ଓଡ଼ିଶାଲାଇଭ୍ ବ୍ୟୁରୋ

ପାଞ୍ଚଟି ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ସଂକ୍ରମଣ ରୋକିବା ନିମନ୍ତେ ସତର୍କ ରହିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟର ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର। ଏହି ରାଜ୍ୟଗୁଡ଼ିକରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି।

କୋଭିଡ ସଂକ୍ରମଣ ମହାରାଷ୍ଟ୍ରରେ ଅଣାୟତ ପରିସ୍ଥିତିକୁ ଆସିଛି। ଏହାକୁ ନେଇ ମହାରାଷ୍ଟ୍ର ସରକାର ଚିନ୍ତା ପ୍ରକଟ କରି ସମସ୍ତ ଜିଲ୍ଲାର ଅଧିକାରୀମାନଙ୍କୁ ଚିଠିଲେଖି ସତର୍କ ରହିବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବାକୁ କହିଛନ୍ତି।

ଓଡ଼ିଶାରେ କୋଭିଡ ସ୍ଥିତିକୁ ନେଇ ଶନିବାର ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଓଡ଼ିଶାରେ କୋଭିଡ ସ୍ଥିତି ଭଲ ରହିଛି। ସରକାର କୋଭିଡ ସ୍ଥିତି ଉପରେ ନଜର ରଖିଛନ୍ତି। ପୂର୍ବଭଳି ଷ୍ଟେଟିଂ ଚାଲିଛି। ସର୍ଭେଲାନ୍ସ ମଧ୍ୟ ଜାରି ରହିଛି। ଦେଶର ୫ଟି ରାଜ୍ୟରେ କୋଭିଡ ସଂକ୍ରମଣ ହାର ବଢ଼ିଥିବାରୁ ସବୁ ରାଜ୍ୟଗୁଡ଼ିକୁ ପ୍ରିକସନ ସହ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ତାଗିଦ କରିଛନ୍ତି।

ବର୍ତ୍ତମାନ ଓଡ଼ିଶାରେ କୋଭିଡକୁ ନେଇ କୌଣସି ଚିନ୍ତା କରିବାର ନାହିଁ। କିନ୍ତୁ କୋଭିଡ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରିବା ସହ ହୋମ ଆଇସୋଲେସନରେ ରହିବା ଲାଗି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯଦି ରାଜ୍ୟରେ କୋଭିଡ ସଂକ୍ରମଣ ହାର ବଢ଼େ ତେବେ ପୂର୍ବଭଳି କଟକଣା ଲାଗୁ କରାଯିବାର ସମ୍ଭାବନା ରହିଛି। ଆବଶ୍ୟକ ହେଲେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନକୁ ପୁଣି ବାଧ୍ୟତାମୂଳକ କରାଯାଇପାରେ ବୋଲି ସେ କହିଛନ୍ତି।

Tags: #Covid19 #CoronaVirus #Mask #WearingMask

LEAVE A REPLY

Please enter your comment!
Please enter your name here