କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

ଶୀତଋତୁ ଆସିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଅଞ୍ଚଳରେ ବିଦେଶୀ ଚଢ଼େଇଙ୍କ ଗହଳି ଚହଳି ଲାଗେ। ପୃଥିବୀର ବିଭିନ୍ନ ଅଞ୍ଚଳରୁ ନାନା ପ୍ରଜାତିର ବିଦେଶୀ ଓ ଦେଶୀ ଚଢ଼େଇଙ୍କ କଳରବରେ ଫାଟି ପଡ଼େ ସାରା ପରିବେଶ।

ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ବିଦେଶୀ ଚଢ଼େଇଙ୍କ ସମାଗମ ହୋଇଛି ଭିତରକନିକାରେ। ଖାଲି ଭିତରକନିକା ନୁହେଁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ମହାକାଳପଡ଼ା, ଆଳି, କନିକା ଓ ଜଗସିଂହପୁର ଜିଲ୍ଲାର ପାରାଦୀପ ଓ କୁଜଙ୍ଗ ରେଞ୍ଜ ଅଞ୍ଚଳରେ ମଧ୍ୟ ଏହି ବିଦେଶୀ ଅତିଥିମାନଙ୍କୁ ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ ଶୀତ ଦିନେ ବିଦେଶୀ ଚଢ଼େଇମାନଙ୍କ ପାଇଁ ସୃଷ୍ଟି କରିଥାଏ ଭିନ୍ନ ଏକ ଇଲାକା। ପୃଥିବୀର ବିଭିନ୍ନ ଅଞ୍ଚଳରୁ ଏମାନେ ହଜାର ହଜାର କିଲୋମିଟର ଆକାଶ ପଥ ଅତିକ୍ରମ କରି ଏଠାରେ ପହଞ୍ଚିଥାନ୍ତି। ସାଧାରଣତଃ ଏମାନେ ଭାରତର ହିମାଳୟ ପାଦଦେଶ ବରଫାବୃତ ଅଞ୍ଚଳ ସହିତ ଉତ୍ତରଏସିଆ, ଇଉରୋପ, ଇଉକ୍ରେନ୍, ପାକିସ୍ତାନ, ଆଫଗାନୀସ୍ତାନ, ମଙ୍ଗୋଲିଆ, ସାଇବେରିଆ, ଲଦାଖ, ତିବତ୍ତ, ୟୁରେସିଆ ଆଦି ଅଞ୍ଚଳରୁ ଆସିଥାନ୍ତି। ଶୀତଦିନେ ମେରୁ ଅଞ୍ଚଳରେ ପ୍ରଚଣ୍ଡ ବରଫ ପାତ ହେବା ଯୋଗୁଁ ବରଫ ତଳେ ଏହି ଚଢ଼େଇମାନଙ୍କର ଖାଦ୍ୟ ପୋତି ହୋଇଯାଏ। ଖାଇବାକୁ ନପାଇ ଏମାନେ ଆକାଶରେ ଉଡ଼ି ଉଡ଼ି ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଚିଲିକା ଓ ଭିତରକନିକା  ଅଞ୍ଚଳରେ ପହଞ୍ଚିଥାନ୍ତି।

ଚିଲିକାରେ ଏମାନଙ୍କ ସଂଖ୍ୟା ଅଧିକ ଥିବାବେଳେ ଭିତରକନିକା ଅଞ୍ଚଳରେ ଏମାନଙ୍କ ପ୍ରଜାତି ଅଧିକ ରହିଥାଏ। କର୍ମୋରାଣ୍ଟ, ଡାର୍ଟର, ହେରନ, ସ୍ପୁନବିଲସ୍, ବିଭିନ୍ନ ପ୍ରଜାତିର ହଂସ, ବିଭିନ୍ନ ପ୍ରଜାତିର ବତକ, ସ୍କିମର ଓ ଜଳ ଚଢ଼େଇମାନଙ୍କୁ ଏଠାରେ ଦେଖିବାକୁ ମିଳନ୍ତି। ଚଳିତବର୍ଷ ୭୪ ପ୍ରଜାତିର ଚଢ଼େଇମାନଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ୧ଲକ୍ଷ ୯ହଜାର ୫୯ ଗଣନା କରାଯାଇଛି।

