ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ ପ୍ରସ୍ତୁତ ମାସିକ ଓ୍ୱେବ୍‌ ସିରିଜ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ କମ୍ପାନି ‘ନେଷ୍ଟଆଓ୍ଵେ’ର ସହ-ପ୍ରତିଷ୍ଠାତା ଏବଂ ସିଇଓ ତଥା ଯୁବ ଓଡ଼ିଆ ଉଦ୍ୟୋଗୀ ଅମରେନ୍ଦ୍ର ସାହୁଙ୍କୁ ସହ ସୁବ୍ରତ ବାଗ୍‌ଚୀଙ୍କ ବାର୍ତ୍ତାଳପର ସଂକ୍ଷିପ୍ତ ଅଂଶ।

ସୁବ୍ରତ ବାଗ୍‌ଚୀ: ଆପଣଙ୍କ କମ୍ପାନି ନେଷ୍ଟ୍‌‌ଆୱେ ଆଜି ସାଧାରଣରେ ବେଶ ପରିଚିତ। ଆପଣ କର୍ଣ୍ଣାଟକର ସୁରତକଲ୍‌ ଏନ୍‌ଆଇଟିରୁ ଇଂଜିନିୟରିଂ ପାସ୍‌ କରି ପ୍ରଥମେ ଚାକିରି କଲେ। ପରେ ଗୋଟିଏ ଷ୍ଟାର୍ଟଅପ୍‌ କରି ତାକୁ ବିକିଲେ। ପୁଣି ଏହି କମ୍ପାନି ଗଢ଼ିଲେ। ଭଦ୍ରକର ଚରମ୍ପା ସ୍କୁଲରୁ ଏନ୍‌ଆଇଟି ପର୍ଯ୍ୟନ୍ତ ଆପଣଙ୍କର ଯେଉଁ ଯାତ୍ରା ତାହା କେମିତି ଥିଲା?

ଅମରେନ୍ଦ୍ର ସାହୁ: ତାହା ଯେତିକି ରୋମାଞ୍ଚକର ଥିଲା ସେଥିରେ ସେତିକି ଆନନ୍ଦ ମଧ୍ୟ ରହିଥିଲା। ଚରମ୍ପାରେ ପାଠ ପଢ଼ୁଥିବା ବେଳେ ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ପଢ଼ିବା ଲାଗି ମୋର ଇଚ୍ଛା ଥିଲା। କାରଣ ସେ ସମୟରେ ମୁଁ ଆଉ କୌଣସି କଲେଜ ବିଷୟରେ ଜାଣି ନଥିଲି। ବାପା ଢେଙ୍କାନାଳ ଜିଲ୍ଲାରେ ରହୁଥିବାରୁ ମୁଁ ସରାଙ୍ଗ ବିଷୟରେ ଜାଣିଥିଲି।

ସ୍କୁଲରେ ମୁଁ ସବୁବେଳେ ଫାଷ୍ଟ ହେଉଥିଲି। ସମସ୍ତେ ମତେ ଭଲ ପାଉଥିଲେ। ପରେ ମୁଁ ଭଦ୍ରକ କଲେଜରେ ପ୍ଲସ୍ ଟୁ ପଢ଼ିଲି। ପ୍ଲସ୍ ଟୁ ପରୀକ୍ଷାରେ ମୁଁ ରାଜ୍ୟରେ ଷଷ୍ଠ ସ୍ଥାନରେ ରହିଥିଲି। ସେହି ବର୍ଷ ବିଟ୍‌ସ୍ ପିଲାନିରୁ ନାମ ଲେଖାଇବା ପାଇଁ ଅଫର ମଧ୍ୟ ଥିଲା। କିନ୍ତୁ, ୧୯୯୯ ମସିହା। ମହାବାତ୍ୟାଜନିତ ବନ୍ୟାରେ ଭଦ୍ରକ ଜିଲ୍ଲା ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା। ବନ୍ୟା ଛାଡ଼ିଲା ପରେ ଜୁଲାଇ ଅଗଷ୍ଟ ବେଳକୁ ଡାକ ଘରେ ଯାଇ ଦେଖିଲା ବେଳକୁ ଚିଠି ପ୍ୟାକେଟକୁ ମୂଷା ଖାଇଯାଇଥିଲା। ସେ ସ୍ୱପ୍ନ ଗଲା!

