ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ହସ୍ତତନ୍ତ୍ର ହେଉଛି ଆମ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ। ଏଥିରୁ ପ୍ରସ୍ତୁତ ଡଜାଇନିଂ ବସ୍ତ୍ରକୁ ନେଇ ସୋମବାର ଭୁବନେଶ୍ୱର ସଚିବାଳୟ ମାର୍ଗସ୍ଥିତ ବୟନ ଭବନରେ ଉଦ୍‌ଘାଟିତ ହୋଇଯାଇଛି ‘ଡିଜାଇନର କଲେକ୍‌ସନ୍‌’ ବିକ୍ରୟ କେନ୍ଦ୍ର। ଏହି ବିକ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌।

ଆମ ରାଜ୍ୟର ହସ୍ତତନ୍ତ୍ରରୁ ପ୍ରସ୍ତୁତ ସମ୍ବଲପୁରୀ ବାନ୍ଧ ଶାଢ଼ି, ଖଣ୍ଡୁଆ ଶାଢ଼ି, ଟସର ବସ୍ତ୍ର ଇତ୍ୟାଦି ଦେଶବିଦେଶରେ ବେଶ୍‌ ଆଦୃତି ଲାଭ କରିଛି। ଏହି ସବୁ କପଡ଼ାରୁ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ବସ୍ତ୍ର ଆଜିର ଯୁବପିଢ଼ିଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି ମନ୍ତ୍ରୀ ଦିଆନ୍‌ କହିଛନ୍ତି।

ବର୍ତ୍ତମାନ ବଜାରରେ ଶାଢ଼ି ଅପେକ୍ଷା ରେଡିମେଡ୍‌ ଗାର୍ମେଣ୍ଟର ଚାହିଦା ଅଧିକ ରହିଛି। ଏହି ଚାହିଦାକୁ ଦୃଷ୍ଟିରେ ରଖି ବୟନିକା ସ୍ୱତନ୍ତ୍ର ଭାବେ ଓଡ଼ିଶା ହସ୍ତତନ୍ତ୍ର କପଡ଼ାରୁ ଡିଜାଇନରମାନଙ୍କ ଦ୍ୱାରା ଅତ୍ୟାଧୁନିକ ବସ୍ତ୍ର ପ୍ରସ୍ତୁତ କରି ଏହି ‘ଡିଜାଇନରସ୍‌ କଲେକ୍‌ସନ୍‌ ସେଲ୍‌’ ପ୍ରସ୍ତୁତ କରିଛି।

ଏଥିରେ ଓଡ଼ିଶାର ଡିଜାଇନର୍‌ ମାନସ ରଞ୍ଜନ ଦାଶ, ବିନୟ କୁମାର ମୁଣ୍ଡା, ଆକାଂକ୍ଷା ସରକାର, ସ୍ୱୀକୃତି ପ୍ରଧାନଙ୍କ ଡିଜାଇନିଂ ବସ୍ତ୍ର ଏଠାରେ ସ୍ଥାନିତ ହୋଇଛି। ଏମାନଙ୍କ ବ୍ୟତୀତ ଜାତୀୟ ପୁରସ୍କାର ପ୍ରାପ୍ତ ବୁଣାକାର ସୋନପୁରର ପ୍ରହ୍ଲାଦ ମେହେର ଓ ବରଗଡ଼ର ସସ୍ମିତା ମେହେରଙ୍କ ସ୍ୱତନ୍ତ୍ର ବସ୍ତ୍ର ଏଥିରେ ବିକ୍ରି ପାଇଁ ପ୍ରଦର୍ଶିତ କରାଯାଇଛି।

ଏହି ଉଦ୍‌ଘାଟନ ଉତ୍ସବ ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଶୁଭା ଶର୍ମା, ବୟନିକା ସଭାପତି ଶେଷ ମେହେର, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି, ଅତିରିକ୍ତ ଶାସନ ସଚିବ ବୃନ୍ଦାବନ ବେହେରା, ବୟନିକାର ପରିଚାଳନା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here