ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମୀକ୍ଷକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କଦ୍ୱାରା ରଚିତ ‘ମେଡିଆଭାଲ୍ ଲିଟେରଚର୍ ଆଣ୍ଡ୍ ଟ୍ରାଡିସନ୍ସ: ନିଉ ପ୍ରସ୍ପେଟିଭସ୍’ ନାମକ ଏକ ଇଂରାଜୀ ପୁସ୍ତକ ପ୍ରକାଶ ପାଇଛି। ଏହି ବହିରେ ମଧ୍ୟଯୁଗୀୟ ସାହିତ୍ୟ ଓ ପରମ୍ପରା ସଂପର୍କରେ କେତେକ ପ୍ରସଙ୍ଗ ବିସ୍ତୃତ ଓ ନୂତନ ଭାବେ ଚର୍ଚ୍ଚା କରାଯାଇଛି। ସ୍ଥାନିତ ୬ଟି ଦୀର୍ଘ ପ୍ରବନ୍ଧରେ ଜୟଦେବଙ୍କ ଗୀତଗୋବିନ୍ଦ, ଜଗନ୍ନାଥ ଦାସଙ୍କ ଭାଗବତ ଓ ସୋମବଂଶୀ ନରପତି ଯଯାତିକେଶରୀଙ୍କ ପ୍ରସଙ୍ଗପୁଙ୍ଖାନୁପୁଙ୍ଗ ଆଲୋଚିତ ହୋଇଛି।

ପୁସ୍ତକଟି ୩ଟି ବିଭାଗରେ ବିଭକ୍ତ। ପ୍ରତ୍ୟେକ ବିଭାଗରେ ୨ଟି ଲେଖାଏଁ ପ୍ରବନ୍ଧ ରହିଛି। ପ୍ରଥମ ବିଭାଗରେ ଜୟଦେବଙ୍କ ଗୀତଗୋବିନ୍ଦ ବିଷୟରେ ଆଲୋଚନା କରାଯାଇଛି। ଉଲ୍ଲେଖଯୋଗ୍ୟ, ୧୮୯୩ରେ ଆଲୋଚକ ମନମୋହନ ଚକ୍ରବର୍ତ୍ତୀ ପୁରୀ ଶ୍ରୀମନ୍ଦିରର ଜୟ-ବିଜୟ ଦ୍ୱାରରେ ଥିବା ଶିଳାଲେଖକୁ ବ୍ୟାଖ୍ୟା କରି ରାଜା ପ୍ରତାପ ରୁଦ୍ରଦେବଙ୍କ ସମୟରେ ଶ୍ରୀମନ୍ଦିରରେ ‘ଗୀତଗୋବିନ୍ଦ ଗାନର ପ୍ରଚଳନ’ ହେଲା ବୋଲି ମତ ଦେଇଥିଲେ।

ତେବେ ଆଲୋଚକ ପ୍ରଫେସର ଦାଶ ଶିଳାଲେଖଟିକୁ ପୁନଃବ୍ୟାଖ୍ୟା କରି ପ୍ରତାପ ରୁଦ୍ରଦେବଙ୍କ ସମୟରେ ଗୀତଗୋବିନ୍ଦ ଗାନ ବନ୍ଦ କରାଯାଇଥିଲା ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ଗୀତଗୋବିନ୍ଦ ପ୍ରାଥମିକ ଭାବେ କାବ୍ୟର ମାନ୍ୟତା ପାଇଥିବା ବେଳେ ପରବର୍ତ୍ତୀ କାଳରେ କିପରି ଧର୍ମଗ୍ରନ୍ଥ ଓ ରାଜନୈତିକ ପ୍ରତୀକର ଭୂମିକା ଗ୍ରହଣ କରିଥିଲା ତାହା ଏଥିରେ ତଥ୍ୟପୂର୍ଣ୍ଣ ବିସ୍ତାରିତ ଆଲୋଚନା କରାଯାଇଛି। ଜଗନ୍ନାଥ ଦାସଙ୍କ ଭାଗବତକୁ କିପରି ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟ ଓ ବ୍ରାହ୍ମଣମାନେ ବିରୋଧ କରିଥିଲେ ଏବଂ ତାହାର ସମାଧାନର ପ୍ରଚେଷ୍ଟା କିପରି ହୋଇଥିଲା ସେ ସଂପର୍କରେ ବିସ୍ତୃତ ଚର୍ଚ୍ଚା କରାଯାଇଛି ଦ୍ୱିତୀୟ ବିଭାଗରେ।

ଶେଷ ବିଭାଗରେ ସୋମବଂଶୀ ରାଜା ଯଯାତିକେଶରୀଙ୍କ ସଂପର୍କରେ ସାହିତ୍ୟ ଓ ଜନଶ୍ରୁତିରେ ଥିବା କେତେକ ପ୍ରସଙ୍ଗକୁ ଆଲୋଚନା କରାଯିବା ସହ ଯାଜପୁରକୁ କେନ୍ଦ୍ର କରି ମଧ୍ୟ ଯଯାତି କେଶରୀଙ୍କୁ ବିଶ୍ଳେଷଣ କରାଯାଇଛି।

ବହିଟିକୁ ପ୍ରକାଶ କରିଛନ୍ତି ଓଡ଼ିଶାର ଅନ୍ୟତମ ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପ୍ରଫୁଲ୍ଲ’। ୨୦୧୩ ମସିହାରେ ଏହି ପ୍ରକାଶନ ସଂସ୍ଥା ‘ଇମେଜିଂ ଓଡ଼ିଶା’ ନାମକ୨ ଖଣ୍ଡରେ ସୁଦୃଶ୍ୟ ପୁସ୍ତକ ପ୍ରକାଶ କରି ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରଂପରାକୁ ଦେଶ ବିଦେଶରେ ଅଧିକ ପରିଚିତ କରାଇପାରିଥିଲେ।

LEAVE A REPLY

Please enter your comment!
Please enter your name here