ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ପ୍ରାୟ ଅଢ଼େଇ କୋଟି ଟଙ୍କାର ଗଞ୍ଜେଇକୁ ଶନିବାର ଦିନ ପୋଡ଼ି ନଷ୍ଟ କରିଛି ବିଶାଖାପାଟଣା ପୋଲିସ। ଆନ୍ଧ୍ରପ୍ରଦେଶ ପୋଲିସ ଓଡ଼ିଶା ସୀମାନ୍ତବର୍ତ୍ତୀ ୨ଟି ଜିଲ୍ଲା ଆଲୁରୀ ସୀତାରାମ ରାଜୁ ଓ ଆନକାପଲ୍ଲୀ ଜିଲ୍ଲାରୁ ଗତ ୮ ମାସ ମଧ୍ୟରେ ସର୍ବାଧିକ ୫୫୫ଟି ସ୍ଥାନରେ ଚଢ଼ଉ କରି ପ୍ରାୟ ୧.୮୦ ଲକ୍ଷ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ ମୋଟ ୨୫୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଆନ୍ଧ୍ରପ୍ରଦେଶ ପୋଲିସ ଜବତ କରିଥିବା ଗଞ୍ଜେଇ ମଧ୍ୟରୁ ୭୦ ଭାଗ ଓଡ଼ିଶାରୁ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି। ଆଜି ପ୍ରାୟ ୨.୪୫ ଲକ୍ଷ କିଲୋଗ୍ରାମ ଓଜନ ଗଞ୍ଜେଇରେ ନିଆଁ ଲଗାଇ ନଷ୍ଟ କରାଯାଇଛି। ଯାହାର ସରକାରୀ ମୂଲ୍ୟ ୨୪୫ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି। ଦ୍ଵିତୀୟ ଥର ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ଏତେ ପରିମାଣର ଗଞ୍ଜଇ ନଷ୍ଟ କରିଛି। ଏହା ପୂର୍ବରୁ ଗତ ଫେବ୍ରୁଆରି ମାସରେ ଆନ୍ଧ୍ରପ୍ରଦେଶ ପୋଲିସ ୨୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ନଷ୍ଟ କରିଥିଲା।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ, କାକିନାଡ଼ା, କୋଣସୀମା, ଏଲୁରୁ, ପୂର୍ବ ଗୋଦାବରୀ ଓ କ୍ରିଷ୍ଣା ଜିଲ୍ଲାରୁ ୪୬୫ଟି ମାମଲାରେ ମୋଟ ୬୪,୮୩୨ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ସେହିପରି ଆଲୁରୀ ସୀତାରାମ ରାଜୁ ଜିଲ୍ଲାରୁ ୧.୮ ଲକ୍ଷ କେଜି ଓ ଆନକା ପଲ୍ଲୀ ଜିଲ୍ଲାରୁ ୪୦ ହଜାର କେଜି, ବିଜୟନଗରମ ଜିଲ୍ଲାରୁ ୯,୦୦୦ କେଜି,  ଶ୍ରୀକାକୁଲମ ଜିଲ୍ଲାରୁ ୪,୦୦୦ କେଜି, ପାର୍ବତୀ ପୁରମ ଜିଲ୍ଲାରୁ ୨,୦୦୦ କେଜି ଗଞ୍ଜେଇ ଗତ ୮ ମାସ ମଧ୍ୟରେ ଜବତ କରାଯାଇଥିଲା। ଆଜି ଆନକାପଲ୍ଲୀ ଜିଲ୍ଲାର କୋଡୁରୁ ଗ୍ରାମ ନିକଟରେ ଆନ୍ଧ୍ରପ୍ରଦେଶ ପୋଲିସ ଡିଜିପି କେ. ରାଜେନ୍ଦ୍ରନାଥ ରେଡ୍ଡୀଙ୍କ ଉପସ୍ଥିତିରେ ଗଞ୍ଜେଇକୁ ନିଆଁ ଲଗାଇ ନଷ୍ଟ କରାଯାଇଛି। ଗତ ୮ ମାସ ମଧ୍ୟରେ ସମଗ୍ର ଆନ୍ଧ୍ରପ୍ରଦେଶରେ ଗଞ୍ଜେଇ ଚାଲାଣର ୯୦୦ ଟି ମାମଲାରେ ୬୦ରୁ ଊର୍ଦ୍ଧ୍ଵ ଗାଡ଼ି ଜବତ କରାଯାଇଥିଲା।

ପରିବର୍ତ୍ତନ କାର୍ଯ୍ୟକ୍ରମ ଦ୍ଵାରା ମୋଟ ୭ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯିବା ସହ ଗଞ୍ଜେଇ ଚାଷକୁ ରୋକିବା ପାଇଁ ପ୍ରତ୍ୟେକ ଗ୍ରାମର ସରପଞ୍ଚଙ୍କ ସହ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି। ଭିନ୍ନ ଭିନ୍ନ ଚାଷ ପାଇଁ ଚାରା ପ୍ରଦାନ କରାଯାଉଛି। ରାଜ୍ୟରେ ଗଞ୍ଜେଇ ଚାଷ ରୋକିବାକୁ ମାଓବାଦୀ ପ୍ରବଣ ଅଞ୍ଚଳ ସହ ଆଦିବାସୀ ଗ୍ରାମଗୁଡ଼ିକରେ ହୋର୍ଡିଂ ସହ ଗୋଟିଏ ଟୋଲ ଫ୍ରି ନମ୍ବର ଖୋଲା ଯାଇଛି। ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ସମ୍ପର୍କରେ ପୋଲିସକୁ ସୂଚନା ଦେବା ପାଇଁ ଏହି ନମ୍ବର ବ୍ୟବହାର କରାଯିବ। ଆଗାମୀ ୨୦୨୩ ମସିହାରେ ସମଗ୍ର ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ମୁକ୍ତ ରାଜ୍ୟ ରୂପେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଏବଂ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଥିବା ଡିଜିପି ରାଜେନ୍ଦ୍ରନାଥ ରେଡ୍ଡୀ ପ୍ରକାଶ କରିଛନ୍ତି।

Tags: #VishakhaPatnam #VishakhapatnamPolice #Ganja #GanjaDestroy

Comment