ଗତବର୍ଷଠାରୁ ଏମାନଙ୍କ ସଂଖ୍ୟା କିଛି କମ୍ ରହିଛି। ଗତ ବର୍ଷ ଭିତରକନିକା ଓ ଏହାର ଆଖପାଖରେ ୮୩ ପ୍ରଜାତିର ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥିବା ବେଳେ ଏମାନଙ୍କ ସଂଖ୍ୟା ରହିଥିଲା ୧ଲକ୍ଷ ୧୨ହଜାର ୯୩୭ ବୋଲି ରାଜନଗର ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

୬ ତାରିଖ ରବିବାର ଦିନ ବନ ବିଭାଗ ଏମାନଙ୍କର ଗଣନା କରିଥିଲା। ରାଜ୍ୟର ବହୁ ପକ୍ଷୀ ବିଶାରଦ, ବନ କର୍ମଚାରୀ ଓ ୱାଚରମାନଙ୍କୁ ଗଣନା କାର୍ଯ୍ୟରେ ସାମିଲ କରାଯାଇଥିଲା। ମୋଟ ୧୬ଟି ଦଳରେ ଭାଗ ହୋଇ ରାଜନଗର ବନଖଣ୍ଡରେ ରହିଥିବା ୫ଟି ରେଞ୍ଜ ଅଞ୍ଚଳରେ ଏହି ଗଣନା କାର୍ଯ୍ୟ ହୋଇଥିଲା। ରାଜନଗର, ଭିତରକନିକା, ଗହୀରମଥା, ମହାକାଳପଡ଼ା ଓ ଜଗସିଂହପୁର ଜିଲ୍ଲାର କୁଜଙ୍ଗ ରେଞ୍ଜରେ ଥିବା ପାରାଦୀପ ଅଞ୍ଚଳରେ ଚଳିତ ବର୍ଷ ଗଣନାରେ ପ୍ରଚୁର ପରିମାଣରେ ବିଦେଶୀ ପକ୍ଷୀମାନଙ୍କୁ ଦେଖିବାକୁ ମିଳିଛି।

ଭିତରକନିକାକୁ ବିଦେଶୀ ପକ୍ଷୀମାନଙ୍କର ସ୍ୱତନ୍ତ୍ର ପସନ୍ଦ ରହିଛି। ଭିତରକନିକାରେ ରହିଥିବା ଜୈବ ବିବିଦ୍ଧତା ବିଦେଶୀ ପକ୍ଷୀମାନଙ୍କୁ ଆକୃଷ୍ଟ କରିଆସିଛି। ସୁରକ୍ଷିତ ବିସ୍ତିର୍ଣ୍ଣ ବନାଞ୍ଚଳରେ ରହିଛି ଏମାନଙ୍କ ପାଇଁ ପ୍ରଚୁର ଖାଦ୍ୟ। ମାଛ, କଙ୍କଡ଼ା, ପୋକ, ଜୋକ, ଗେଣ୍ଡା, ଶାମୁକା, ଦଳ, ଶିଉଳି ଆଦି କେତେ ପ୍ରକାରର ଖାଦ୍ୟ। ଏହାଛଡ଼ା ଭିତରକନିକା ଓ ତାହାର ଆଖପାଖ ଅଞ୍ଚଳରେ ରହିଥିବା ଧାନ କ୍ଷେତରୁ ଏମାନେ ପାଚିଲା ଧାନ ଖାଇଥାନ୍ତି। ଭିତରକନିକା ଅଭୟାରଣ୍ୟ ମଧ୍ୟରେ ପକ୍ଷୀ ଶିକାରକୁ କଡ଼ା କଡ଼ି କଟକଣା କରାଯାଇଥିବାରୁ ପକ୍ଷୀମାନେ ଏଠାରେ ନିରାପଦରେ ରହିଥାନ୍ତି। ଭିତରକନିକା ଅଞ୍ଚଳରେ ରହିଥିବା ବହୁ ଗଡ଼ିଆ, ପୋଖରୀ, ଜଳାଶୟ ମଧ୍ୟରେ ଦିନସାରା ଏମାନେ ଖାଦ୍ୟ ଖାଇ ଆକାଶରେ ନିର୍ଭୟରେ ବିଚରଣ କରିଥାନ୍ତି।

