ଓଡ଼ିଶାଲାଇଭ୍ ବ୍ୟୁରୋ

ଇରାନରେ କଠୋର ହେବ ହିଜାବ ଆଇନ। ଏନେଇ ଇରାନ ସଂସଦରେ ନୂଆ ହିଜାବ ବିଲ୍ ପାରିତ ହୋଇଛି। ଏଥିରେ ମହିଳାମାନଙ୍କ ହିଜାବ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଆଇନ ଉଲ୍ଲଂଘନ କଲେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଏହାକୁ ନେଇ ଇରାନରେ ବ୍ୟାପକ ବିରୋଧ ପ୍ରଦର୍ଶନ ହେଉଛି।  

ନୂଆ ହିଜାବ ଆଇନକୁ ନେଇ ଇରାନରେ ଚାପା ଉତ୍ତେଜନା ଦେଖା ଦେଇଛି। ଏପରିକି ଇରାନର ରଷ୍ଟ୍ରପତି ଆଇନକୁ ଅଦରକାରୀ ବୋଲି କହିଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ଏହି ଆଇନ? ପୂର୍ବରୁ ଥିବା ଆଇନ ଏବଂ ନୂଆ ଆଇନ ଭିତରେ କ’ଣ ଫରକ ରହିଛି?

ଇରାନ ସଂସଦରେ ନୂଆ ‘ପବିତ୍ରତା ଏବଂ ହିଜାବ’ ବିଲ୍ ଅନୁମୋଦନ ଲାଭ କରିଛି। ଇରାନର ରାଷ୍ଟ୍ରପତିଙ୍କ ବିରୋଧ ସତ୍ତ୍ୱେ ସଂସଦରେ ଏହି ବିଲ୍ ପାରିତ ହୋଇଛି। ଏହି ବିଲ୍ ସଂସଦକୁ ଆସିବା ପରେ ମତଦାନ ହୋଇଥିଲା। ଏହା ସପକ୍ଷରେ ୧୫୨ ଜଣ ସାଂସଦ ମତ ଦେଇଥିଲେ। ବିରୋଧରେ ପଡ଼ିଥିଲା ମାତ୍ର ୩୪ଟି ଭୋଟ୍।

କ’ଣ ରହିଛି ନୂଆ ଆଇନରେ?

ନୂଆ ହିଯାବ ଆଇନରେ ସ୍ପଷ୍ଟ କୁହାଯାଇଛି ଯେ, ଯଦି କୌଣସି ମହିଳା ସାର୍ବଜନିକ ସ୍ଥାନକୁ ଅନୁଚିତ ପୋଷାକ ପିନ୍ଧି ଯାଇଥିବା ଦେଖିବାକୁ ମିଳିବ ତେବେ ତାଙ୍କୁ ୪ର୍ଥ ଶ୍ରେଣୀର ଦଣ୍ଡ ମିଳିବ। ଏମିତି ଦେଖିଲେ ନୂଆ ଆଉ ପୁରୁଣା ଆଇନ ଭିତରେ ବିଶେଷ କିଛି ପରିବର୍ତ୍ତନ ନାହିଁ। ତେବେ ନୂଆ ଆଇନରେ ଏହି ଦଣ୍ଡ ବ୍ୟବସ୍ଥା ଆହୁରି କଠୋର କରାଯାଇଛି।

ପୁରୁଣା ଆଇନ ଅନୁସାରେ, ନିୟମ ଉଲ୍ଲଘଂନ କଲେ ଦୋଷୀ ମହିଳାଙ୍କୁ ୧୦ ଦିନରୁ ୨ ମାସ ଜେଲ ଏବଂ ୫ ହଜାରରୁ ୫ ଲକ୍ଷ ଇରାନୀ ରିୟାଲ ଯାଏଁ ଜୋରିମାନା ଦଣ୍ଡ ମିଳୁଥିଲା। ତେବେ ନୂଆ ଆଇନ ଅନୁସାରେ ନିୟମ ଉଲ୍ଲଘଂନ କଲେ ଚତୁର୍ଥ ଡିଗ୍ରୀର ଦଣ୍ଡ ମିଳିବାର ପ୍ରାବଧାନ ରହିଛି। ଅର୍ଥାତ ୫ ରୁ ୧୦ ବର୍ଷ ଜେଲ୍  ଏବଂ ଅର୍ଥ ଜୋରିମାନା ୧୮ କୋଟିରୁ ୩୬ କୋଟି ଇରାନୀ ରିୟାଲ ରହିବ।

