ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି ହୋଇଛି। ତାଙ୍କୁ ଡିସେମ୍ବର ୧୧ ତାରିଖରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ହଜାର ହେବା ପାଇଁ ନିର୍ଦ୍ଦେଶ ରହିଥିଲା। ଟେଣ୍ଡର ଫିକ୍ସିଂ ପାଇଁ ବ୍ରିଜ୍ ଆଣ୍ଡ୍ ରୁଫ୍ କନଷ୍ଟ୍ରକ୍ସନ କର୍ପୋରେସନ ନାମକ ଠିକା ସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ତଦନ୍ତ ପାଇଁ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଛି।
ଓଡ଼ିଶାର ବିଭିନ୍ନ ବିଭାଗରେ ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଆକାଉଣ୍ଟରୁ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା ରହିଛି। ଏହି ଆଧାରରେ ତନାଘନା କରୁଛି ସିବିଆଇ।
ଏହି ମାମଲାରେ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ମଧ୍ୟ ସିବିଆଇ ସମନ କରିଛି। ସିବିଆଇ ବିଷ୍ଣୁପଦଙ୍କୁ ପଚରାଉଚରା କରି ତାଙ୍କ ଡ୍ରାଇଭରଙ୍କ ବିଷୟରେ ଓ ଏହି ମାମଲାରେ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଥିବା କୁହାଯାଉଛି।
ତେବେ ବିଷ୍ଣୁପଦ ସେଠୀ ସିବିଆଇ ନିକଟରେ ହାଜର ହୋଇଥିଲେ କି ନାହିଁ, ସେନେଇ କୌଣସି ସୂଚନା ମିଳିନାହିଁ। ମାମଲାକୁ ନେଇ ନିଜେ ବିଷ୍ଣୁପଦ ସେଠୀ କିଛି ପ୍ରତିକ୍ରିୟା ଦେଇନାହାନ୍ତି।
ବିଷ୍ଣୁପଦ ସେଠୀ ଏବେ ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭଳି ୩ଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।
ଏହି ବିଭାଗଗୁଡ଼ିକର ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଅଛି। ଏଥିରୁ ଅନେକ ପ୍ରକଳ୍ପର ନିର୍ମାଣ ପାଇଁ ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କର୍ପୋରେସନକୁ ଠିକା ଦିଆଯାଇଥିଲା। ଏଥିରେ ଟେଣ୍ଡର୍ ଫିକ୍ସିଂ ନେଇ ହୋଇଥିବା ଅଭିଯୋଗର ରହସ୍ୟ ଖୋଲିବାକୁ ସିବିଆଇ ତଦନ୍ତ ଜାରି ରଖିଛି।
ଏହି ମାମଲାରେ ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କର୍ପୋରେସନର ଓଡ଼ିଶା ମୁଖ୍ୟ ଚଞ୍ଚଳ କୁମାର ମୁଖାର୍ଜୀ ଓ ଅନ୍ୟ ୨ ଜଣଙ୍କ ନାଁରେ ନୂଆଦିଲ୍ଲୀରେ ସିବିଆଇ ପକ୍ଷରୁ ମାମଲା ରୁଜୁ ହୋଇଛି। ମାମଲାରେ ସିବିଆଇ ସେମାନଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇ ତଦନ୍ତ କରୁଛି। ଗିରଫ ସମୟରେ ଚଞ୍ଚଳ କୁମାର ମୁଖାର୍ଜୀଙ୍କର ଏକ ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା।
Tags: #BishnuPadaSethi #CBI #TenderFixingCase #Odisha