ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି। ବୈଦେଶିକ ୠଣ ଭାର ରେକର୍ଡସ୍ତର ଛୁଇଁଥିବାବେଳେ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାକୁ ବସିଛି। ଦେଶରେ ଏବେ ଖାଦ୍ୟ ସାମଗ୍ରୀର ଅଭାବ ସାଂଗକୁ ଔଷଧ ମିଳୁନାହିଁ। ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏବେ ପୁରା ବିଗିଡ଼ି ଯାଇଛି।
ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମିଳିପାରୁ ନାହିଁ। ଔଷଧର ମଧ୍ୟ ସମସ୍ୟା ଦେଖାଦେଇଛି। ପେଟ୍ରୋଲ, ଡିଜେଲର ଅଭାବ ମୁଣ୍ଡ ଟେକିବା ସହ ବିଜୁଳି ସମସ୍ୟା ମଧ୍ୟ ଆରମ୍ଭ ହୋଇଛି। ସରକାର ଶ୍ରୀଲଙ୍କାରେ ଆର୍ଥନୈତିକ ଜରୁରି ପରିସ୍ଥିତି ଘୋଷଣା ମଧ୍ୟ କରିଛନ୍ତି। ପରିସ୍ଥିତି ଏମିତି ସ୍ତରକୁ ଆସିଯାଇଛି ଯେ ଦେଶରେ ଖାଦ୍ୟ ସାମଗ୍ରୀ ବଣ୍ଟନ ପାଇଁ ସରକାରଙ୍କୁ ଆର୍ମି ନିଯୁକ୍ତି କରିବାକୁ ପଡ଼ିଛି।
ଶ୍ରୀଲଙ୍କାରେ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବା ସହ ଶ୍ରୀଲଙ୍କା ମୁଦ୍ରା ମୂଲ୍ୟରେ ଅସ୍ଵଭାବିକ ଭାବେ ହ୍ରାସ ହୋଇଛି। କେବଳ ଏତିକି ନୁହେଁ ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କା ସ୍ଥିତି ବିଗିଡ଼ିବା ପାଇଁ ବିଶେଷ କେତୋଟି କାରଣ ଦାୟୀ ବୋଲି କୁହାଯାଉଛି। ଦେଶର ସ୍ଥିତି ବିଗିଡ଼ିବା ପାଇଁ ଜୈବିକ କୃଷିକୁ ଗୁରୁତ୍ଵ ଦେବା ସହ କେମିକାଲ ସାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ନିମନ୍ତେ ସରକାରଙ୍କ ନିଷ୍ପତ୍ତି ବଡ଼ କାରଣ ବୋଲି କୁହାଯାଉଛି। ଏହା ସହ ବିପର୍ଯ୍ୟସ୍ତ ପର୍ଯ୍ୟଟନ କ୍ଷେତ୍ର, ବୈଦେଶିକ ୠଣ ଭାର, ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ତଥା ଶ୍ରୀଲଙ୍କାର ମୁଦ୍ରା ମୂଲ୍ୟରେ ହ୍ରାସ ଦେଶର ସଙ୍କଟ ବଢ଼ିବାର ମୁଖ୍ୟ କାରଣ ବୋଲି କୁହାଯାଉଛି।
ଜୈବିକ କୃଷିକୁ ଗୁରୁତ୍ଵ ଏବଂ କେମିକାଲ ସାର ଉପରେ ରୋକ
ଶ୍ରୀଲଙ୍କା ସରକାର ନେଇଥିବା କିଛି ଭୁଲ୍ ନିଷ୍ପତ୍ତି ଦେଶରେ ମୁଣ୍ଡ ଟେକିଥିବା ସଙ୍କଟର କାରଣ ବୋଲି କୁହାଯାଉଛି। ଶ୍ରୀଲଙ୍କା ସରକାର ଗୋଟିଏ ଝଟକାରେ କେମିକାଲ ଯୁକ୍ତ ସାରକୁ ଦେଶରେ ବ୍ୟାନ କରିବା ସହ ଶତ ପ୍ରତିଶତ ଜୈବିକ କୃଷି ପାଇଁ ନିଷ୍ପତ୍ତି ନେଇଥିଲେ। ହଠାତ୍ ହୋଇଥିବା ଏହି