ଟେକ୍ସଟାଇଲ୍ ଇଞ୍ଜିନିୟରିଂ ପାଇଁ ଆର୍‌‌ଇସି ରାଉରକେଲା ଯିବା କଥା ଭାବିଲି। କିନ୍ତୁ ସେଠି ଅଧିକ ଖର୍ଚ୍ଚ ପଡ଼ୁଥିବାରୁ ମୁଁ  ଘରେ ମିଛ କହିଥିଲି। ପରେ କମ୍ପ୍ୟୁଟର ସାଇନ୍ସ ପାଇଁ ମୁଁ ସୁରତକଲ୍‌ ଗଲି। ସେଠି ପିଲାମାନେ ମୁଖ୍ୟତଃ ଇଂରାଜୀରେ କଥା ହେଉଥିଲେ। ସାର୍‌ମାନେ ମଧ୍ୟ କ୍ଲାସ୍‌ରେ ଇଂରାଜୀରେ ପାଠ ପଢ଼ାଉଥିଲେ । ମୁଁ ସବୁ ପାଠ ବୁଝି ପାରୁଥିଲି, ହେଲେ ଇଂରାଜୀ କହିବାର ସାହସ ହେଉନଥିଲା। ରାତିରେ ସବୁ ପିଲା ଶୋଇଯିବା ପରେ ଗୋଟିଏ ଇଂରାଜୀ ଖବରକାଗଜ ଧରି ଶବ୍ଦଗୁଡ଼ିକୁ ପେନସିଲରେ ଗୋଲ ବୁଲାଇ ତାହାର ଅର୍ଥ ବାହାର କରି ବୁଝିବାକୁ ଚେଷ୍ଟା କରୁଥିଲି। ଏହା ହିଁ ମୋ’ ଭିତରେ ଇଂରାଜୀ ଶିଖିବାର ଶକ୍ତିକୁ ଦୃଢ଼ କରିଥିଲା।

ସୁବ୍ରତ ବାଗ୍‌ଚୀ: ଆପଣଙ୍କ ଚାକିରି ଜୀବନର ପ୍ରଥମ ଅନୁଭୂତି କିପରି ଥିଲା?

ଅମରେନ୍ଦ୍ର ସାହୁ: ୨୦୦୫-୦୭ ମସିହାର କଥା। ‘ବେଲ୍ ଲ୍ୟାବ୍ସ’ରେ ମୁଁ ଗୋଟେ ଭଲ ଚାକିରି କରୁଥିଲି । ଭଲ ଦରମା । କିନ୍ତୁ ମତେ ଛଟପଟ ଲାଗୁଥିଲା। ନିଜେ କିଛି କରିବା ପାଇଁ ହିଁ ମୁଁ ଚାହୁଁଥିଲି । କମ୍ପ୍ୟୁଟର ସାଇନ୍ସରେ ମୋର ଭଲ ଜ୍ଞାନ ଥିବାରୁ ସେହି ଦିଗରେ କିଛି ନୂଆ କରିବା ଲାଗି ମୁଁ ଆଗକୁ ଆସିଲି।

