ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା କଂଗ୍ରେସରେ ପ୍ରଭାରି ମାଳମାଳ। ପୂର୍ବରୁ ଜଣେ କିମ୍ବା ଦୁଇ ଜଣ କେନ୍ଦ୍ର ନେତାରେ କାମ ହେଉଥିଲା। ହେଲେ ଏବେ ଚାରି ଜଣ କେନ୍ଦ୍ର ନେତା ଓଡ଼ିଶା କଂଗ୍ରେସ କଥା ବୁଝିବା ପାଇଁ ନିୟୋଜିତ ହୋଇଥିବାରୁ ଦଳର ଭାଗ୍ୟ କ’ଣ ହେଉଛି ତା’ ଉପରେ ନଜର।

ଓଡିଶା କଂଗ୍ରେସର ଅବସ୍ଥା ବର୍ତ୍ତମାନ ବାର ଭାଇ ଆଖଡା ଭଳି ହୋଇଛି। ପୂର୍ବରୁ ଥିବା ଦୁଇ ଜଣ କେନ୍ଦ୍ର ପ୍ରଭାରିଙ୍କ ସ୍ଥାନରେ ଏବେ ୪ ଜଣଙ୍କୁ ନିଯୁକ୍ତ କରାଯାଇଛି। ଆଗରୁ ଓଡ଼ିଶା କଥା ବୁଝୁଥିବା ହରିପ୍ରସାଦ ଓ ଶୁଭଙ୍କର ସରକାରଙ୍କ ସ୍ଥାନରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚତୁର୍ଦ୍ଧା ମୁରତିଙ୍କୁ ଓଡ଼ିଶା ପଠାଇଛନ୍ତି।

ପ୍ରଥମେ ଘୋଷଣା ହେଲା ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପିସିସି ଦାୟିତ୍ୱରେ ରହିବେ। ତା’ ପରେ ଆଉ ଚାରି ଜଣ କେନ୍ଦ୍ର ନେତାଙ୍କୁ ଓଡ଼ିଶା ଦାୟିତ୍ୱରେ ରଖାଯାଇଛି। ଏ ସମସ୍ତେ ଏକାଠି ହୋଇ ଦଳର କାର୍ଯ୍ୟକୁ ତଦାରଖ କରିବେ।

ଚାରି ଜଣଙ୍କ ମଧ୍ୟରୁ ୩ ଜଣ ରୁଦ୍ର ରାଜୁ, ଅନିଲ ଚୌଧୁରୀ ଓ ସେକ ମସ୍ତାନ ୱାଲି ହେଉଛନ୍ତି ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀର ପ୍ରାକ୍ତନ ବିଧାୟକ। ଏମାନଙ୍କୁ ଓଡ଼ିଶା ଦାୟିତ୍ୱରେ ଥିବା ‘ଏଆଇସିସି ସମ୍ପାଦକ’ କୁହାଯାଉଛି(ଏଥିରୁ ଆପଣ ଯାହା ବୁଝିବେ)।

ତାଛଡା ଆଦିତ୍ୟ ଶର୍ମାଙ୍କୁ ବି ଓଡ଼ିଶା ଦାୟିତ୍ୱରେ ରଖାଯାଇଛି। ତାଙ୍କ ପଦ ହେଉଛି ଓଡ଼ିଶା ପାଇଁ ‘ଏଆଇସିସି ଯୁଗ୍ମ ସଚିବ:(ୟେ ଆହୁରି ଗହନ କଥା)।

ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ କହିବା ଅନୁଯାୟୀ ରାଜୁ, ଅନିଲ, ମସ୍ତାନ ଓ ଆଦିତ୍ୟ ଓଡ଼ିଶାର ମୁଖ୍ୟ ପ୍ରଭାରି ଜିତେନ୍ଦ୍ର ସିଂହଙ୍କୁ ସାହାଯ୍ୟ କରିବେ।

ଯୋଜନା ପ୍ରସ୍ତୁତ କରାଯାଇଛି ଯେ ଏହି ୪ ଜଣ ସଚିବ ରାଜ୍ୟର ୪ କୋଣ ଜଗିବେ – ପୂର୍ବ, ପଶ୍ଚିମ, ଦକ୍ଷିଣ, ଉତ୍ତର। ଇତିମଧ୍ୟରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ଦଳକୁ ଆମୂଳଚୂଳ ସଜାଡ଼ିବା ପାଇଁ ନକ୍ସା ପ୍ରସ୍ତୁତ ହେବ।

ତାଙ୍କ କହିବା ଅନୁଯାୟୀ ଦଳର ସାଙ୍ଗଠନିକ ନିର୍ବାଚନ ଶେଷ ହୋଇଛି। ନୂଆ ଜିଲ୍ଲା ଓ ବ୍ଲକ କର୍ମକର୍ତ୍ତାଙ୍କ ନାମ ଖୁବଶୀଘ୍ର ଘୋଷଣା କରାଯିବ। କିନ୍ତୁ କେହି କହୁନାହାନ୍ତି ହରିଚନ୍ଦନଙ୍କ ଭାଗ୍ୟ କଣ ହେବ?

ହରିଚନ୍ଦନଙ୍କୁ ପିସିସି ସଭାପତି ପଦରୁ ଅପସାରଣ କରାଯିବାର ମୂଳ ଦାବିକୁ କର୍ଣ୍ଣପାତ ନକରି ରାହୁଲ ଆହୁରି ଥୋକେ ନେତାଙ୍କୁ ଓଡ଼ିଶା ଉପରେ ଥାପିବା ଦ୍ୱାରା ଦଳର କି ଫାଇଦା ହେବ ବୋଲି ରାଜନୈତିକ ମହଲରେ ବିସ୍ମୟ ପ୍ରକାଶ ପାଇଛି।

ହରିଚନ୍ଦନଙ୍କ ସହ ନ ପଟିବାରୁ ବେଶ୍ କିଛି ନେତା ଇତି ମଧ୍ୟରେ ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇସାରିଲେଣି। ଏକା ସାଙ୍ଗରେ ଚାରି ଚାରି ଜଣ କେନ୍ଦ୍ର ନେତାଙ୍କୁ ଓଡ଼ିଶା ଦାୟିତ୍ୱରେ ରଖିବା ଦ୍ୱାରା ଏଠା ଉପରେ ରାହୁଲ ଗାନ୍ଧି ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ବୋଲି ଅବଶ୍ୟ ଧରି ନେବାକୁ ହେବ। କିନ୍ତୁ ଅସଲ ସମସ୍ୟା ହେଉଛି କ୍ରମାଗତ ଅବହେଳା ଫଳରେ କଂଗ୍ରେସ ଓଡ଼ିଶାରେ ତାର ଅସ୍ତିତ୍ୱ ହଜାଇ ସାରିଛି।

ଏହି ପରିସ୍ଥିତିରେ ସମସ୍ତଙ୍କ ଗ୍ରହଣୀୟ ହେବା ଭଳି ଜଣେ ନେତାଙ୍କୁ ପିସିସି ସଭାପତି କଲେ ଥରକରେ କାମ ଛିଣ୍ଡିଥାନ୍ତା ବୋଲି ଦଳର କିଛି ଆଗଧାଡ଼ିର ନେତା ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here