ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ
ମାଲକାନଗିରି: ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚାଲାଣକାରୀମାନେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଆଜି ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରପଡ଼ିଛି।
ଖଇରପୁଟ ବ୍ଲକର ମୁଦୁଲିପଡ଼ା ପୋଲିସକୁ ମିଳିଛି ଏହି ସଫଳତା। ମୁଦୁଲିପଡ଼ା ପୋଲିସ ଆଜି ଭୋର ସମୟରେ ପାଟ୍ରୋଲିଂ କରୁଥିବା ଏକ ଆମ୍ବୁଲାନ୍ସକୁ ଅଟକାଇଥିଲେ। ତନଖି କରିବା ସମୟରେ ଦେଖିବାକୁ ମିଳିଥିଲା ଯେ ରୋଗୀ ବଦଳରେ ରହିଛି ଗଞ୍ଜେଇ। ପୋଲିସ ଚେକିଂ କରୁଥିବା ବେଳେ ଡ୍ରାଇଭର ନିଜକୁ ବଞ୍ଚାଇବାକୁ ଯାଇ ଗାଡ଼ିକୁ ଦ୍ରୁତ ଗତିରେ ନେଇଯାଇଥିଲା। ଖଇରପୁଟ-ମାଥିଲି ରାସ୍ତାରେ ଚାଲିଯାଉଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଚାଲି ଯାଇଥିଲା।
ପୋଲିସ ସାଢ଼େ ତିନି ବସ୍ତା ଗଞ୍ଜେଇ ଗାଡ଼ିରୁ ଖାଲି କଲା ପରେ ଆମ୍ବୁଲାନ୍ସଟିକୁ ମୁଦୁଲିପଡା ଥାନାକୁ ନେଇଛନ୍ତି। ଡ୍ରାଇଭର ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମୁନା କୁମାର ଯାଦବ, ରଜତ ଜୟନ୍ତ ହାଲଦାର, ମୁକେଶ କୁମାର ଚୌରାସିୟା, ଅନୁପ କୁମାର ଏବଂ ବୁଦୁ ଖେମୁଡ଼ୁ।
ଗଞ୍ଜେଇଗୁଡ଼ିକ ଚିତ୍ରକୋଣ୍ଡାରୁ ବିହାରକୁ ଚାଲାଣ କରାଯାଉଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ପୋଲିସ ଓ ଅବକାରୀ ବିଭାଗର ନଜର ହଟାଇବା ଲାଗି ଗଞ୍ଜେଇ ଚାଲାଣ କରିବାକୁ ବ୍ୟବହାର କରିଥିଲେ ଏକ ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଯେମିତି ସୁରୁଖୁରେ ପାର ହେବ ସେଥିପାଇଁ ଆଉ ଗୋଟିଏ କାର୍ ମଧ୍ୟ ବ୍ୟବହାର କରାଯାଇଥିଲା। ପୋଲିସ ଦୁଇଟି ଗାଡ଼ିକୁ ଜବତ କରିଥିବା ବେଳେ ୧୦୨.୭ କେଜି ଗଞ୍ଜେଇ ରହିଥିବା ପୋଲିସ କହିଛି।