ମୁଁ ଯେବେ ଚାକିରି କଲି, ମତେ ଫ୍ଲାଇଟରେ ବସିବାର ଇଚ୍ଛା ଥିଲା। ମନରେ ଫାଇଭ୍ ଷ୍ଟାର ହୋଟେଲରେ ରହିବାର ସ୍ୱପ୍ନ ଥିଲା । ଯେତେବେଳେ ମୁଁ ପ୍ରଥମ ଚାକିରିରେ ଯୋଗ ଦେବାକୁ ଆସିଲି ସେମାନେ ମତେ ଫ୍ଲାଇଟ ଟିକେଟ ପଠାଇଥିଲେ। ପୁଣି ପ୍ରଥମ କେତେ ଦିନ ବାଙ୍ଗାଲୋରର ପାର୍କ ହୋଟେଲରେ ରହିଲି। ତା’ମାନେ, ମୋର ଯାହା ସ୍ୱପ୍ନ ଥିଲା ତାହା ସରିଗଲା! ଆଉ କ’ଣ କରିବାର ଅଛି? କିନ୍ତୁ ଧିରେ ଧିରେ ମୁଁ ମୋ ଭିତରର କିଛି କରିବାର ଗଭୀର ଇଚ୍ଛାକୁ ଆବିଷ୍କାର କଲି ଓ ବୁଝିଗଲି ଯେ ଏହିସବୁ ସଫଳତା ଅସଲ ସଫଳତା ନୁହେଁ ।

ସୁବ୍ରତ ବାଗ୍‌ଚୀ: ଚାକିରି କାଳରେ ଆପଣଙ୍କର ସଂଘର୍ଷମୟ ଜୀବନ କିପରି ଥିଲା?

ଅମରେନ୍ଦ୍ର ସାହୁ: ଚାକିରି କରିବା ପାଇଁ ମୁଁ ଯେତେବେଳେ ବାଙ୍ଗାଲୋରରେ ପହଞ୍ଚିଲି ସେତେବେଳେ ମତେ ଭଡ଼ା ଘର ମିଳିବାରେ ଅସୁବିଧା ହୋଇଥିଲା। କୋରମଙ୍ଗଳ ଅଞ୍ଚଳରେ ମୁଁ ଗୋଟେ ଘର ଠିକ୍ କରିଥିଲି। ହେଲେ ଘର ମାଲିକ ମତେ ଆଗୁଆ ୧୦ ମାସର ଆଡଭାନ୍ସ ଟଙ୍କା ମାଗିଲେ। ମୁଁ ନୂଆ ଚାକିରି କରିଥିବାରୁ ମୋ’ପାଖରେ ଏତେଗୁଡ଼ାଏ ଟଙ୍କା ନଥିଲା। ବାପାଙ୍କୁ ମଧ୍ୟ ମୁଁ ଟଙ୍କା ମାଗିବାକୁ ଉଚିତ ମନେ କଲିନି। ବ୍ୟାଙ୍କରୁ ଋଣ ଆଣିବା ପାଇଁ ଆବେଦନ କରି ନିରାଶ ହେଲି। ଶେଷରେ ମୁଁ କୋରମଙ୍ଗଳ ପାଖରେ ଥିବା ଅପେକ୍ଷାକୃତ ବସ୍ତି ଅଞ୍ଚଳ ଇଜିପୁରାରେ ଯାଇ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ରହିଥିଲି। ଏହିସବୁ ଘଟଣା ହିଁ ମତେ ଅନେକ କିଛି ଶିଖାଇଥିଲା।

ସୁବ୍ରତ ବାଗ୍‌‌ଚୀ: ନେଷ୍ଟଆୱେଲାଗି ପରିକଳ୍ପନା କେମିତି ହୋଇଥିଲା?

ଅମରେନ୍ଦ୍ର ସାହୁ: ମୋର ଯେଉଁ ଉଦାହରଣ ଦେଲି, ଭଡ଼ାଟିଆ ଓ ଘର ମାଲିକ କେହି କାହାକୁ ବିଶ୍ୱାସ କରିପାରୁ ନାହାନ୍ତି। ସେପଟେ ବ୍ୟାଙ୍କ୍ ମଧ୍ୟ ଜଣେ ବ୍ୟକ୍ତିକୁ ବିଶ୍ୱାସ କରିପାରୁନି। ମତେ ଲାଗିଲା ଏଇ ‘ବିଶ୍ୱାସ ସଂକଟ’ର ସମାଧାନ ହୁଏତ ଗୋଟେ ଇଣ୍ଟରନେଟ-ସକ୍ଷମ କମ୍ପାନି ଦ୍ୱାରା ସମ୍ଭବ ହୋଇପାରିବ। କାରଣ ଇଣ୍ଟରନେଟ୍ ହେଉଛି ଏକ ଦକ୍ଷ, ଗତିଶୀଳ ଓ ସ୍ୱଚ୍ଛ ମାଧ୍ୟମ।