ସେତିକୁ ନୁହେଁ, ଏହି ଆଇନ ଲାଗୁ ହେବାପରେ ଯାଞ୍ଚ ବ୍ୟବସ୍ଥା ବି କଡ଼ାକଡ଼ି କରାଯିବ। ପ୍ରତି ସ୍ଥାନରେ ସିସିଟିଭି ଉପରେ ନଜର ରଖାଯିବ। ଏହା ଦ୍ୱାରା ଆଇନର ଉଲ୍ଲଘଂନ କିଏ ଏବଂ କେବେ କରୁଛି ତାହା ସ୍ପଷ୍ଟ ହୋଇଯିବ ବୋଲି ଲକ୍ଷ୍ୟ ରଖାଯାଇଛି।   

ପୂର୍ବରୁ ଇରାନରେ ସାର୍ବଜାନୀକ ସ୍ଥାନରେ ଏପରିକି ସୋଶିଆଲ ମିଡିଆରେ ଠିକ ଭାବେ ହିଜାବ ନ ପିନ୍ଧିଲେ ଦଣ୍ଡ ମିଳିବାର ପ୍ରାବଧାନ ଥିଲା। ଏବେ ନୂଆ ଆଇନ ଅନୁସାରେ ସୋଶିଆଲ ମିଡିଆରେ ନଗ୍ନତାକୁ ପ୍ରୋତ୍ସାହନ ଦେଉଥିବା ମହିଳାଙ୍କ ବିରୋଧରେ ବି କଠୋର ଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି।

ମହିଳା ଡ୍ରାଇଭର ବା ମହିଳା ଯାତ୍ରୀ ନିୟମର ଉଲ୍ଲଘଂନ କରୁଥିବା ଦେଖିବାକୁ ମିଳେ ତେବେ ଗାଡ଼ି ମାଲିକଙ୍କୁ ଦଣ୍ଡ ମିଳିବ। ସେହିପରି କପଡ଼ା ବେପାରୀଙ୍କ ଉପରେ ମଧ୍ୟ ନଜର ରହିବ। ସେମାନେ ଯେଉଁ କପଡ଼ା ବିକୁଛନ୍ତି ତାହା ହିଜାବ ଆଇନ ଅନୁସାରେ ହେଉଛି ନା ନାହିଁ ତା’ ଉପରେ ମଧ୍ୟ କଡ଼ା ନଜର ରହିବ।

ଏହି ବିଲ୍ ସଂସଦରେ ପାସ ହେବା ପରେ ଏବେ ରାଷ୍ଟ୍ରପତି ମସୁଦ ପେଜେଶକିୟନଙ୍କ ଅନୁମୋଦନ ପାଇଁ ପଠାଯାଇଛି। ହେଲେ ରାଷ୍ଟ୍ରପତି ନିଜେ ଦେଶର ଡ୍ରେସକୋଡ ନିୟମକୁ ସମାଲୋଚନା କରିଥିଲେ ଏବଂ ବିଲର ବିରୋଧ କରିଥିଲେ। ତେବେ ଶରିଆ ଆଇନ ଆଧାରିତ ଇରାନ ସମ୍ବିଧାନ ଅନୁସାରେ ଆଇନ ଲାଗୁ ହେବାରୁ ରୋକିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି। ହେଲେ ଯଦି ସେ ଏହା କରନ୍ତି ତେବେ ରୁଢ଼ିବାଦୀ ନେତାଙ୍କ ସହ ତାଙ୍କର ବିରୋଧାଭାସ ବଢ଼ିବାର ଆଶଙ୍କା ରହିଛି। 

ହିଜାବ ଆଇନକୁ ନେଇ ଇରାନରେ ଅନେକ ସମୟରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ୨୦୨୨ରେ ଇରାନର ମହିଳା ମହସା ଅମିନୀଙ୍କୁ ହିଜାବ ଆଇନ ଉଲ୍ଲଘଂନ କରିବା ଅପରାଧରେ ଗିରଫ କରାଯାଇଥିଲା। ପୋଲିସ ହେପାଜତରେ ତାଙ୍କର ମୃତ୍ୟୁ ବି ଘଟିଥିଲା। ଏହାକୁ ନେଇ ବିରୋଧ ଜୋରଦାର ହୋଇଥିଲା।

Tags: #HijabLaw #Women #IslamicRule #Iran

LEAVE A REPLY

Please enter your comment!
Please enter your name here