୧୯୬୬ ମସିହାରେ ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରଥମ ପ୍ରେସ୍‌ କାଉନସିଲ୍‌ କାମ ଆରମ୍ଭ କରିଥିଲା। ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍‌ ବୋଲି କୁହାଯାଏ। ଏକ ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍‌ର ପ୍ରତୀକ ଭାବରେ ଏହି ଦିନଟିକୁ ଜାତୀୟ ପ୍ରେସ୍‌ ଦିବସ ଭାବେ ପାଳନ କରାଯାଏ। ପ୍ରେସ୍‌ କାଉନ୍‌ସିଲ୍‌ ଏକ ନୈତିକ ପ୍ରହରୀ। ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଏହା ଗଠିତ ହୋଇଥିଲା।

  • ପ୍ରଥମ: ପ୍ରେସ୍ବା ସମ୍ବାଦବାହୀ ଗଣମାଧ୍ୟମର ମାନ ବଜାୟ ରଖିବା
  • ଦ୍ୱିତୀୟ : ଏହାକୁ ବାହ୍ୟ ଚାପ ପ୍ରଭାବରୁ ମୁକ୍ତ ରଖିବା

ଭାରତରେ ପ୍ରଥମ ପ୍ରେସ୍‌ କମିସନ୍‌ର ସୁପାରିଶରେ ପାର୍ଲାମେଣ୍ଟର ଏକ ଆଇନ ବଳରେ ଜନ୍ମ ନେଇଥିଲା ପ୍ରେସ୍‌ କାଉନ୍‌ସିଲ୍‌। ଏ ଆଇନ୍‌ଟି ପାସ୍‌ ହୋଇଥିଲା ୧୯୬୫ ମସିହା ନଭେମ୍ବର ୧୨ ତାରିଖରେ। ବିଶ୍ୱର ଆହୁରି ଅନେକ ଦେଶରେ ପ୍ରେସ୍‌ କାଉନ୍‌ସିଲ୍‌ ଅଛି। ତେବେ ଭାରତର ପ୍ରେସ୍‌ କାଉନ୍‌ସିଲ୍‌ର ମାନ୍ୟତା ଭିନ୍ନ। କାରଣ, ସାରା ବିଶ୍ୱରେ ଏହା ଏକମାତ୍ର ସଙ୍ଗଠନ ଯାହା ପ୍ରେସ୍‌ର ସ୍ୱାଧୀନତା ରକ୍ଷା ପାଇଁ ସେଫଟ୍‌ର ଅନ୍ୟାନ୍ୟ ଅଙ୍ଗ ଉପରେ ପ୍ରଭୁତ୍ୱ ଜାହିର କରିପାରେ।

ଜଣେ ଅଧ୍ୟକ୍ଷଙ୍କୁ ମିଶାଇ ୨୫ ଜଣ ସଭ୍ୟଙ୍କୁ ନେଇ ଏହି ପ୍ରେସ୍‌ କାଉନସିଲ୍‌ ଗଠିତ ହୋଇଥିଲା। ସଭ୍ୟମାନଙ୍କ ଭିତରେ ଥାନ୍ତି ସାମ୍ବାଦିକ, ସମ୍ପାଦକ, ଶିକ୍ଷା, ବିଜ୍ଞାନ, ସାହିତ୍ୟ ଓ ଆଇନ କ୍ଷେତ୍ରରେ କୃତବିଦ୍ୟ ବ୍ୟକ୍ତିତ୍ୱ ଓ ସାଂସଦମାନେ। ପ୍ରଥମ ଅଧ୍ୟକ୍ଷ ଥିଲେ ବିଚାରପତି ଜେ.ଆର.ମୁଧଲକର। ଆରମ୍ଭରେ କେବଳ ସମ୍ବାଦପତ୍ର ପତ୍ରିକାମାନଙ୍କୁ ଏହାର ପରିସର ଅନ୍ତର୍ଭୁକ୍ତ କରାଯାଇଥିଲା। ୧୯୭୦ରେ ସମ୍ବାଦ-ପ୍ରେରଣ ସଂସ୍ଥା(ନିଉଜ ଏଜେନ୍ସି) ଗୁଡ଼ିକୁ ମଧ୍ୟ ଏହାର ପରିସର ଭୁକ୍ତ କରାଗଲା।

