ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ପୋଲିସ ପୂରା ପ୍ରକ୍ରିୟା ଆରମ୍ଭ କରିଛି। ପୁଞ୍ଜିଲାଲଙ୍କୁ ଗଡ଼େଇ ତୁଡ଼େଇ ପ୍ରଶ୍ନ ପଚାରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ରାୟପୁର ଯାଇଛନ୍ତି।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାର କରୁଛି କ୍ରାଇମବ୍ରାଞ୍ଚ। ଏହି ତଥ୍ୟକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତକୁ ଆହୁରି ଜୋରଦାର କରିଛି। ଅଟୋ ଚାଳକକୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ପୁଣି ଛତିଶଗଡ଼ର ରାୟପୁର ଯାଇଛନ୍ତି। ପୁଞ୍ଜିଲାଲଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ପୋଲିସ ଅଧିକରୁ ଅଧିକ ତଥ୍ୟ ଯୋଗାଡ଼ କରୁଛି। ଏଥିପାଇଁ କ୍ରାଇମବ୍ରାଞ୍ଚର ତିନି ଜଣିଆ ସ୍ବତନ୍ତ୍ର ଟିମ୍ ଲାଗିପଡ଼ିଛନ୍ତି।
“ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାର କରିଛି କ୍ରାଇମବ୍ରାଞ୍ଚ। ପାର୍ସଲ ବୋମା ବିସ୍ଫୋରଣ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଅଧିକାରୀ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ”, କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।
ଏହାସହ ତଦନ୍ତ ବେଳେ ମିଳିଥିବା ବିଭିନ୍ନ ପ୍ରମାଣପତ୍ରକୁ ଯାଞ୍ଚ କରିବା ପାଇଁ କ୍ରାଇମବ୍ରାଞ୍ଚ ଅଧିକାରୀ ହାଇଦ୍ରାବଦସ୍ଥିତ କେନ୍ଦ୍ରୀୟ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଯିବ। ସେହିପରି ଗାନ୍ଧିନଗରର ସାଇବର କ୍ରାଇମ ଲାବକୁ ପଠାଯିବ ଏହି ପ୍ରମାଣପତ୍ର। ଓଡ଼ିଶାରେ ଏହି ପ୍ରମାଣପତ୍ରର ପରୀକ୍ଷା ନିରୀକ୍ଷା କରିବା ପାଇଁ ସୁବିଧା ନଥିବାରୁ ଏହାକୁ ରାଜ୍ୟ ବାହାରକୁ ପଠାଇବା ପାଇଁ କ୍ରାଇମବ୍ରାଞ୍ଚ ଅଧିକାରୀ ନିଷ୍ପତ୍ତି ନେଇଛନ୍ତି।
କ୍ରାଇମବ୍ରାଞ୍ଚ ଟିମ୍ ସୋମବାର ରାୟପୁର ଯାଇଛନ୍ତି। ସେଠାରେ ପାଟଣାଗଡ଼ ଠିକଣାରେ ସେ ପାର୍ସଲ କରିଥିଲେ। ଏଣୁ ଅଟୋ ଚାଳକକୁ ଖୋଜି ଅଧିକ ତଥ୍ୟ ଯୋଗାଡ଼ କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ରାୟପୁର ଯାଇଛନ୍ତି।
ରାୟପୁରରେ ପୁଞ୍ଜିଲାଲ କୁଆଡ଼େ କୁଆଡ଼େ ଅଟୋରେ ଯାଇଥିଲେ ସେସବୁ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଏଟିଏମ୍ କାଉଣ୍ଟରର ସିସିଟିଭି ଫୁଟେଜ ଯାଞ୍ଚ କରିବେ। ଯଦି ସେହି ଅଟୋ ରିକ୍ସା ଚାଳକ ସ୍ୱେଚ୍ଛାକୃତ ଭାବେ ପୋଲିସ ଆଗରେ ବୟାନ ଦେବେ ତାହାଲେ ତାଙ୍କୁ ପରସ୍କାର ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଘୋଷଣା କରାଯାଇଛି।
ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ଏବଂ ରିମାଙ୍କ ସଂସାର ଛାରଖାର ହୋଇଯାଇଥିଲା। ରିମା ଗୁରୁତର ହୋଇଯାଇଥିବା ବେଳେ ସୌମ୍ୟଶେଖର ଆରପାରିକୁ ଚାଲି ଯାଇଥିଲେ।
ଦୁଇ ମାସ ପରେ ଏହି ଘଟଣା ଉପରୁ ପରଦା ହଟାଇଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ପୋଲିସ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଗିରଫ କରିଛି। ୬ ଦିନିଆ ରିମାଣ୍ଡରେ ଆଣି ପଚରା ଉଚୁରା କରୁଛି କ୍ରାଇମବ୍ରାଞ୍ଚ।