ମୁଁ ପ୍ରକୃତରେ ଗୋଟିଏ ବଡ଼ ବଜାର ବା ବହୁ ସଂଖ୍ୟାରେ ଗ୍ରାହକ ଚାହୁଁଥିବା ବିଷୟ ଖୋଜୁଥିଲି। ବଡ଼ ବଜାର ମାନେ, ସେଠି ନିଶ୍ଚୟ କିଛି ପ୍ରକୃତ ସମସ୍ୟା କିଛି ରହିଛି। ସେହି ସମସ୍ୟାର ସମାଧାନ କରିବା ଦରକାର। ଯେତେବେଳେ କିଛି ନୂଆ କରିବା କଥା ଚିନ୍ତା କରନ୍ତି ସେତେବେଳେ ବହୁତ ଲୋକ ଭାବନ୍ତି ଯେ, ବିଶ୍ୱକୁ ବଦଳାଇ ଦେବା ବା ବିଶ୍ୱକୁ ଆହ୍ୱାନ କଲା ଭଳି କିଛି ଆଇଡିଆ ହେବା ଦରକାର। ତେଣୁ ସେମାନେ ବାସ୍ତବରେ କୌଣସି ସମସ୍ୟାର ସମାଧାନ କରୁଛନ୍ତି କି ନାହିଁ ସେକଥା ନଭାବି କେବଳ ସେହି ଜଟିଳ ବିଷୟ ପଛରେ ପଡ଼ିଥାନ୍ତି। ତେଣୁ ‘ନେଷ୍ଟଆୱେ’ରେ ଆମେ ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ଏକ ସରଳ ସମାଧାନ ତିଆରି କଲୁ। ଆଜି ଆମ ପ୍ଲାଟ୍‌ଫର୍ମ ମାଧ୍ୟମରେ ଲୋକ ଘର ନେଉଛନ୍ତି, ଘର ମାଲିକମାନେ ବି ନିଶ୍ଚିନ୍ତ ଯେ ତାଙ୍କର କୌଣସି ଅସୁବିଧା ନାହିଁ।

ସୁବ୍ରତ ବାଗ୍‌‌ଚୀ: ‘ନେଷ୍ଟଆୱେ’ର ବର୍ତ୍ତମାନର ବଜାର ମୂଲ୍ୟ କେତେ ରହିଛି?

ଅମରେନ୍ଦ୍ର ସାହୁ: ‘ନେଷ୍ଟଆୱେ’ ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ରହିଥିବାରୁ କମ୍ପାନିର ମୂଲ୍ୟ ଆଜି ୨୫୦ ମିଲିୟନ ଡଲାରରେ ପହଞ୍ଚିପାରିଛି।

ସୁବ୍ରତ ବାଗ୍‌‌ଚୀ: ଅଧିକାଂଶ ସମୟରେ ଲୋକେ ଭାବନ୍ତି ଯେ, ନେଷ୍ଟଆୱେ ହେଉଛି ଗୋଟିଏ ଆପ୍। ତେଣୁ ଯେ କେହି ଗୋଟିଏ ଆପ୍‌ ତିଆରି କରିଦେଲେ ଗୋଟିଏ କଂପାନି ଠିଆ ହୋଇଯାଇ ପାରିବ। ଏ ସମ୍ପର୍କରେ ଆପଣ କ’ଣ କହିବେ?