ଶୀତଦିନେ ମେରୁ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଓ ପୂର୍ବ ଭାରତ ଅଞ୍ଚଳ ଏହି ପକ୍ଷୀମାନଙ୍କ ପାଇଁ ଅଧିକ ନିରାପଦ। ପ୍ରାୟ ନଭେମ୍ବର ମାସଠାରୁ ଏମାନେ ଏହି ଅଞ୍ଚଳକୁ ଆସିବା ଆରମ୍ଭ କରିଥାନ୍ତି। ଫେବୃଆରୀ ଶେଷ ଆଡ଼କୁ ଶୀତ କମି ଆସିଲେ ଆଉ ଗରମ ପଡ଼ିଲେ ଏମାନେ ପୁଣି ସେମାନଙ୍କର ନିଜ ନିଜ ଅଞ୍ଚଳକୁ ଫେରିଯାନ୍ତି। କାହିଁ କେଉଁ କାଳରୁ ଏହି ପକ୍ଷୀମାନଙ୍କର  ରହିଆସିଥିବା ଏପରି ଆଚରଣକୁ ଅନୁଧ୍ୟାନ କଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗେ। ବିଭିନ୍ନ ଦେଶରୁ ଭିନ୍ନଭିନ୍ନ ପ୍ରଜାତିର ଚଢ଼େଇମାନଙ୍କ ସମାଗମ ପ୍ରକୃତି ପ୍ରେମୀମାନଙ୍କୁ ମତୁଆଲା କରିଥାଏ। ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପକ୍ଷୀ ବିଶେଷଜ୍ଞମାନେ ଦୀର୍ଘ ଦିନ ଧରି ଏହି ପକ୍ଷୀମାନଙ୍କ ଗତିବିଧି ଉପରେ ଗବେଷଣା କରି ଆସୁଛନ୍ତି।

ଭିତରକନିକା ଅଞ୍ଚଳରେ ବାସକରୁଥିବା ଲୋକମାନେ ଏମାନଙ୍କୁ ଅତିଥି ଭାବରେ ଦେଖନ୍ତି। ଏହି ଅଞ୍ଚଳର ଚାଷୀମାନଙ୍କ ଜମିରୁ ଏମାନେ ଧାନ ଖାଇ ଯାଉଥିଲେ ମଧ୍ୟ ପକ୍ଷୀମାନଙ୍କୁ କେବେ ଓ କେତେବେଳେ ଲୋକେ ଘଉଡ଼ାନ୍ତି ନାହିଁ। ଏପରିକି ଗାଁ ମଧ୍ୟରେ ରହିଥିବା ଲୋକମାନଙ୍କ ପୋଖରୀରେ ଏମାନେ ପ୍ରବେଶ କରି ମାଛ ଖାଉଥିଲା ବେଳେ  ବିଦେଶୀ ପକ୍ଷୀମାନଙ୍କୁ ନିଜ ଗାଁରେ ପାଇ ଲୋକେ ଆନନ୍ଦ ଅନୁଭବ କରିଥାନ୍ତି।

LEAVE A REPLY

Please enter your comment!
Please enter your name here