୧୯୭୫ରେ ଜରୁରୀ କାଳୀନ ପରିସ୍ଥିତିବେଳେ ପ୍ରେସ୍‌ କାଉନ୍‌ସିଲ୍‌କୁ ଭାଙ୍ଗି ଦିଆଯାଇଥିଲା। ତା’ପରେ ଜନତା ସରକାର ଆସିବା ପରେ ୧୯୭୮ରେ ନୂଆ ପ୍ରେସ୍‌ କାଉନସିଲ ଆଇନ କରାଗଲା। ୧୯୭୯ରେ ପୁଣି ଏହା କାର୍ଯ୍ୟ ଆରମ୍ଭ କଲା। ଦ୍ୱିତୀୟ ପ୍ରେସ୍‌ କାଉନସିଲରେ ଜଣେ ଅଧ୍ୟକ୍ଷଙ୍କ ସହ ୨୮ ଜଣ ସଭ୍ୟ ରହିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରେଡିଓ, ଟେଲିଭିଜନ ଏବଂ  ଓ୍ଵେବ୍‌ ମାଧ୍ୟମ ଏଯାଏଁ ପ୍ରେସ୍‌ କାଉନ୍‌ସିଲ୍‌ର ପରିସର ଭୁକ୍ତ ହୋଇନାହିଁ।

ବେଶ କେଇବର୍ଷ ହେଲା ଏ ମାଧ୍ୟମଗୁଡ଼ିକୁ ମଧ୍ୟ ପ୍ରେସ୍‌ କାଉନ୍‌ସିଲର ପରିସର ଭୁକ୍ତ କରିବାର ଦାବି ହେଉଛି। ଯୁକ୍ତି ହେଲା,  ସମ୍ବାଦ ପ୍ରସାରଣ କ୍ଷେତ୍ରରେ ଏ ମାଧ୍ୟମଗୁଡ଼ିକ ମଧ୍ୟ ଏବେ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଲାଣି। ପ୍ରେସ୍‌ର ସ୍ୱାଧୀନତା ରକ୍ଷା – ପ୍ରେସ୍‌ କାଉନ୍‌ସିଲ୍‌ର ଅନ୍ୟତମ ମୁଖ୍ୟ କାର୍ଯ୍ୟ। ବର୍ତ୍ତମାନ ଭାରତରେ ପ୍ରେସ୍‌ର ସ୍ୱାଧୀନତା ଉପରେ ଆକ୍ରମଣର ଘଟଣା ବଢ଼ି ବଢ଼ି ଚାଲିଛି। ଏପରି ପରିସ୍ଥିତିରେ ପ୍ରେସ୍‌ କାଉନସିଲ କେତେଦୂର ସକ୍ରିୟ ଏବଂ ଫଳପ୍ରଦ ଭୂମିକା ଗ୍ରହଣ କରୁଛି ତାହା ଉପରେ ଅନେକ କିଛି ନିର୍ଭର କରୁଛି। କାରଣ, ଗୋଟିଏ କଥା ଅନସ୍ୱୀକାର୍ଯ୍ୟ ଯେ ପ୍ରେସ୍‌ ଉପରେ ଆକ୍ରମଣ ସୁସ୍ଥ ଗଣତନ୍ତ୍ର ପାଇଁ ଏକ ବିପଦ।