ପରିବର୍ତ୍ତନ ଶ୍ରୀଲଙ୍କାର କୃଷି କ୍ଷେତ୍ର ଉପରେ ବିଶେଷ ଭାବେ ପ୍ରଭାବ ପକାଇଥିଲା। ଏକ ସର୍ଭେ ଅନୁସାରେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଶ୍ରୀଲଙ୍କାର କୃଷି ଉତ୍ପାଦନରେ ୫୦ ପ୍ରତିଶତ ହ୍ରାସ ଘଟିଲା। ବର୍ତ୍ତମାନ ଦେଶରେ ଚାଉଳ ଏବଂ ଚିନିର ସଙ୍କଟ ଦେଖାଦେଇଛି। ଏହା ସହ ଖାଦ୍ୟ ଶସ୍ୟ ସମସ୍ୟା ଭୟଙ୍କର ରୂପ ଧାରଣ କରିଛି।
ପର୍ଯ୍ୟଟନ କ୍ଷେତ୍ର ବିପର୍ଯ୍ୟସ୍ତ
ଶ୍ରୀଲଙ୍କାର ଅର୍ଥ ବ୍ୟବସ୍ଥାରେ କୃଷି ପରେ ପର୍ଯ୍ୟଟନ କ୍ଷେତ୍ର ବିଶେଷ ଗୁରୁତ୍ଵ ବହନ କରେ। ସରକାରୀ ଆକଳନ ଅନୁସାରେ ଶ୍ରୀଲଙ୍କାର ଅର୍ଥନୈତିକ ଅଭିବୃଦ୍ଧି ହାରରେ ୧୦ ପ୍ରତିଶତର ଯୋଗଦାନ ପର୍ଯ୍ୟଟନ କ୍ଷେତ୍ରର ରହିଛି। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରାୟ ୨ ବର୍ଷ ମଧ୍ୟରେ ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶ୍ରୀଲଙ୍କାରେ ସବୁଠାରୁ ଅଧିକ ଭାରତ, ବ୍ରିଟେନ ଏବଂ ରୁଷରୁ ପର୍ଯ୍ୟଟକ ଆସିଥାନ୍ତି। କୋଭିଡ କଟକଣା କାରଣରୁ ଶ୍ରୀଲଙ୍କାକୁ ପର୍ଯ୍ୟଟକଙ୍କ ଯିବା ବନ୍ଦ ହୋଇଯାଇଛି।
ବର୍ତ୍ତମାନ ବିଗିଡ଼ି ଯାଇଥିବା ପରିସ୍ଥିତିକୁ ଦେଖି ଅନେକ ଦେଶ ନିଜ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀଲଙ୍କା ନଯିବା ଲାଗି। କରେନ୍ସି ଏକ୍ସଚେଞ୍ଜ ସମସ୍ୟା କଥା କହି କାନାଡା ସରକାର ନିଜ ନାଗିରିକମାନଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ଦେଶକୁ ପର୍ଯ୍ୟଟକ ଆସୁନଥିବାରୁ ଶ୍ରୀଲଙ୍କାର ଅର୍ଥନୀତି ଉପରେ ଏହାର ବେଶ୍ ପ୍ରଭାବ ମଧ୍ୟ ପଡ଼ିଛି।
ବୈଦେଶିକ ଋଣରେ ବୁଡ଼ିଛି ଶ୍ରୀଲଙ୍କା
ଶ୍ରୀଲଙ୍କା ବୈଦେଶିକ ଋଣ ଭାରରେ ବୁଡ଼ି ରହିଛି। ଶ୍ରୀଲଙ୍କା ଉପରେ ଚୀନର ୫ ବିଲିଅନ ଡଲାରରୁ ଅଧିକ ଋଣ ଭାର ରହିଛି। ଏହା ସହ ଭାରତ, ଜାପାନ ବ୍ୟତୀତ ଆଇଏମଏଫ୍ ଭଳି ସଂସ୍ଥାଠାରୁ ମଧ୍ୟ ଋଣ କରିଛି ଶ୍ରୀଲଙ୍କା। ସରକାରୀ ଆକଳନ ଅନୁସାରେ ୨୦୨୧ ଏପ୍ରିଲ ପର୍ଯ୍ୟନ୍ତ ଶ୍ରୀଲଙ୍କା ଉପରେ ମୋଟ ୩୫ ବିଲିୟନ ଡଲାରର ବୈଦେଶିକ ୠଣ ଭାର ରହିଥିଲା। ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ଛୋଟିଆ ଦେଶ ଉପରେ ବଡ଼ ଋଣ ବୋଝ ଲଦି ହୋଇଯାଇଛି। ଦିନକୁ ଦିନ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି।
