ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟରେ ଏବେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ୧୦ ଦଫା ଦାବି ନେଇ ହଜାର ହଜାର ଡ୍ରାଇଭର ରାସ୍ତାରେ ଆନ୍ଦୋଳନ କରୁଛନ୍ତି। ଏବେ ଡ୍ରାଇଭରଙ୍କଠୁ ରାସ୍ତାକୁ ମୁକ୍ତ ନ’କଲେ ବସ ଚଳାଚଳ ବନ୍ଦ କରିବା ପାଇଁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ରାଜ୍ୟରେ ବସ ଚଳାଚଳ କରିବା ପାଇଁ ଘରୋଇ ବସ ମାଲିକ ସଂଘ ପୋଲିସ ସହାୟତା ମାଗିଛି। ଘରୋଇ ବସର କର୍ମଚାରୀଙ୍କୁ ଆନ୍ଦୋଳନକାରୀ ଡ୍ରାଇଭରମାନେ ଦୁର୍ବ୍ୟବହାର କରୁଥିବା ସଂଘ ଅଭିଯୋଗ କରିଛି। ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ’କରା ଗଲେ ସେମାନେ ବସ ଚାଲାଇବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।
“ଆନ୍ଦୋଳନକାରୀ ଡ୍ରାଇଭର ରାସ୍ତାରେ ଆମ ଗାଡ଼ି ଚାଳକଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରୁଛନ୍ତି। ଏଭଳି ପରିସ୍ଥିତିରେ ଆମେ ବସ ଚଳାଇ ପାରିବୁ ନାହିଁ। ପୋଲିସ ମଧ୍ୟ ଆମର ସହାୟତା କରୁନାହିଁ। ଏମିତି ଯଦି ସ୍ଥିତି ଜାରି ରହେ ତେବେ ଆଗକୁ ଯାଇ ରାସ୍ତାରେ ପ୍ରଦର୍ଶନ କରିବୁ। ଆମେ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବସ ଚଳାଚଳ କରିବୁ ନାହିଁ”, କହିଛନ୍ତି ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ।
ଅନ୍ୟପଟେ ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଏବେ ଓଡ଼ିଶାରେ ଘରୋଇ ବସ ଚଳାଚଳ କମ ହୋଇଯାଇଛି। ଏଥିଲାଗି ରାଜ୍ୟର ବିଭିନ୍ନ ସହରରେ ଅନେକ ଯାତ୍ରୀ ହଇରାଣ ହେଉଛନ୍ତି। ବସ ଷ୍ଟାଣ୍ଡଗୁଡ଼ିକରେ ଏକାଧିକ ଯାତ୍ରୀ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ଆଗକୁ ଯଦି ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ତେବେ ସ୍ଥିତି ଆହୁରି ଜଟିଳ ହେବ।
Tags: #DriverStrike #OdishaDriverMahasangha #Protest #PrivateBusOwnersAssociation #Odisha