ସମ୍ବାଦବାହୀ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ତା’ର କାରଣ ଗଣତନ୍ତ୍ରରେ ଗଣର ଆଶା, ଆକାଂକ୍ଷା, ଅନୁଭବ ଓ ଅଭିଜ୍ଞତାକୁ ଗଣମାଧ୍ୟମ ହିଁ ଉପସ୍ଥାପନ କରିଥାଏ। ଏହା ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଏକ ଯୋଗସୂତ୍ର। ଅନ୍ୟ ଦୃଷ୍ଟିରୁ ଦେଖିଲେ ଜନସାଧାରଣଙ୍କ ପାଇଁ ଏହା ପ୍ରହରୀର କାର୍ଯ୍ୟ ତୁଲାଇଥାଏ। ଗଣମାଧ୍ୟମ ଉପରେ ଆକ୍ରମଣ- ଅର୍ଥ ଗଣତନ୍ତ୍ର ଉପରେ ଆକ୍ରମଣ।

ସମ୍ପ୍ରତି ପ୍ରେସ୍‌ ଉପରେ ଆକ୍ରମଣ ବଢ଼ି ବଢ଼ି ଚାଲିଛି। ଆକ୍ରମଣ ଚାରି ଆଡ଼ୁ। ଆକ୍ରମଣର ସ୍ୱରୂପ ମଧ୍ୟ ଭିନ୍ନ ଭିନ୍ନ। କେଉଁଠି ସାମ୍ବାଦିକମାନଙ୍କ ଉପରେ ଦୈହିକ ଆକ୍ରମଣ ହେଉଛି ତ କେଉଁଠି ତାକୁ ମାନସିକ ସ୍ତରରେ ଦୁର୍ବଳ କରି ଦେବାର ସକ୍ରିୟ ଚେଷ୍ଟା ଚାଲିଛି। କେଉଁଠି ପ୍ରଲୋଭନ ଦିଆଯାଉଛି ତ କେଉଁଠି ତା’ର ଜୀବିକାକୁ ଅସୁରକ୍ଷିତ କରି ଦିଆଯାଉଛି। ସାମ୍ବାଦିକର ଦାୟିତ୍ୱ ହେଲା ସତ୍ୟ ଖବର ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା। ସତ୍ୟକୁ ଆଲୋକକୁ ଆଣିବା। ଏଥିପାଇଁ ଅନୁସନ୍ଧାନମୂଳକ ସାମ୍ବାଦିକତା ଏକ ବଡ଼ ଆୟୁଧ। କିନ୍ତୁ ତାହା କରିବାରେ ନାନା ପ୍ରକାର ବାଧା ଠିଆ କରାଯାଉଛି। ଷ୍ଟିଙ୍ଗ୍‌ ଅପରେସନ୍‌କୁ ନେଇ ଏବେ ଯେଉଁ ବିତର୍କ ଚାଲିଛି- ତାକୁ ଲକ୍ଷ୍ୟ କଲେ ମନେହୁଏ- ବ୍ୟକ୍ତିଗତ ଗୋପନୀୟତାର ଆଳରେ କେତେକେ ସତ୍ୟ ଉଦ୍‌ଘାଟନରେ ବାଧା ସୃଷ୍ଟି କରିବାକୁ ବଦ୍ଧ ପରିକର। ଯେଉଁ ସତ୍ୟ ସହିତ ସାଧାରଣ ଜନତାର ସ୍ୱାର୍ଥ ଜଡ଼ିତ ତାକୁ ଉଦ୍‌ଘାଟନ କରିବା ପ୍ରେସ୍‌ର ଦାୟିତ୍ୱ।

