ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ମାୟା ନଗରୀରେ ଖେଳି ଯାଇଛି ଆତଙ୍କ। ଏବେ ସଙ୍କଟରେ ବଲିଉଡର ଭାଇଜାନ ଅଭିନେତା ସଲମାନ ଖାନଙ୍କ ଜୀବନ।

ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିବା ପରେ ସଲମାନଙ୍କ ପାଇଁ ବାବା ସିଦ୍ଦିକିଙ୍କ ଜୀବନ ଯାଇଥିବା ଚର୍ଚ୍ଚା ହେଉଛି। କାରଣ କୃଷ୍ଣସାର ମୃଗ ଶିକାର କରିବା ନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ରହିଛନ୍ତି ସଲମାନ ଖାନ। ବାବା ସିଦ୍ଦିକିଙ୍କ ହତ୍ୟା ପରେ ଭୟରେ ଅଛନ୍ତି ଭାଇଜାନ।

ପୂର୍ବରୁ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ବାରମ୍ବାର ଧମକ୍ ଦେଇ ଆସୁଛି। ଗତ ଜୁଲାଇ ମାସରେ ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରାଯିବା ସହ ତାଙ୍କ ବାପା ସଲିମ ଖାନଙ୍କୁ ଆକ୍ରମଣ କରାଯାଇଥିଲା।

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ନିକଟକୁ ମଧ୍ୟ ଧମକ ଆସିଛି। ଏହାକୁ ଏନେଇ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସଲମାନ ଖାନ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଲମାନ ନିଜର ସମସ୍ତ ସୁଟିଂ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି।

କେବଳ ସେତିକି ନୁହେଁ ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ବାନ୍ଦ୍ରା ସ୍ଥିତ ଘରେ ଏକାକୀ ରହୁଛନ୍ତି। ପରିବାର କିମ୍ବା ସମ୍ପର୍କୀୟ ଲୋକଙ୍କ ସହ ସାକ୍ଷାତ କରୁନାହାନ୍ତି କିମ୍ବା କଥା ମଧ୍ୟ ହେଉ ନାହନ୍ତି।

ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ମୁମ୍ବାଇ ପୋଲିସ ପକ୍ଷରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସଲମାନଙ୍କ ମୁମ୍ବାଇ ସ୍ଥିତ ବାସଭବନ ଗାଲାକ୍ସି ଆପାର୍ଟମେଣ୍ଟ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ଦିନ ସଲମାନଙ୍କୁ ଓ୍ଵାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି।

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡର ୧୪ ଘଣ୍ଟା ପରେ ସୋସିଆଲ ମିଡିଆରେ ବିଷ୍ଣୋଇ ଗ୍ୟାଙ୍କ ପକ୍ଷରୁ ଏକ ପୋଷ୍ଟ ସେୟାର କରାଯାଇଥିଲା। ଶୁଭୁ ଲୋଙ୍କର ନାଁରେ ଥିବା ଏକ ଆକାଉଣ୍ଟରେ ସେୟାର ହୋଇଥିବା ଏହି ପୋଷ୍ଟରେ ଲେଖା ଯାଇଥିଲା, ‘ବାବା ସିଦ୍ଦିକିଙ୍କର ଚାପ୍ଟର ସରିଲା। ସଲମାନ ଖାନ ଆମ ଭାଇଙ୍କର ବହୁତ କ୍ଷତି ଘଟାଇଛନ୍ତି। ଯିଏ ବି ସଲମାନ ଖାନ କିମ୍ବା ଦାଉଦ ଗ୍ୟାଙ୍ଗକୁ ସହଯୋଗ କରୁଥିବ ତା’ର ହିସାବ ରଖାଯିବ।’

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟ ପ୍ରକୃତରେ କିଏ ସେୟାର କରିଛି ଏବଂ ଏହା ପଛରେ ରହିଥିବା ସତ୍ୟତା ଜାଣିବାକୁ ତନାଘନା ଆରମ୍ଭ କରିଛି ମୁମ୍ବାଇ ପୋଲିସ।

ବାବା ସିଦ୍ଦିକି ସଲମନ ଖାନଙ୍କର ଅତି ଘନିଷ୍ଠ ଥିଲେ। ଏହା ସହ ସଲମାନଙ୍କ ପରିବାରର ଭଲ ବନ୍ଧୁ ମଧ୍ୟ ଥିଲେ। ଏକଦା ସଲମାନ ଏବଂ ସାହାରୁଖ ଖାନଙ୍କ ମଧ୍ୟରେ ରହିଥିବା ମତାନ୍ତର ଦୂର କରିବାରେ ବାବା ସିଦ୍ଦିକିଙ୍କର ବଡ଼ ଭୂମିକା ରହିଥିଲା।

ଶନିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଯ୍ୟାଳୟ ଆଗରେ ବାବା ସିଦ୍ଦିକି ନିଜ ପୁଅ ଜିସାନଙ୍କ ସହ ବାଣ ଫୁଟାଉଥିଲେ। ଏହି ସମୟରେ ତିନିଜଣ ମୁଖାପିନ୍ଧା ଯୁବକ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ବାବା ସିଦ୍ଦିକିଙ୍କ ଦେହରେ ୩ଟି ଗୁଳି ବାଜିବା ପରେ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ।

ତୁରନ୍ତ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଗୁଳିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜିସାନ।

ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହରିୟାଣାର ୨୩ ବର୍ଷିୟ ଗୁରମେଲ ବଲଜିତ ଏବଂ ଉତ୍ତରପ୍ରଦେଶର ୧୯ ବର୍ଷିୟ ଧର୍ମରାଜ ରାଜେଶ କଶ୍ୟପ ଓ ପ୍ରବୀଣ ଲୋଙ୍କର। ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ବହୁ ପୂର୍ବରୁ ସୁପାରୀ ମିଳିଥିବା ପୋଲିସକୁ କହିଛନ୍ତି ଅଭିଯୁକ୍ତ। ଏପରିକି ବାବା ସିଦ୍ଦିକିଙ୍କ ସହ ତାଙ୍କ ପୁଅକୁ ହତ୍ୟା କରିବାକୁ ସେମାନେ ଯୋଜନା କରିଥିଲେ ବୋଲି ମଧ୍ୟ କହିଛନ୍ତି।

Tags: #BabaSiddique #BabaSiddiqueMurderCase #SalmanKhan #LawrenceBishnoiGang

LEAVE A REPLY

Please enter your comment!
Please enter your name here