍ୟ ବା ଭାଷାରେ କ’ଣ ବିଜ୍ଞାପନ ଦିଆଯିବ ତାହା ସ୍ଥିର କରାଯାଉଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ଆଞ୍ଚଳିକ ଭାଷାରେ ବିଜ୍ଞାପନ ପ୍ରସ୍ତୁତି (ପ୍ରଡକ୍ସନ) ମଧ୍ୟ ଏହିସବୁ ଜାଗାରୁ ଏକପ୍ରକାର ନିୟନ୍ତ୍ରଣ କରାଗଲା। ହେଲେ ମୂଳ ଇଂଲିଶ ବା ହିନ୍ଦୀ ଭାଷାରେ ପ୍ରସ୍ତୁତ ବିଜ୍ଞାପନକୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରିବା ପାଇଁ ଗଲାବେଳେ ବାଟରେ ଯିଏ ମିଳିଲା ‘କାଣୀ ଝିଅକୁ ବୁଢ଼ା ବର’ ଭଳି ବିଜ୍ଞାପନ ଏଜେନ୍ସିମାନେ ଉଠାଇନେଲେ। ତେଣୁ ଓଡ଼ିଆ ଭାଷାରେ ଅନୁବାଦ କରିବା ହେଉ କି ଅକ୍ଷର ସଜ୍ଜୀକରଣ ବା ଲେଆଉଟ୍ ଆଦି ମାମଲାରେ ଅଧା-ଓଡ଼ିଆ ବା ଅଣ-ଓଡ଼ିଆମାନେ ପାଲଟିଲେ ବିଶିଷ୍ଟ ଭାଷାବିତ ଏବଂ ଅନୁବାଦକ!
ଆଜି ମଧ୍ୟ ଭାରତୀୟ ବିଜ୍ଞାପନ ଶିଳ୍ପ ଏହି ସମସ୍ୟାରୁ ମୁକୁଳିପାରୁନାହିଁ। କେବଳ ଓଡ଼ିଆ ଭାଷା କାହିଁକି, ଅନ୍ୟ ଭାରତୀୟ ଭାଷାରେ ବା ରାଜ୍ୟ ପାଇଁ ବିଜ୍ଞାପନ ପ୍ରସ୍ତୁତି ବେଳେ ଏଭଳି ଗୁରୁ-ଚଣ୍ଡାଳ ଦୋଷ ଦେଖିବାକୁ ମିଳୁଛି। କଥା ହେଉଛି ଯଦି ଏୟାର୍ ଏସିଆର ଏହି ବିଜ୍ଞାପନଟି ଚେନ୍ନାଇ କିମ୍ବା ବେଙ୍ଗଳୁରୁରୁ ପ୍ରକାଶ ପାଉଥିବା ପ୍ରମୁଖ ଖବରକାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରିଥା’ନ୍ତା, ତେବେ ହୁଏତ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଆହୁରି ଜୋରଦାର ହୋଇଥାନ୍ତା। ଭାଷା ଓ ଭୂଗୋଳକୁ ନେଇ ପ୍ରତିବାଦ କଲାବେଳେ ଓଡ଼ିଆ ଲୋକମାନେ ଯେ ଛେରୁଆ, ତାହା ବାରମ୍ବାର ପ୍ରମାଣିତ ହୋଇଛି।
ବିଜ୍ଞାପନ ଏକ ସ୍ପର୍ଶକାତର ଗଣଯୋଗାଯୋଗ ମାଧ୍ୟମ। ଏଥିରେ ପାନରୁ ଚୂନ ଖସିଗଲେ ଅଡ଼ୁଆ। ଅତୀତରେ ଏଭଳି ଗୁରୁତର ଦୋଷକରି ଅନେକ ବିଜ୍ଞାପନଦାତା ଓ ଆଡଭର୍ଟାଇଜିଂ ଏଜେନ୍ସି ସାଧାରଣରେ ନିନ୍ଦିତ ଓ ଲଜ୍ଜିତ ହୋଇଛନ୍ତି। ଏୟାର୍ ଏସିଆ ଭାଗ୍ୟରେ ତାହାହିଁ ଘଟିଛି। ଗୋଟିଏ ବିଜ୍ଞାପନରେ ଭୁଲ କରି ଆଉ ଗୋଟିଏ ବିଜ୍ଞାପନ ଦେଇ କେହି ଖସି ଯାଇପାରିବେ ନାହିଁ। ଏୟାର୍ ଏସିଆ କର୍ତ୍ତୃପକ୍ଷ ତଥା ଏହି ବିଜ୍ଞାପନ ପ୍ରସ୍ତୁତ କରିଥିବା ମିଡିଆ କମ୍ପାନି ଓଡ଼ିଶାବାସୀଙ୍କ ନିକଟରେ ନିଃସର୍ତ୍ତ ଭାବେ କ୍ଷମା ମାଗିବା ଦରକାର।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍ ୱେବ୍ ଚ୍ୟାନେଲ୍ର ପ୍ରତିଷ୍ଠାତା ସମ୍ପାଦକ)