ହ୍ରାସ ପାଉଛି ବିଦେଶୀ ମୁଦ୍ରା ଭଣ୍ଡାର, କମୁଛି ଶ୍ରୀଲଙ୍କା ମୁଦ୍ରାର ମୂଲ୍ୟ
କୋଭିଡ ମହାମାରୀ ଯୋଗୁଁ ଶ୍ରୀଲଙ୍କାରେ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଥିବା କୁହାଯାଉଛି। ୩ ବର୍ଷ ପୂର୍ବରୁ ଶ୍ରୀଲଙ୍କା ପାଖରେ ୭.୫ ବିଲିୟନ ଡଲାରର ବୈଦେଶିକ ମୁଦ୍ରା ଭଣ୍ଡାର ରହିଥିଲା। ସେହି ସମୟରେ ଶ୍ରୀଲଙ୍କାରେ ନୂଆ ସରକାର ଗଠନ ହୋଇଥିଲା। ଦେଖିଦେଖୁ ଏଥିରେ ଦ୍ରୁତ ହ୍ରାସ ହେବାକୁ ଲାଗିଲା। ୨୦୨୧ ଜୁଲାଇ ମାସ ବେଳକୁ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇ ୨.୮ ବିଲିୟନ ଡଲାରକୁ ଖସି ଆସିଲା।
ଗତ ବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ଏଥିରେ ହ୍ରାସ ଘଟି ୧.୫୮ ବିଲିୟନ ଡଲାରରେ ପହଞ୍ଚିଗଲା। ଶ୍ରୀଲଙ୍କା ପାଖରେ ବୈଦେଶିକ ଋଣ ପରିଷୋଧ କରିବାକୁ ଏବେ ସମ୍ବଳ ନାହିଁ। ନିକଟରେ ଆଇଏମଏଫ କହିଛି ଶ୍ରୀଲଙ୍କା ଅର୍ଥ ବ୍ୟବସ୍ଥା ଦେବାଳିଆ ଅବସ୍ଥାକୁ ଆସିଯାଇଛି। ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ହେବା କାରଣରୁ ଶ୍ରୀଲଙ୍କାର ମୁଦ୍ରାର ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି। ଫଳରେ ବୈଦେଶିକ ମୁଦ୍ରା ବିନିମୟ ସମସ୍ୟା ମୁଣ୍ଡ ଟେକିଛି।
ଶ୍ରୀଲଙ୍କା ଚିନି, ଡାଲି, ଖାଦ୍ୟ ଶସ୍ୟ ଏବଂ ଔଷଧ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ବାହାର ଦେଶ ଉପରେ ନିର୍ଭର କରିଥାଏ। କେମିକାଲ ସାର ବ୍ୟାନ କରିବା ପରେ ଏହି ସମସ୍ୟା ଆହୁରି ଭୟଙ୍କର ହୋଇଯାଇଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶ୍ରୀଲଙ୍କାର ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। କାରଣ ଏହି ଦୁଇ ପଡ଼ୋଶୀ ଦେଶ ଉପରେ ଚିନି, ଡାଲି ଏବଂ ଖାଦ୍ୟଶସ୍ୟ ପାଇଁ ବିଶେଷ ଭାବେ ନିର୍ଭର କରୁଥିଲା ଶ୍ରୀଲଙ୍କା। ଦୁଇ ଦେଶର ଲଢ଼େଇ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଗଲା। ଏବେ ଆମଦାନୀ ମୂଲ୍ୟ ଦେବା ପାଇଁ ମଧ୍ୟ ଶ୍ରୀଲଙ୍କା ପାଖରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ଅଭାବ ଦେଖାଦେଇଛି।
Tags: #SrilankaCrisis #TourismSector #ForeignCurrency #FoodCrisis #Medicine