ପୁଣି ପ୍ରେସ୍‌ ବିରୋଧରେ କେତେକେ ଏ ଅଭିଯୋଗ କରୁଛନ୍ତି ଯେ ଏହା ବିଚାରକର ଭୂମିକା ଗ୍ରହଣ କରୁଛି। କୋର୍ଟରେ ବିଚାର ପୂର୍ବରୁ ଜଣକୁ ଦୋଷୀ ସାବ୍ୟସ୍ତ କରିଦେଉଛି। ଏହାଦ୍ୱାରା ବିଚାରଳାୟରେ ବିଚାରରେ ଅସୁବିଧା ହେଉଛି। କୌଣସି ଘଟଣାରେ ଯଦି ବିଚାରରେ ଅହେତୁକ ଭାବେ ବିଳମ୍ବ ହୁଏ, କିମ୍ବା ବିଚାରରେ ତ୍ରୁଟି ରହିଯାଏ, ତେବେ ସେ ଘଟଣାକୁ ଜନସ୍ୱାର୍ଥରେ ଲୋକଲୋଚନକୁ ଆଣିବା ପ୍ରେସ୍‌ର ଦାୟିତ୍ୱ। ଏହାଦ୍ୱାରା ପ୍ରେସ୍‌ ବରଂ ନ୍ୟାୟ ବିଚାରରେ ସାହାଯ୍ୟ କରୁଛି।  ସାମ୍ପ୍ରତିକ ପ୍ରିୟଦର୍ଶିନୀ ମାଟ୍ଟୁ କେସ୍‌ରେ ଏଇଆହିଁ ହୋଇଛି। ଯେଉଁ ଆସାମୀକୁ ତଳ କୋର୍ଟ ପ୍ରମାଣ ଅଭାବ ଦର୍ଶାଇ ଖଲାସ କରିଦେଇଥିଲେ, ଜନମତର ଚାପରେ ତା’ର ପୁର୍ନବିଚାର କରାଗଲା। ଆଉ ଉଚ୍ଚ ନ୍ୟାୟାଳୟ ଆସାମୀକୁ ମୃତ୍ୟୁଦଣ୍ଡ ଦେଲେ। ଏ କ୍ଷେତ୍ରରେ ପ୍ରେସ୍‌ର ଭୂମିକାକୁ ତର୍ଜମା କଲେ ଦେଖାଯିବ- ଏହା ନ୍ୟାୟ ବିଚାରରେ ବିଚାରାଳୟକୁ ବରଂ ସାହାଯ୍ୟ କରିଛି।

ଜାତୀୟ ପ୍ରେସ୍‌ ଦିବସରେ ଏ ବିଷୟଗୁଡ଼ିକ ନେଇ ଆଲୋଚନା କରାଯିବା ଆବଶ୍ୟକତା ରହିଛି। ଗଣତନ୍ତ୍ରକୁ ସୁସ୍ଥ ଭାବରେ ବଜାୟ ରଖିବା ପାଇଁ ଗଣମାଧ୍ୟମକୁ ମୁକ୍ତ ଏବଂ ଅବାଧ ଭାବେ କାର୍ଯ୍ୟ କରିବାର ସ୍ୱାଧୀନତା ଦେବା ଦରକାର। ନହେଲେ ଗଣତନ୍ତ୍ରର ନିଅଁ ଦୋହଲିଯିବ। ତେବେ ସ୍ୱାଧୀନତା ସହିତ ଏକ ଦାୟିତ୍ୱବୋଧ ମଧ୍ୟ ରହିଛି। ଦାୟିତ୍ୱହୀନ ସ୍ୱାଧୀନତା-ସ୍ଵେଚ୍ଛାଚାରିତାକୁ ବାଟ କଢ଼େଇଦିଏ।

ଜାତୀୟ ପ୍ରେସ୍‌ ଦିବସ ଅବସରରେ ଏ ବିଷୟଟି ପ୍ରତି ସମସ୍ତେ ସଚେତନ ହେବା ଦରକାର।

(ଲେଖକ ବର୍ତ୍ତମାନ ଆଇଆଇଏମସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ)

Tags: #NationalPressDay #PressDay #FourthPillarofDemocracy #Media #PressCouncil #DrMrinalChatterjee

LEAVE A REPLY

Please enter your comment!
Please enter your name here