ଅମରେନ୍ଦ୍ର ସାହୁ: ବାସ୍ତବରେ, କେବଳ କୋଡିଂ କରିଦେଲେ ଗୋଟିଏ ଷ୍ଟାର୍ଟଅପ୍ ତିଆରି ହୋଇଯାଏ ନାହିଁ। ମୁଁ ଭାବେ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆପ୍ ହେଉଛି କେବଳ ଏକ ଯୋଗାଯୋଗର ମାଧ୍ୟମ; ଯେମିତି କି, କମ୍ୟୁନିକେସନ ପାଇଁ ହ୍ୱାଟସ୍‌ଆପ୍ ଅଛି। କିନ୍ତୁ, ଗ୍ରାହକମାନଙ୍କୁ ପ୍ରକୃତ ସେବା ବା ସାମଗ୍ରୀ ଯୋଗାଇ ଦେବା ହେଉଛି କୌଣସି ବ୍ୟବସାୟର ମୂଳ ଲକ୍ଷ୍ୟ। ତେଣୁ ଆପ୍ ପଛରେ ଅନେକ କଥା ଥାଏ, ଯାହା ଆମକୁ ସାଧାରଣ ଭାବେ ଦିଶେ ନାହିଁ।

ସୁବ୍ରତ ବାଗ୍‌‌ଚୀ: ନେଷ୍ଟଆୱେର ବର୍ତ୍ତମାନର ବିଜନେସ୍‌ ସମ୍ପର୍କରେ ଆଉ କ’ଣ କହିବେ?

ଅମରେନ୍ଦ୍ର ସାହୁ: ଆମ ପ୍ଲାଟଫର୍ମରେ ଏବେ ଦେଶର ଛ’ଟି ସହରରେ ପ୍ରାୟ ୫୦ ହଜାର ଘର ରହିଛି । କମ୍ପାନି ପ୍ରତିଷ୍ଠା ହେବାର ୬ ବର୍ଷ ହୋଇଗଲାଣି। କିନ୍ତୁ, ଜଣେ ହେଲେ ବି କାହାକୁ ଜୋର କରି ଘର ଛାଡ଼ିବାକୁ କୁହାଯାଇ ନାହିଁ। କାରଣ ଅନଲାଇନରେ ବିବାଦ ସମାଧାନ କରିବାରେ ଆମେ ହେଉଛୁ ଭାରତରେ ଏକ ଅଗ୍ରଣୀ ଅନୁଷ୍ଠାନ।

ସୁବ୍ରତ ବାଗ୍‌‌ଚୀ: ଆଗକୁ ଓଡ଼ିଶାରୁ ଆହୁରି ଅମରେନ୍ଦ୍ର ସାହୁ କିପରି ତିଆରି ହେବେ?

ଅମରେନ୍ଦ୍ର ସାହୁ: ଦେଖନ୍ତୁ, ଅମରେନ୍ଦ୍ର ସାହୁ ସେମିତି କିଛି ସ୍ୱତନ୍ତ୍ର ନୁହେଁ। ତେଣୁ ସମସ୍ତେ ନିଜ ଭଳି ହିଁ ହେବାକୁ ଚେଷ୍ଟା କରିବା ଦରକାର। ନିଜ ଉପରେ ବିଶ୍ୱାସ ରଖି ବିନମ୍ରତାର ସହ କାମ କରିଚାଲିଲେ ସଫଳତା ନିଶ୍ଚୟ ମିଳିବ।ସୁବ୍ରତ ବାଗ୍‌ଚୀ: ଆପଣଙ୍କର କିଛି ଖଟାମିଠା ସ୍ମୃତି ନିଶ୍ଚୟ ଥିବ। ସେ ବିଷୟରେ କିଛି କହିବେ?

ଅମରେନ୍ଦ୍ର ସାହୁ: କମ୍ପାନି ଆରମ୍ଭ ବେଳର କଥା। ଥରେ ଜଣେ ଗ୍ରାହକ ବ୍ୟସ୍ତ ବିବ୍ରତ ହୋଇ ଫୋନ୍‌ କଲେ। ସେତେବେଳେ ମୋ ନମ୍ବରଟି ଥିଲା ଏକପ୍ରକାର କଲ୍‌ ସେଣ୍ଟର। ଫୋନର ଜବାବ ଦେବି ମୁଁ। ସେଦିନ ବାହାରକୁ ଯିବା ପାଇଁ ମୋ ସହିତ ଥିବା ପିଲାଟି ନଥିଲା। ତେଣୁ ମୁଁ ନିଜେ ସିଧା ଯାଇ ଗ୍ରାହକଙ୍କ ଘରେ ପହଞ୍ଚିଗଲି । କିନ୍ତୁ ସେ ମତେ ଅନ୍ୟ ଲୋକ ଭାବି ତାଙ୍କ ପାଇଖାନା ସଫା କରିବାକୁ କହିଲେ। ମୁଁ କୌଣସି ପ୍ରଶ୍ନ ନପଚାରି ତାହା କରିଦେଲି। କିଛିଦିନ ପରେ ସେ ଯେତେବେଳେ ମିଡିଆରେ ମୋର ଫଟୋ ଦେଖି ମୋ ବିଷୟରେ ସବୁକଥା ଜାଣିଲେ ମତେ ଫୋନ କରି ଦୁଃଖ ପ୍ରକାଶ କଲେ।

ଆଉ ଗୋଟେ କଥା। ବାପା ଥରେ ବାଙ୍ଗାଲୋର ଆସିଥାନ୍ତି। ସେ ଆମ ଅଫିସ ଦେଖିବାକୁ ଚାହିଁଲେ। ମୁଁ ତାଙ୍କୁ ଧରି ଯେତେବେଳେ ଅଫିସରେ ପହଞ୍ଚିଲି ସିକ୍ୟୁରିଟି ଗାର୍ଡ ମତେ ଭିତରକୁ ଛାଡ଼ିଲାନି। କାରଣ ମୁଁ ତରବରରେ ମୋ ଆଇଡେଣ୍ଟିଟି କାର୍ଡଟା ଘରେ ଛାଡ଼ି ଦେଇଥିଲି। ଆମ ଏଚ୍‌ଆର ମ୍ୟାନେଜର ଆସିଲା ପରେ ମୁଁ ଭିତରକୁ ଗଲି। ବାପା କହିଲେ, “ତୋ ଦ୍ୱାରା ଏସବୁ ହବନି। ତୁ ଲୋକଙ୍କୁ କଣ୍ଟ୍ରୋଲ କରିଜାଣିନୁ।” ଆଜି ଏସବୁ କଥା ମନେପଡ଼ିଲେ ପୁରୁଣା ଦିନର ସ୍ମୃତି ତାଜା ହୋଇଉଠେ।

(ଯୁବ ଓଡ଼ିଆ ଉଦ୍ୟୋଗୀ ବା ଓଡ଼ିଶାରୁ ବ୍ୟବସାୟ ଆରମ୍ଭ କରିଥିବା ଅଭିନବ ଷ୍ଟାର୍ଟଅପ୍ ସଂସ୍ଥାମାନଙ୍କର ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ଦର୍ଶକ ଓ ପାଠକଙ୍କ ନିକଟରେ ପହଞ୍ଚାଇବା ’ଷ୍ଟାର୍ଟଅପ୍ ଷ୍ଟୋରି’  ସିରିଜ୍‌ର ଲକ୍ଷ୍ୟ। ଓଡ଼ିଶାଲାଇଭ୍‌ର ୟୁଟ୍ୟବ୍ ଓ ଫେସବୁକ୍ ଚ୍ୟାନେଲ୍‌ରେ ପ୍ରତି ମାସରେ ଷ୍ଟାର୍ଟଅପ୍‌ ଷ୍ଟୋରିର ନୂଆ ନୂଆ ଅଧ୍ୟାୟ ପ୍ରସାରିତ ହେଉଛି।)

LEAVE A REPLY

Please enter your comment!
Please enter your name here